Unknown

 

 

 

 

 

 

 

ଭାବେ-ଭୋଳା

(ଦ୍ୱିତୀୟ ଖଣ୍ଡ)

 

ଶ୍ରୀ ବାସୁଦେବ ମହାପାତ୍ର

 

ସୂଚିପତ୍ର

୧.

ସିଂହମୂର୍ତ୍ତିରେ ଅନ୍ତର୍ଦ୍ଧାନ

୨.

ବିଚିତ୍ର ବାଚାଳତା

୩.

ପଥର ଭାସିଲା

୪.

ବିଭୁଙ୍କର ବାରିକପଣ

୫.

ଶ୍ରୀଅଙ୍ଗରେ ଚିରଜୀବନ୍ତ କ୍ଷତ

୬.

ପ୍ରଭୁ ଧୋବଣୀ ହେଲେ

୭.

କାଠ ଇଷ୍ପାତ ହେଲା

୮.

ବିନା ବିହନରେ ଅପୂର୍ବ ଫସଲ

୯.

ଅଲୌକିକ କ୍ଷମା

୧୦.

ଚରମ ଦାନ

୧୧.

ନିଜେ ନାରାୟଣ ମନ୍ତ୍ର ଦେଲେ

୧୨.

ଗଉଡ଼ ଗୋଖାର ବିଭୁଦର୍ଶନ

୧୩.

ଦୀନବନ୍ଧୁ ଦିହୁଡ଼ି ଧଇଲେ

୧୪.

ପ୍ରଭୁ ଭକ୍ତପତ୍ନୀର ନାକରେ ଲୋଥ ପିନ୍ଧାଇଲେ

Image

 

ସିଂହମୂର୍ତ୍ତିରେ ଅନ୍ତର୍ଦ୍ଧାନ

ଜୟ ଜୟ ବୀଣାପାଣି !

ଜୟ ବିଷ୍ଣୁପ୍ରିୟା !

ଜୟ କୁନ୍ଦେନ୍ଦୁ ଧବଳା

କର ତୁ ସୁଦୟା !

ଧବଳ ଭକତ-ଯଶ

ଚିନ୍ମୟ ବିଭବ

ଚିତ୍ରେ ପ୍ରାଣେ ଦିଅ ବଳ,

ଢାଳିଦିଅ ଭାବ ।

ବୀରତ୍ୱ-ଜନମଭୂମି

ସତୀସ୍ମୃତି-ପୂତ

ରାଜସ୍ଥାନ କାଳେ କାଳେ

ଭାରତ-ବନ୍ଦିତ ।

ବାଗର ଗ୍ରାମ ବିଖ୍ୟାତ

ବ୍ରାହ୍ମଣ ଶାସନ,

କରନ୍ତି ନିବାସ କାନ୍ଥି-

ରିଆ ଦ୍ୱିଜଗଣ ।

ବ୍ରାହ୍ମଣ ପୁରୁଷୋତ୍ତମ,

କର୍ମଠୀ ତା ସୁତା,

ରୁପେ ଗୁଣେ ଅପ୍ରତିମ

ଭକ୍ତିଗୁଣଯୁତା ।

ଚମ୍ପକବରଣୀ ବିମ୍ବୁଁ

ବଳିଣ ଅଧର,

ଚନ୍ଦ୍ରମୁଖେ କୁନ୍ଦଦନ୍ତ

କିବା ମନୋହର ।

ଏଡ଼େ ସୁନ୍ଦର କି ଝିଅ

ମିଳଇ କାହାରେ ।

ଦେବକନ୍ୟା ବୋଲି ହୁଏ

ସନ୍ଦେହ ମନରେ ।

ପିତା ମାତା ଧନ୍ୟ, ପାଇ

ତନୟା ରତନ

ପରାଣ ପସରା କଲେ,

ହେଲା ଗଣ୍ଠିଧନ ।

ଶୁକ୍ଳପକ୍ଷ-ଚନ୍ଦ୍ର ପରି

ବଢ଼ିଲା ସୁନ୍ଦରୀ

ରୂପୁଁ ବଳି ଗୁଣେ ମୋହେ

ଅପୁର୍ବ କିଶୋରୀ ।

ମଧୁର ବଚନ ତାର

ଚାରୁ ବ୍ୟବହାର,

ପର-ଦୁଃଖେ ସେ ନୟନୁଁ

ଝରେ ସଦା ନୀର ।

ବିଧାତା-ବିଚିତ୍ର-ସୃଷ୍ଟି

ବିଚାରନ୍ତି ଜନେ,

କନ୍ୟାର ପ୍ରଶଂସା ଫୁଟେ

ସକଳ ବଦନେ ।

ଚାହୁଁ ଚାରୁ ଅଙ୍ଗେ ହେଲା

ଯୌବନ ପରଶ,

ରୂପେ ଗୁଣେ ପୂରି ବାଳା

ମୋହିଲା ମାନସ ।

କେତେ ଯେ ଯୁଟିଲେ ପାତ୍ର

ତାକୁ ତାକୁ ବଳି,

ଯୋଗ୍ୟତମ ପାତ୍ରେ ପିତା

ଅରପିଲେ ବାଳୀ ।

କନ୍ୟାପିତା-ଗୃହେ ପଡ଼େ

ଅକାଳ-ଚଡ଼କ

କର୍ମଠୀ ବିଧବା ହେଲା

କି ଭାଗ୍ୟ ବିପାକ !

ହାହାକାର ସର୍ବ ମୁଖେ,

ଶୁଭେ ଆର୍ତ୍ତବାଣୀ,

ଘୋରଦୁଃଖେ ବୁଡ଼ିଗଲେ

ଜନକ-ଜନନୀ ।

କର୍ମଠୀ ଭାବଇ, ‘ସବୁ

ବିଧାତା ନିର୍ବନ୍ଧ,

ମଙ୍ଗଳମୟଙ୍କ ଇଚ୍ଛା

ନୁହେ କେବେ ମନ୍ଦ ।’

ସନାତନ ଧର୍ମ ଧରି

ଜପ, ତପ, ବ୍ରତ,

ସଂଯମ-ନିଗଡ଼େ ମନ

କରଇ ଆୟତ୍ତ ।

ବିଧବା ଜୀବନ କଲା

ତପୋମୟ ବାଳା,

ଘୋର ତପସ୍ୟାରେ

ବାର ବରଷ ବିତିଲା ।

ବିଭୁକୃପା ବେଳେ ବେଳେ

ରୁକ୍ଷ, ରୂପ ଧରେ

ଦିଶେ ଅମଙ୍ଗଳ ଅଜ୍ଞ

ନାସ୍ତିକ ଦୃଷ୍ଟିରେ ।

ଯେ ଭକତି ବିଭୁ ପଦ

କରିଥାଏ ଆଶ,

ତା ପାଇଁ ଆସଇ ଦୁଃଖ,

କଷ୍ଟ, ସର୍ବନାଶ ।

ଦଣ୍ଡ-ଦୁଃଖ-ଦୁର୍ବିପାକ

ନ ଥିଲେ ଜୀବନ

ନୁହନ୍ତା ସୌଷ୍ଟବମୟ,

ନୁହନ୍ତା ମୋହନ ।

ଯାତନାର ଶେଷଗତି,

ଚିନ୍ତି ଭକ୍ତଗଣ,

ସର୍ବତ୍ର ମଙ୍ଗଳଲୀଳା

କରନ୍ତି ଦର୍ଶନ ।

ମଲେ ପିତା ମାତା,

ହେଲା ପତିକୁଳ ନାଶ,

ଆପଣାର ନ ରହିଲେ

କେହି ଅବଶେଷ ।

କର୍ମଠୀ ବନ୍ଧନହୀନ

ବିମୁକ୍ତ ପରାଣେ,

ଅମଙ୍ଗଳ ନ ଦେଖଇ

ବିଧାତା-ବିଧାନେ ।

ଏକାକିନୀ ଯୁବତୀ ସେ,

ରୂପେ ଅପ୍ରତିମ,

ଶୁଦ୍ଧଭାବେ କି ଦୁରୂହ

ଯାପିବା ଜୀବନ !

କର୍ମଠୀର ମନେ ନ

ରହିଲା ଭ୍ରାନ୍ତି, ଭୟ,

ବିଭୁଙ୍କ ଚରଣେ ଦୃଢ଼

ନେଲା ସେ ଆଶ୍ରୟ ।

ସନ୍ଥ ହରିଦାସଠାରୁ

ଦୀକ୍ଷାନେଇ ବାଳା,

ସାଧନ-ଭଜନ ଦୃଢ଼

ମନେ ଆରମ୍ଭିଲା ।

ତହିଁ ନ ମାନିଲା ମନ,

ଗଲା ବୃନ୍ଦାବନ,

ହରିବଂଶଚନ୍ଦ୍ର ପଦେ

ନେଲା ସେ ଶରଣ ।

ଘେନିଲା ବୈଷ୍ଣବୀ, ଦୀକ୍ଷା

ହେଲା ଅନୁଗତ

ସାଧନ-ଭଜନେ ବାଳା

ବଳାଇଲା ଚିତ୍ତ ।

କୃଷ୍ଣ-ପରିଚର୍ଯ୍ୟା ପୁଣି

ନାମ-ସଂକୀର୍ତ୍ତନ

ସାଧୁସଂଗ, ଗୁରୁପଦ

ପୂଜା ଅନୁଦିନ ।

ଗ୍ରନ୍ଥପାଠ, ବିଭୁଚର୍ଚ୍ଚା,

ସଦାଳାପେ ମନ,

ଅନୁଷଣ ଇଷ୍ଟଦେବ-

ଶ୍ରୀକୃଷ୍ଣ-ସ୍ମରଣ ।

ଭିକ୍ଷାନ୍ନେ ପ୍ରାଣଧାରଣ,

ନିୟତ ପ୍ରସନ୍ନ

ସୂତାକଟା ଧନେ କରେ

ଦରିଦ୍ର-ପୂଜନ ।

‘ନାମେ ଭକ୍ତି ଜୀବେ ଦୟା’

ପନ୍ଥା କରି ସ୍ଥିର

ବରିନେଲା ସାଧନା ସେ

ସଂଯମ କଠୋର ।

ଭକ୍ତିପ୍ରେମବଳେ ପୁଣି

ପୂଣ୍ୟଭୂମି ଫଳେ

କର୍ମଚେଷ୍ଟା ହେଲା ଶାନ୍ତ,

ପରା ଶାନ୍ତି ମିଳେ ।

ମନରୁ କାମନା ଗଲା,

ଲୁଚିଲା ଗରବ,

ଗୁରୁ-କୃପାବଳେ ଜାତ

ଶୁଦ୍ଧ ପ୍ରେମଭାବ ।

ଅନ୍ତରର ବଇଭବେ

ହୋଇ ଧନୀ ବାଳା,

ସିଦ୍ଧ କଲା ତା ସାଧନା,

ସିଦ୍ଧେ ଗଣା ହେଲା ।

‘ରମଣୀ ଅବଳା ନାମ,

ସୁରୂପ ଲାବଣ୍ୟ,

ସେହି ଧନ କାମ୍ୟ ତାର,

ସେଥିରେ ସେ ଧନ୍ୟ ।

ରୂପ କିନ୍ତୁ ଜାଳେ କାମ,

ଦୁର୍ବାର ଅନଳ,

ସ୍ୱର୍ଣ୍ଣ ଲାଙ୍କା ପୋଡ଼ି ଜାଳି

କରେ ନାରଖାର ।

ସେ ରଜ୍ଜୁରେ ବଦ୍ଧ ନାରୀ,

ପଦେ ପଡ଼େ ବେଡ଼ି,

ଅବଳା ଦୁର୍ବଳା ହୁଏ,

ମରେ ଜଳି ପୋଡ଼ି ।

ନାରୀତ୍ୱ ସତୀତ୍ୱ ସରେ,

ସରଇ ଅବଳା,

ମାନବ-ଜୀବନ ସାରେ,

କୁଳେ ଲାଗେ କଳା ।

ଅତୁଲ୍ୟ ଲାବଣ୍ୟମୟୀ

କର୍ମଠୀ ଯୁବତୀ

ଅବଳା ସେ, ବିଭୁବଳେ

ମହାଶକ୍ତି ମତୀ ।

ନ ଡରଇ ପଶୁବଳ,

ନ ମାନେ ପୌରୁଷ,

ବିଭୁରେ ନିର୍ଭର ସଦା,

ଆତ୍ମବଳେ ଆଶ ।

ଦିଲ୍ଲୀଶ୍ୱର ଆକବର

ରାଜଚକ୍ରବର୍ତ୍ତୀ

ଭଣଜା ଅଜୀଜବେଗ

ନୀଚାଶୟ ଅତି ।

ମଥୁରା ଜିଲାର ସେହୁ

ହୋଇଲେ ହାକିମ,

ଅନୁଜେ ଅରପିଦେଲେ

ରାଇଜ ଶାସନ ।

ଅନୁଜ ହସନବେଗ

ଅତି ନୀଚମନା,

ଶ୍ରୀବନ ବୁଲି ଦେଖିବ

ଜାଗିଲା କାମନା ।

ବୃନ୍ଦାବନ ରମ୍ୟ ଭୂମି

ତୋଷେ ପ୍ରାଣମନ,

ଅନ୍ତରୁ କଳୁଷ ନାଶେ

ପୂତକରେ ପ୍ରାଣ ।

ଦୁଗ୍‌ଧପାନେ ସର୍ପ ବିଷ

ହୁଅଇ ବର୍ଦ୍ଧିତ,

ହସନ ଦୂଷିତ ପ୍ରାଣେ

ହୁଏ ବିପରୀତ ।

ଦେଖିଲା ଯମୁନାକୂଳେ

ଅପୂର୍ବ ରୂପସୀ

ରମଣୀ ସ୍ନାନନିରତା

ଅଳପ ବୟସୀ ।

ଆର୍ଦ୍ର ବସ୍ତ୍ର ଫୁଟି ଦିଶେ

ରୂପ ଯଉବନ,

ରମ୍ୟ ଦୀର୍ଘ କେଶ କରେ

ନିତମ୍ବ ମଣ୍ଡନ ।

କ୍ଷୀଣକଟି, ନିତମ୍ବିନୀ,

ପ୍ରଲମ୍ବକୁନ୍ତଳା,

ଶୁକଚଞ୍ଚୁ ଜିଣି ନାସା,

ପରା ପ୍ରେମଶୀଳା ।

ବିମ୍ବୋଷ୍ଠୁ ଫୁଟଇ ବାଣୀ

ଓଁ କାର ଝଙ୍କାର,

ଭକ୍ତି ପ୍ରେମ ଉଲ୍ଲସଇ

କାଳିନ୍ଦୀ କଲ୍ଲୋଳ ।

ଯମୁନା ପୁଳିନେ ଉଭା

ଶୁଦ୍ଧା ତପସ୍ୱିନୀ,

ଦେବୀ ନା ମାନବୀ ସେ ତ

ନ ହୁଅଇ ଜାଣି ।

ପରାଚୀ ଗଗନେ ରବି

ହସି ଢଳ ଢଳ

ଘେନୁଛନ୍ତି ସୁଖେ ବାମା-

ପୂତ-ଅର୍ଘ୍ୟ-ଜଳ ।

ଅସ୍ଥିର ଯବନ, ରହେ

ଏକ ଲୟେ ଚାହିଁ,

ପରିଚୟ ବୁଝେ ଭଲେ,

ଦୂତ ପଠିଆଇଁ ।

ପରିଚୟ ପାଇ ଖୁସି

ହୋଇଲା ଯବନ,

ଅସହାୟ ଅବଳା ସେ,

ନାହିଁ ନିଜ ଜନ ।

ବିସ୍ତାରିଲା ମାୟା ଜାଲ,

ଭାବେ ମନେ ମନେ,

କରିବ ସୁନ୍ଦରୀ ବଶ

ସୁବର୍ଣ୍ଣେ, ରତନେ ।

କୁଳଟା ରମଣୀ ଡାକି

ଭାଷଇ ଉଷତେ,

ବାଳୀ ବଶେ ଆଣ, ନେବ

ଅର୍ଥ ଇଚ୍ଛା ଯେତେ ।

ଦୁଇ ଦୁଷ୍ଟା ନୀଚକର୍ମେ

ଦେଲେ ନିଜ ହାତ,

ନେଲେ ଭେକ, ସାଜସଜ୍ଜା

ବୈଷ୍ଣବୀ ଉଚିତ ।

ରାଧା-କୃଷ୍ଣ ନାମ ଜପି

କରନ୍ତି ଗମନ,

ସର୍ବାଙ୍ଗେ ଫୁଟି ଶୋଭଇ

କୃଷ୍ଣ-ପାଦ-ଚିହ୍ନ ।

ଅନ୍ତରେ ବିଷ ଘୋଡ଼ାଏ,

ମୁଖେ ମଧୁ ହସ,

କର୍ମଠୀ କୁଟୀର ଦ୍ୱାରେ

ଆସି ପରବେଶ ।

କର୍ମଠୀ ବିଶ୍ୱାସୀ ପ୍ରାଣ

ଉଦାସ ମୁକୁଳା,

ନାହିଁ ମାୟା ବସିବାକୁ

ଆସନ ସେ ଦେଲା ।

ଆଦର, ସମ୍ମାନ କରେ

ହୁଏ ଆଳାପନ,

ନାନା ବିଭୁ ଚର୍ଚ୍ଚା ପଡ଼େ

ତୃପ୍ତ ହୁଏ ମନ ।

ବିଟପୀ ଯାଆନ୍ତି ଫେରି

ବିସ୍ତାରି କପଟ,

ନିତି ନିତି ଲଗାଇଲେ

ଦୃଷ୍ଟା ଏଇ ନାଟ ।

କର୍ମଠୀର ପ୍ରେମମୟ

ନିଷ୍ପାପ ପରାଣ,

ଭାବେ, ‘ଯୋଗାଇଲେ ସାଥୀ

ପ୍ରଭୁ ଭଗବାନ ।’

ଦିନେ ବହୁ ଡେରି ହେଲା,

ଆସନ୍ତି ସଙ୍ଗିନୀ,

ଗମ୍ଭୀରେ ଭାଷନ୍ତି ବାଣୀ

ଦୁଷ୍ଟା ଶିରୋମଣି ।

‘‘କ୍ଷମା ଦିଅ ମାତାଜୀ ଗୋ !

ଆଜି ହେଲା ଡେରି,

ପବିତ୍ର ଚରଣସେବା-

କାମନା ଆମରି ।

କି କରିବୁ ଘରେ ମହା-

ସିଦ୍ଧ ଉପସ୍ଥିତ,

ତାଙ୍କରି ସେବାରେ ହେଲା

ବହୁକାଳ ଗତ ।

ସନ୍ଥ-ଶ୍ରେଷ୍ଠ ସଦା ମହା-

ଭାବେ ନିଗମନ,

ଭକ୍ତି-ପ୍ରୀତି-ଅବତାର,

ସାଧକ-ଭୂଷଣ ।’’

ଟଳିଲା କର୍ମଠୀ-ମନ,

ଭାଷିଲା, ‘‘ଭଗିନୀ ।’’

ଦର୍ଶନ କରନ୍ତି ଇଚ୍ଛା,

ନିଅ ସଙ୍ଗେ ଘେନି ।

ମହାପୁରୁଷ-ଦର୍ଶନ,

ସେବନ, ପୂଜନ,

ନାଶେ ସର୍ବ ପାପ କରେ

ସାର୍ଥକ ଜୀବନ ।

ତୁମେ ତ ସଙ୍ଗିନୀ, କର

ସଙ୍ଗିନୀ-ଉଚିତ,

ସଙ୍ଗେ ଯାଇ ପୂଜେ ସାଧୁ,

ହୁଏ କୃତ-କୃତ୍ୟ ।’’

ଦୂତୀ–ନାହିଁ ବାଧା, କାଲିଆସି

ନେବୁ ଯଥାକାଳେ;

ସ୍ନାନ ସାରି ଥିବ ରହି

ଯମୁନାର କୂଳେ ।

କୁଟୀରେ ଯାଇଣ ସାଧୁ

କରି ଦରଶନ,

ବାହୁଡ଼ିବ ନିଜ ବାସେ

ହୋଇ ପରସନ୍ନ ।

ପରଦିନ ପ୍ରାତଃକାଳେ

ଯମୁନାର କୂଳେ,

ଦୂତି ଏକ କର୍ମଠୀକି

ଘେନିଲା ସଙ୍ଗରେ ।

କୁଟୀର ମଧ୍ୟରେ ଛାଡ଼ି

ହୋଇଲା ଅନ୍ତର,

ବାହାରେ ଯାଇଣ ରୁଦ୍ଧ

କରେ ଘରଦ୍ୱାର ।

ଗୃହ ସାଜସଜ୍ଜା ଦେଖେ

କର୍ମଠୀ ନିରେଖି,

ବିସ୍ମୟେ ଚକିତ ପୁରେ

ରାଜଜନ ଦେଖି ।

ଶିରରେ ମୁକୁଟ ମଣି-

ମୁକ୍ତା ବିଭୂଷଣ,

ସ୍ୱର୍ଣ୍ଣାସନେ ସ୍ମିତ ମୁଖେ

ଫୁଟଇ ବଚନ ।

‘‘ତପସ୍ୱୀ ଦେଖିବା ଆସେ

ଆସିଲୁ ସୁନ୍ଦରି !

ମୁହିଁ ସେ ତପସ୍ୱୀ, ନିଅ

ଆପଣାର କରି ।

ତପସ୍ୟା ମୋ ପୂର୍ଣ୍ଣ ଆଜି,

ସଫଳ ସାଧନା,

ତୋହ ପାଇଁ ବାଳାମଣି !

ସକଳ ରଚନା ।

ପାଟ-ପୀତାମ୍ବରୀ, ମଣି

ମୁକ୍ତା-ବିଭୂଷଣ,

ଏ ପଲଙ୍କ, ଏ ସୁପାତି,

କର୍ପୂର, ଚନ୍ଦନ,

ସୁବର୍ଣ୍ଣ-ଆସନ ମୁକ୍ତି

ରହିଛି ତୋ ପାଇଁ,

ତୋ ପାଇଁ ଏ ଗୃହ ପୁଷ୍ପ-

ବାସେ ଚହଟଇ ।

ଆସ ପାଶେ ବସ, ସବୁ

କର ଅଙ୍ଗୀକାର,

ସରଗର ପରୀ ତୁ ଲୋ !

ପୂଜିବି ପୟର ।

ଅନ୍ତରର ରାଣୀ ହେବୁ,

ନ ହେବୁ ଅନ୍ତର,

ଏ ଶରୀର, ଏ ସମ୍ପଦ

ସବୁ ତ ତୋହର ।

ରୂପସୀ ତୁ ବିଧାତାର

ଅପରୂପ ସୃଷ୍ଟି,

ଏ ସୌନ୍ଦର୍ଯ୍ୟ, ଯଉବନ

ନ କର ତୁ ମାଟି ।

ଏ ସୁରୂପ, ଏ ଲାବଣ୍ୟ

ବିଭୁ-କୃପା-ଦାନ,

କାଳିନ୍ଦୀ-କଲ୍ଲୋଳେ ଧୋଇ

ଦେଉ ଭସାଇଣ !

ଫିଙ୍ଗି ଭିକାରୁଣୀ ଭେକ

ପିନ୍ଧ ପୀତାମ୍ବରୀ,

ମଣି-ରତ୍ନ-ଅଳଂକାର

ଭର ଅଙ୍ଗ ଭରି ।

ଆସ ବସ କୋଳେ, ପୂର୍ଣ୍ଣ

କର ଏ କାମନା,

ଅନାଦରେ ଯିବ ପ୍ରାଣ,

ନିର୍ଦ୍ଦୟ ହୁଅନା ।’’

କର୍ମଠୀ ଅନ୍ତରେ ଶତ

ବଜ୍ର ଯାଏ ଫୁଟି,

କି କରିବ ଅବଳା ସେ,

ନ କହେ ଲେଉଟି ।

ଦ୍ୱାର ପାଖେ ଆସେ ବାଳା,

ଦେଖେ ରୁଦ୍ଧ ଦ୍ୱାର;

ପଳାଇବା ପଥ ନାହିଁ,

ହୁଅଇ ଆତୁର ।

ପ୍ରଭୁ ପଦ୍ମପାଦେ ଦୀନା

ଜଣାଏ ଆରତି,

‘‘ମୃଗୁଣୀରୁ ବଳି ଦୁଃଖ,

ଦ୍ରୌପଦୀ ବିପତ୍ତି ।

ରକ୍ଷା କର ଆର୍ତ୍ତତ୍ରାଣ

ଲଜ୍ଜାନିବାରଣ !

ଦୁର୍ବଳା ଅବଳା ପାଦେ

ନେଇଛି ଶରଣ ।’’

ଯବନେ ଗରଜି କହେ,

‘‘ନୀଚ ! ନରାଧମ !

ଲଜ୍ଜା ନାହିଁ, ନାଶିବାକୁ

ଇଚ୍ଛୁ ନାରୀ-ଧର୍ମ !

ଦେଖାଇ ଦିଅନ୍ତି ମଜ୍ଜା,

ଥିଲା ମୋ ଶକତି,

ବାରଣ କରଇ ମୋତେ

ଶ୍ରୀଗୁରୁ ଉକତି ।

ସକଳ ମାନବେ ଦେଖି

ସନ୍ତାନ-ସମ୍ଭାରେ,

ଯପିବି ସଂସାରେ କାଳ

ଶୁଦ୍ଧ-ପ୍ରୀତି-ବଳେ ।’’

ଅନାଦର ଦେଖି ଦୁଷ୍ଟ,

ହସେ କୁତୂହଳେ,

ଆକୁଳ ପରାଣ କାମ-

ଅନଳରେ ଜଳେ ।

ଭାବେ, ବାହୁବଳେ ବାଳା

କରିବ ଧର୍ଷଣ,

ଆଲିଙ୍ଗିଣ, ଚନ୍ଦ୍ରମୁଖେ

ରଚିବ ଚୁମ୍ବନ ।

ଆସନ ତେଜି ଉଠିଲା

ହୋଇ କାମାତୁର,

କର୍ମଠୀ ପାଖକୁ ଦୁଷ୍ଟି

ହୁଏ ଅଗ୍ରସର ।

ଦୁଇ ବାହୁ ପ୍ରସାରିତ

ମୁଖେ ରୁକ୍ଷ ହାସ,

ଘୃଣା କ୍ଷୋଭେ ଜଳେ ବାଳା,

ବହେ ଖରଶ୍ୱାସ ।

ଘୁଞ୍ଚି ଘୁଞ୍ଚି ଗୃହକୋଣେ,

ନେତ୍ରୁଁ ଅଶ୍ରୁ ଝରେ,

ଯବନ ଛୁଇଁବ ଅଙ୍ଗ,

ଭାବି ପ୍ରାଣ ଥରେ ।

ଯବନ ଥରଇ ଭୟେ,

ଦେଖେ ଆଚମ୍ବିତ,

ଯବନ–ଏ ଭୀଷଣ ସିଂହ କାହୁଁ

ହେଲା ଉପଗତ !

ଆସୁଛି ତ ଆଁ କରି

ଖାଇବ କି ମତେ,

ବାଳାମଣି ସିଂହ ହେଲା

ମଲି ମୁଁ ନିୟତେ ।

ଭୟେ କମ୍ପୁଅଛି ତନୁ,

ଆସେ ଦ୍ୱାରପାଶେ,

ଦ୍ୱାର ତ ବାହାରୁ ରୁଦ୍ଧ,

ବୁଦ୍ଧି ନାହିଁ ଦିଶେ ।

ବସ୍ତ୍ର ମାରାହେଲା, ମୂର୍ଚ୍ଛା-

ଯାଇ ପଡ଼େ ତଳେ,

ମଳ-ମୂତ୍ରେ ହୁଏ ଘାଣ୍ଟି

ସୁବେଶ ମଉଳେ ।

ବହୁତ ଅନ୍ତରେ ଦୂତୀ

ଫିଟାନ୍ତି ଦୁଆର,

ସେ ବିଭତ୍ସ କାଣ୍ଡ ଦେଖି

ଛାଡ଼ନ୍ତି ଚିତ୍କାର ।

କର୍ମଠୀ ତ ଉଭାଇଲେ

ଧରି ମନ୍ତ୍ରବଳ,

ଧନ୍ୟ ଧନ୍ୟ ତପସ୍ୱିନୀ

ଧରାରେ ଅତୁଳ !

ଲୋକେ ଆସି ତପସ୍ୱିନୀ

ଧରାରେ ଅତୁଳ !

ଲୋକେ ଆସି ହେଲେ ରୁଣ୍ଡ,

ଦେଖନ୍ତି ଯବନେ,

ସେ ରସିକ ବେଶ ଦେଖି

ହସନ୍ତି ଗୋପନେ ।

ବହୁ ଛିଞ୍ଚାବିଞ୍ଚା ପରେ

ଆସିଲା ଚେତନା,

ପୋଡ଼ି ଭସ୍ମହେଲା ପ୍ରାଣୁଁ

ପିଶାଚୀ କାମନା ।

ଯବନା ଫିଟାଏ ଆଖି,

ବହେ ଅଶ୍ରୁଧାର

ଦେବି ! ଦେବି ! ମାଆ ! ମାଆ !

କରଇ ଚିତ୍କାର ।

ପରଦିନ ଦୁଇ ଦୂତୀ

କର୍ମଠୀ-ପୟରେ,

ପ୍ରଣତି ରଚନ୍ତି ଭୟେ,

ପ୍ରେମେ ଅଶ୍ରୁ ଝରେ ।

କର୍ମଠୀ ପ୍ରସନ୍ନମନା

ଭଜନନିରତା,

ନାହିଁ କ୍ରୋଧ, ନିରାନନ୍ଦ,

ନାହିଁ ଗତ ଚିନ୍ତା ।

ହସି ହସି କହେ କଥା,

ରଖି ମିତ୍ରପଣ,

ମଉଳିଲା ଟାଣ, ଦୂତୀ

କରନ୍ତି କ୍ରନ୍ଦନ ।

ପଦେ କ୍ଷମା ମାଗନ୍ତି ସେ

ପରାଣ ଆକୁଳେ,

ତନୟା-ବେଭାରେ ମାତା

ନେଲେ ତାଙ୍କୁ କୋଳେ ।

ବହୁ ବିଭବ-ସମ୍ଭାର

ଧରଣ ଯବନ,

ଆସେ ମାତା ପାଶେ, କରେ

ଚରଣ ବନ୍ଦନ ।

ବୈଷ୍ଣବୀ ଛୁଇଁଲେ ନାହିଁ

ଅଣୁ ମାତ୍ର ଧନ,

ଆଦେଶିଲେ, ‘ସାଧୁ ଦୀନେ

ଦିଅ ବିତରିଣ’ ।

ଆଶ୍ୱାସ ଦେଇ କହିଲେ,

‘‘ସୁଖେ ଯାଅ ପୁଅ !

ମାତୃ କ୍ଷମା ଝରେ ପ୍ରାଣୁ,

ଧର୍ମେ ମତି ଦିଅ ।’’

ଯବନ ମୁଖେ ବୃତ୍ତାନ୍ତ

ହୋଇଲା ପ୍ରଚାର,

ବାଦଶାହ ପଦପୂଜା

ରଚେ କର୍ମଠୀର ।

ଏ ରହସ୍ୟ ପ୍ରକଟିଲା,

କର୍ମଠୀ ନୀରବ,

ବିଭୁ-ଲୀଳା ଭାବେ ସବୁ,

ନାହିଁ ଅହଂଭାବ !

ମାତୃପ୍ରେମେ ଭରେ ବିଶ୍ୱ,

ସୁତ ସନମାନେ

ସକଳେ ଘେନଇ, ସୁଖେ

ବୁଡ଼ଇ ଭଜନେ ।

ଯୋଗିନୀମଣ୍ଡନ ସିଦ୍ଧ-

ବନ୍ଦିତ-ଚରଣ

ରଖି ରମଣୀର ଟେକ,

ତେଜିଲେ ଜୀବନ ।

ଜନନୀ-ସମ୍ମାନେ ଗଲେ

ବଇକୁଣ୍ଠେ ଚଳି,

ନିଶ୍ୱର ନୃପତି-ଭୋଗ

ଦେଇ ପଦେ ଦଳି ।

ବୈକୁଣ୍ଠୁଁ ଜନନି ! ଢାଳ

ମାତୃ-ପ୍ରେମଧାରା

କାମକଳୁଷିତ-ପ୍ରାଣ

ଦିଶେ ଦେଶେ ସାରା ।

ବୈକୁଣ୍ଠ ଭୁବନୁଁ ପଡ଼ୁ

ମାତୃପ୍ରେମ ଝରି,

ଅନ୍ତରୁ କଳୁଷ ଧୋଉ,

ଶ୍ରୀପଦେ ଗୁହାରି ।

Image

 

ବିଚିତ୍ର ବାଚାଳତା

ଛତିଶଗଡ଼େ ବିଲୌଦାଁ

ବ୍ରାହ୍ମଣ ଶାସନ;

ରହନ୍ତି ଆନନ୍ଦେ ବହୁ

ପଣ୍ଡିତ ସୁଜନ ।

ରାଜପ୍ରତିଷ୍ଠିତ ଗ୍ରାମ,

ପାଇ ଜମିବୃତ୍ତି,

ଦୂରଦୂରାନ୍ତରୁ ବିପ୍ରେ

ଆସି ରହିଛନ୍ତି ।

ମୁରାରୀ ଜନମେ ଦିନ

ବ୍ରାହ୍ମଣର ଘରେ,

ଶରୀର ସୁନ୍ଦର ସୁସ୍ଥ

ଜନ ମନ ହରେ ।

ମାଆ ତ ପୁଅରେ କରେ

ଅତି ହିଁ ଆଦର,

ଦୁଃଖ ଦୈନ୍ୟ ଭୁଲେ ଦେଖି

ବହନ ସୁନ୍ଦର ।

ଖୁଆଇବା, ଶୁଆଇବା

ଖେଳାଇବା ବେଳେ,

ମାଆ ତୁଣ୍ଡୁ ଶୁଣେ ପୁଅ

ଗୀତ କୁତୂହଳେ ।

ସ୍ତନ୍ୟ ସଙ୍ଗେ ମାତା ଦେଇ

ସଙ୍ଗୀତ ସୁରସ,

ଗଢ଼ିଲା ନନ୍ଦନେ କରି

ଉଦାର ସରସ ।

ପୀକକଣ୍ଠ ମୁରାରିର

ବାଣୀ ସୁମଧୁର,

ଯେ ଶୁଣଇ ମୁଗ୍‌ଧ ହୋଇ

କରଇ ଆଦର ।

ଗ୍ରାମସାରା ନରନାରୀ

ପୁଅ ଝିଅ ଯେତେ,

ମୁରାରିକୁ ପ୍ରାଣୁଁ ବଳି

ଘେନନ୍ତି ସମସ୍ତେ ।

ନାରୀଙ୍କୁ ଲାଗଇ ଏ କି

ଦ୍ୱିତୀୟ ମୁରାରି,

ଗୀତ ଗାଇ ବଂଶୀ ବାଇ

ମୋହିବ କିଶୋରୀ ।

କୋଳେ ଧରି ଗେଲକରି

ଶୁଣି ଶିଶୁଗୀତ,

ଭୁଲି ଦୁଃଖ ଶୋକ ନାରୀ

ହୁଅନ୍ତି ଉଷତ ।

ପିଲାଏ ମାରିଣ ତାଳି

ନାଚନ୍ତି ସଙ୍ଗରେ,

ମୁରାରି ନାଚିଣ ଗାଏ,

‘ମନପ୍ରାଣ ହରେ ।

ବଢ଼େ ଶିଶୁ, କ୍ରମେ ବଢ଼େ

ସବୁରି ଆଦର,

ନାରୀଏ ମିଳିଣ ଶିଶୁ

ସଜାନ୍ତି ରୁଚିର ।

ପୀତ ରେଶମର କାଛା

ପିନ୍ଧାନ୍ତି ଯତନେ,

କପାଳରେ ଗୋରଚନା,

କଜ୍ଜ୍ୱଳ ନୟନେ ।

କବରୀ ବାନ୍ଧନ୍ତି ଶିରେ

ଦେଇ ଶିଖୀଚୂଳ,

ବକ୍ଷ ମଣ୍ଡନ୍ତି ଦେଇଣ

ଚାରୁ ବନମାଳ ।

ପଦରେ ଘୁଙ୍ଗୁର, ହସ୍ତେ

ସ୍ୱର୍ଣ୍ଣ ବିଭୂଷଣ,

ଦେଇଣ ମଣ୍ଡନ୍ତି ଶିଶୁ

କରି ମନୋରମ ।

ଶେଷରେ ଧରାନ୍ତି ବଂଶୀ

ମୁରାରିର କରେ, !

ବାଳକ ନାଚଇ ବଂଶୀ

ବଜାଇ ସୁସ୍ୱରେ ।

ତାଳେ ତାଳେ ଘୁଙ୍ଗୁରରୁ

ଉଠେ ମଧୁଧ୍ୱନି,

ପ୍ରେମେ ବିସ୍ଫାରିତ ନେତ୍ରେ

କହନ୍ତି କାମନୀ ।

‘‘ତ୍ରିଭୁବନ ସୁନ୍ଦର ଏ

ସତ୍ୟ ବଂଶୀଧର,

ନୀଳଘନଶ୍ୟାମ ଏ ତ

ଯଶୋଦାଦୁଲାଳ ।’’

ଶିଶୁ ନାଚେ କିବା କହୁ

ରମଣୀଙ୍କ ଭାବ,

ଅନ୍ତରେ ଅନ୍ତରେ ଖେଳି

ନାଚନ୍ତି ମାଧବ !

ଅନନ୍ତ ବିରହଜ୍ୱାଳା

ଯାଆନ୍ତି କି ଭୁଲି,

ଅନ୍ତରେ ବାହାରେ ପ୍ରେମେ

ଦେଖି ବନମାଳୀ ।

ଏହି ରଙ୍ଗରସେ ସୁଖ

ମୁରାରି ଜୀବନେ,

ଅଳ୍ପ ଦିନେ ସରିଗଲା

ବିଧାତା-ବିଧାନେ ।

ପ୍ରଥମେ ଛେଉଣ୍ଡ କରି

ଗଲେ ପିତା ଚାଲି,

କିଛି ଦିନେ ମାଆ ଗଲେ

ପିତାପଥ ଧରି ।

ମାତା କହେ, ‘‘କୁମର ରେ

ଭୁଲି ତୋର ଚିନ୍ତା,

ଯାଉଛି ମୁଁ ହେଲା ବେଳ;

ସରବ-ନିୟନ୍ତା

ସେ ତ ପ୍ରେମମୟ ହରି,

ଦେବେ କି ପାସୋରି,

ଦୁଃଖିନୀର ଏକମାତ୍ର

ପରାଣସଂଖାଳୀ ।

ପ୍ରଭୁରେ ଦିଅ ତୁ ଧ୍ୟାନ,

ଧର ଦୃଢ଼କରି

ବାଳକାଳୁଁ, ଦୁଃଖକଷ୍ଟ

ସୁଖେ ଯିବୁ ତରି ।’’

ଶେଷ ପ୍ରେମ-ବାଣୀ,

ଭକ୍ତି-ଅଭୟ-ବଚନ

କହି ମାତା ହସି ହସି

ମୁଦିଲେ ନୟନ ।

ବାର ବରଷର ପୁଅ,

ବାଳକ ମୁରାରି,

ପଦେ ବସି ମାତୃବାଣୀ

ଶୁଣେ ଅଶ୍ରୁ ଢାଳି ।

ଭାବେ, ‘‘ମାଆ ଥିଲେ ମୋର

ଏକମାତ୍ର ସାହା,

ସେ ତ ଗଲେ କେହି ନାହିଁ

କହିବାକୁ ‘ଆହା !’

ଶୂନ୍ୟ ଗୃହ, ଶୂନ୍ୟ ଗ୍ରାମ,

ନାହି କେହି ମୋର,

ଶୂନ୍ୟ, ଶୂନ୍ୟ, ମହାଶୂନ୍ୟ

ସମସ୍ତ ସଂସାର ।

କି ସୁଖେ ରହିବି ପଡ଼ି

ମୋ ଶୂନ୍ୟ ଆବାସେ,

ପୋଡ଼ା ପେଟ ପାଇଁ ଯୁଦ୍ଧ

ରଚିବି କି ଆଶେ ?

ମନ୍ଦିରେ ମୁରାରି ଆସି

ନିଅଇ ଆଶ୍ରୟ,

ଦେବୀ ପଦେ ଲୟ ରଖି

ମନ କରେ ଥୟ ।

ମୁରାରିରେ ଶ୍ରଦ୍ଧା, ସ୍ନେହ

କରନ୍ତି ସରବେ,

ସବୁବେଳେ ଇଚ୍ଛା ମୁଖୁଁ

ସଙ୍ଗୀତ ଶୁଣିବେ ।

ମୁରାରି ନ ଯାଏ ଗ୍ରାମେ,

ନ ଛାଡ଼େ ମନ୍ଦିରେ,

ଜଣାଏ ଗୁପତ ଦୁଃଖ

ଦେବତା ପୟରେ ।

ପୁଣ୍ୟ ପରବରେ ଡାକି

ନେଇ ସମାଦରେ,

ବେଳେ ବେଳେ ଖୁଆଅନ୍ତି

ଗ୍ରାମବାସୀ ନରେ ।

ବାଳୁତ ପରାଣ ତାର

ହୁଅଇ ଆକୁଳ,

ମାଆ-କଥା ମନେପଡ଼େ,

ନେତୃ ବହେ ନୀର ।

କିଏ କେତେ ଡାକି ଦେବେ

ମୁଖେ ଅନ୍ନ ତାର ?

ନ ଡାକିଲେ ସେ ତ କାର

ନ ଉଠେ ଦୁଆର ।

ତିନି ଦିନ ଧରି ଥରେ

ନ ହୁଏ ଭୋଜନ,

ଅନାହାରେ କଣ୍ଠାଗ୍ରତ

ହେଲା ଆସି ପ୍ରାଣ ।

ଭାବିଲା, ‘‘ପରାଣ ଆଉ

ରହିବ କି ନାହିଁ ?

ପ୍ରଭୁରେ ପରାଣ-ଗୀତ

ଦିଏ ମୁଁ ଶୁଣାଇଁ ।’’

ଠିଆହେବ ନାହିଁ ବଳ,

ଦେହ ଥର ଥର,

ଅଶ୍ରୁ ବହେ ନେତ୍ରୁଁ, ମୁଖେ

ସଙ୍ଗୀତ ମଧୁର-

‘‘ପାଶୋରି ଦେବ କି ସତେ

ହେ ପରାଣମିତ !

ପ୍ରେମେ ଭାସେ ତନମନ,

ଫେରାଇ ନୁହେ ତ !

ଅନ୍ତିମ ସଙ୍ଗୀତ ହୋଇ

ନ ପାରିଲା ଶେଷ,

ମୁରାରି ପଡ଼ଇ ଟଳି

ହୁଅଇ ବେହୋସ ।

ହୋସ ଆସି, ଚକ୍ଷୁ ଖୋଲି

ଦେଖଇ ମୁରାରି,

ବସ୍ତ୍ରଭୂଷଣମଣ୍ଡିତା

ତ୍ରୈଲୋକ୍ୟ-ସୁନ୍ଦରୀ;

ବିଶ୍ୱବିମୋହିନୀ ଦେବୀ

ମୁଖେ ସ୍ମିତ ରେଖା,

ମନ୍ଦିର ମଧ୍ୟରେ କାହୁଁ

ଆସିଦେଲେ ଦେଖା ।

ବସିଲେ ନିକଟେ, ନେଲେ

ଶିର ଅଙ୍କେ ତୋଳି,

କହିଲେ, ‘‘ରେ ବାପା ! ଯେତେ

ଅଛନ୍ତି ତୋ ଭଳି ।

ଛେଉଣ୍ଡ ସନ୍ତାନ, ମୁଁ ତ

ସବୁରି ଜନନୀ,

ନିରନ୍ତର ବହେ ଅଶ୍ରୁ

ସେମାନଙ୍କ ଘେନି ।

ଉଠ ଧନ ! ତିନି ଦିନ

ନାହିଁ ଅନ୍ନ ଜଳ,

କର ତୁ ଭୋଜନ ବେଗେ,

ମୁଖେ ଅନ୍ନ ଧର ।’’

ଖୁଆଇ, ପିଆଇ ମାତା

ଅଙ୍କୁ ରଖି ଶିର,

ଶୁଆଇଣ ମୁରାରିକୁ

ହୋଇଲେ ଅନ୍ତର ।

ଜାଗିଣ ମୁରାରି ହୁଏ

ପାଗଳଙ୍କ ଭଳି,

‘ମାଆ ! ମାଆ !’ ବୋଲି ଉଚ୍ଚେ

ଛାଡ଼ଇ ବୋବାଳି ।

ବ୍ରାହ୍ମଣ ଚାଣ୍ଡାଳ ଯେ ବା

ଆସୁ ତାର ପାଶେ,

ଲୋଟଇ ଚରଣ ଧରି

‘ମାଆ ମାଆ’ ଭାଷେ ।

ନାରୀଏ ଦିଶନ୍ତି ତାକୁ

ରାଧା ରାଣୀ ସରି

ସରାଗେ ଚରଣେ ଗଡ଼େ

‘ଜୟ ରାଧେ’ ବୋଲି ।

ଲୋକଲଜ୍ଜା ଭୟେ ସବୁ

ଲୁଚନ୍ତି ତରୁଣୀ,

ଗୁପତେ ଗଡ଼ାନ୍ତି ଲୁହ

ସରାଗେ ତା ଘେନି ।

ସର୍ବତ୍ର ମୁରାରି ରାଧା-

ରାଣୀ ଦେଖେ ଡୋଳେ

ଅନାଚାରୀ ବୋଲି ନୃପ

ରାଜ୍ୟ ମନା କଲେ ।

ସ୍ଥାନାସ୍ଥାନ ଭେଦ ନାହିଁ

ମୁରାରି ପରାଣେ,

ସାରା ବିଶ୍ୱ ବିଭୁଭୂମି

ମନେ ଦୃଢ଼େ ଗଣେ ।

ବିଭୁ ପ୍ରେମମୟ ଗୀତ

ରାଜାଙ୍କୁ ଶୁଣାଇଁ

ହସିଣ ମୁରାରି ଚଳେ

ବୃନ୍ଦାବନ ଭୂଇଁ ।

ବୃନ୍ଦାବନେ ଯାଇଁ ପ୍ରାଣେ

ଆନନ୍ଦ ଅପାର,

କିଶୋର କିଶୋରୀ ରୂପ

ଦେଖି ହୁଏ ଭୋଳ ।

ଯମୁନାରେ ଦେଖେ ସେହି

ଯୁଗଳ ମୂରତି,

ଚତୁର୍ଦ୍ଦିଗେ ଖେଳେ ନୀଳ-

ନବଘନ-ଦ୍ୟୁତି !

ଜ୍ୟୋତି-ସ୍ରୋତେ ନାଚେ,

ପ୍ରାଣେ ଅପୂର୍ବ ଉଲ୍ଲାସ,

ଯମୁନାକୂଳେ ମୁରାରି

ରଚେ ନିତ୍ୟ ବାସ ।

କୂଳରେ ବୁଲିଣ କେବେ

ଗାଏ ବିଭୁଗୀତ,

ଶତ କର୍ଣ୍ଣ ତୋଷେ ବାଣୀ,

ଜିଣଇ ଅମୃତ,

ପବନ ତରଙ୍ଗେ ଖେଳି

ଯାଏ ସୁଧା ସ୍ୱର,

ପ୍ରାଣରେ ଉନ୍ମାଦ ଦିଏ

ଭୁଲାଏ ସଂସାର ।

‘ଆଉ ଗାଅ’ ‘ଆଉ ଗାଅ’

ଶତତୁଣ୍ଡେ ନିତି,

ଶତନେତ୍ରେ ଅଶ୍ରୁଧାରା,

ପରାଣେ ଆରତି ।

ଜନତା ବରଜି କ୍ଷଣେ

ହୁଅଇ ଅନ୍ତର,

ପବନେ ଖେଳାଇ ସ୍ୱର

ଅମୃତ ମଧୁର ।

କେବେ ନାଚେ, କେବେ ଧାଏଁ

ସମୀରଣ ସରି,

ଆଚମ୍ବିତେ ହୁଏ ଠିଆ,

ଛାଡ଼ଇ ବୋବାଳି ।

ଠିଆହେଲେ ଠିଆ ହୁଏ

ପ୍ରହର ପ୍ରହର,

ପ୍ରବଳ ଧାରାରେ ଗଡ଼େ

ଗଣ୍ଡେ ଅଶ୍ରୁଝର ।

ହସୁ ହସୁ କ୍ରମେ ଫୁଟେ

ଉଚ୍ଚ ଅଟ୍ଟହାସ,

ଫିଟିପଡ଼େ ଅନ୍ତରୁ କି

ଗୁପ୍ତ ଅସନ୍ତୋଷ ।

ଭୋଜ୍ୟ ଯାଚିଦେଲେ କେବେ

ଆଁ କରି ଘେନେ,

ପାଟି ଫିଟାଇ ମାଗିବା

ଦେଖାନାହିଁ ଦିନେ ।

‘ପାଗଳ’ ‘ପାଗଳ’ ବୋଲି

କହିଲା ଦୁନିଆଁ,

ବିଶ୍ୱଜନନୀର ତାରେ

ଏଡ଼େ ପ୍ରେମ କିଆଁ ?

ଛତିଶଗଡ଼ ରାଜାର

କି ହେଲା ଅନ୍ତରେ,

ମୁରାରିଙ୍କୁ ଝୁରି ଅଶ୍ରୁ

ଢାଳେ ନିରନ୍ତରେ ।

କି କଲି ! କି କଲି ! ଭାବି

ଅନୁତାପେ ଜଳି

ରାଣୀ ପାଶେ କେବେ ରାଜା

ଛାଡ଼ନ୍ତି ବୋବାଳି ।

ରାଣୀ ସାମନ୍ତଙ୍କୁ ରାଜା

ସଙ୍ଗେ ନେଇଗଲେ,

ବୃନ୍ଦାବନେ ଅନ୍ଦିକନ୍ଦି

ବହୁତ ଖୋଜିଲେ ।

ନ ଦେଖିଲେ ବାସେ, ଭେଟ

ନୁହନ୍ତି ମୁରାରି,

ଏତେ ଚେଷ୍ଟା ବୃଥା ହେବ,

ଯିବେ କି ସେ ଫେରି !

ରାଜା-ରାଣୀ ବୁଲୁଛନ୍ତି

ଯମୁନାର କୂଳେ

ଆତପେ ସିକତା ସ୍ୱର୍ଣ୍ଣ-

ରେଣୁ ସମ ଝଳେ ।

ତାତିଛି ସିକତା, ଖାଲି

ପାଦେ ନୁହେ ଚାଲି,

ବାଲିରେ ନାଚନ୍ତି ଦାସେ

ଦୋହଲି ଦୋହଲି !

ତାତିଲା ବାଲିରେ ଏ କି

ନୃତ୍ୟ ଅଦଭୁତ !

ରାଜା-ରାଣୀ ବିଲୋକନ୍ତି

ହୋଇଣ ଚକିତ ।

ଅଣୁ ଅଣୁ ଭେଦି ଖେଳେ

ଅମୃତ-ସମ୍ଭାର,

ସେ ଅମୃତ ପାନେ ତୃପ୍ତ

ନ ହୁଏ ଅନ୍ତର ।

ମୁରାରି ନାଚନ୍ତି ହସି,

ବହେ ସ୍ୱେଦ ଜଳ,

ସେ ନାଚେ ଖେଳଇ ଅଙ୍ଗେ

ଅଙ୍ଗେ ଭୀମ ବଳ ।

ନାଚର ବିରାମ ନାହିଁ

ଦେଖନ୍ତି ରାଜନ,

ବହୁ ପରେ ପାଶେ ଯାଇ

ରଚନ୍ତି ପ୍ରଣାମ ।

ଚିହ୍ନି ନ ପାରିଲେ ଦାସେ !

ରାଜା ଆଚମ୍ବିତ,

ଦାସେ ନ ହୁଅନ୍ତି କ୍ଷଣେ

ନୃତ୍ୟରୁ ବିରତ !

ଠୋ ଠୋ ମୁଖେ ଫୁଟେ ହାସ,

ନୃତ୍ୟ ରଙ୍ଗେ ଚାଲେ,

ଦେଖନ୍ତି ରାଜନ, କଥା

ନାହିଁ ପଦେ ହେଲେ !

ରାଜା-ପ୍ରଜା ଭେଦାଭେଦ

କାହିଁ ସେ ପରାଣେ ?

ବିଶ୍ୱରୁ ପୃଥକ ନୃପେ

ଘେନିବେ କେସନେ ?

ସବୁ ବାସୁଦେବମୟ

ଦେଖେ ଯେଉଁ ଆଖି,

ଅମୃତ ଯେ ଆସ୍ୱାଦଇ

ଅଣୁ ଅଣୁ ଚାଖି,

ଅନ୍ତରେ ବାହାରେ ଅନୁ-

ଭବେ ନାରାୟଣ,

ବିଶ୍ୱ-ବ୍ରହ୍ମାଣ୍ଡର ନୃପେ

ତନ୍ମୟ ପରାଣ;

ଛତିଶଗଡ଼ର ରାଜା

ତାର ପ୍ରାଣେ କିଆଁ

ଆଣିବ ଚମକ, ନୃତ୍ୟ

ଛାଡ଼ି ହେବ ଠିଆ ?

ଆତ୍ମ-କରଣିରେ ନୃପ

ସଦା ସଙ୍କୁଚିତ

ଅସମ୍ମାନେ ନ ହେଲେ ସେ

ତିଳେ ବିଚଳିତ ।

ପାଲିଙ୍କି ଆଣିଣ ବସା-

ଇଲେ ହାତ ଧରି,

ବାଜିଲା କାହାଳୀ, ବାଜି-

ଉଠେ ତୁରୀ ଭେରୀ ।

ରାଇଜେ ଆସିଲେ ଦାସେ,

ବାଜିଲା କାହାଳୀ,

କୋଟି-ନାରୀ-କଣ୍ଠୁଁ ଶୁଭେ

ଶୁଭ ହୁଳହୁଳି ।

‘ମଙ୍ଗଳଂ ଭଗବତ୍ ବିଷ୍ଣୁ’

ଦ୍ୱିଜ ମୁଖୁଁ ସ୍ଫୁରେ,

ମୁରାରି ମଙ୍ଗଳ ଘେନି

ଫେରିଲେ ନଗରେ ।

ନଗର ନାଚଇ ହର୍ଷେ

ଉତ୍ସବ ସମ୍ଭାରେ,

କୋଟି ମାତୃନୟନରୁ

ପ୍ରେମେ ଅଶ୍ରୁ ଝରେ ।

ସର୍ବତ୍ର ମଙ୍ଗଳ-ବେଦୀ,

ମଙ୍ଗଳ-ଅର୍ଚ୍ଚନା,

ମୁରାରି ଦାସେ ଲଭନ୍ତି

ମହା ସମ୍ବର୍ଦ୍ଧନା ।

ମାନ-ଅପମାନ କିବା

ଭର୍ତ୍ସନା-ସମ୍ମାନ

ମୁରାରି ସମାନେ ଦେଖେ,

ସଦା ଉଦାସୀନ ।

ରାଜା ବଦଳିଲେ,

ବଦଳିଲେ ପ୍ରଜାଗଣ,

ଦେଖୁ ଦେଖୁ ବଦଳିଲା

ରାଇଜ ଶାସନ ।

ସାଧୁଜନ-ସେବା ଆଉ

ପରଜା-ମଙ୍ଗଳ

ରାଜନ କରିଲେ ବ୍ରତ,

ତହିଁରେ ପାଗଳ ।

ବିଭାତି ଉଠିଲା ରାଜ୍ୟେ

ସଉଭାଗ୍ୟଶିରୀ

ଅପସରିଗଲା ମନ୍ତ୍ରି-

ଛତ୍ରି-ଗୁଣ୍ଡାଗିରି ।

ଲୁଚିଲା ଭୋଗବିଳାସ,

ଫୁଟିଲା ସଂଯମ,

ହସିଲା ଛତିଶଗଡ଼,

ଫିଟିଲା କରମ ।

ମୁରାରି ଦାସରେ କ୍ରମେ

ନାରାୟଣ ବୁଦ୍ଧି

ହେଲା ଲୋକଙ୍କର, ନାମେ

ହେଲା ସର୍ବସଦ୍ଧି ।

ଥିଲେ ଅକସ୍ମାତ ଦାସେ

ଉଭାଇଲେ କାହିଁ ।

ପଡ଼ିଛି ଲୁଗା ଲେଙ୍ଗୁଟି,

ଆଉ ଦେଖାନାହିଁ ।

ଖୋଜାଇଲେ ରାଜା ବହୁ,

ହୋଇଲେ ନିସତ,

ଖୋଜନ୍ତି ରାଇଜ ଲୋକେ,

ଖୋଜୁଛି ଭାରତ ।

Image

 

ପଥର ଭାସିଲା

ପଶ୍ଚିମୋତ୍ତର-ପ୍ରଦେଶେ

ଜମିଦାର-ଘରେ,

ଜନମିଲା କନ୍ୟାରତ୍ନ

ଅତୁଲ୍ୟ ମହୀରେ ।

ଚନ୍ଦ୍ର-ରେଖା ସମ ଜ୍ୟୋତି

ରୂପ ଅପ୍ରତିମ,

ଜନକ ଜନନୀ ଦେଲେ,

ଚନ୍ଦ୍ରଲେଖା ନାମ ।

ଶାନ୍ତି, ସୌମ୍ୟ, ସରଳତା,

ମଧୁର ପ୍ରକୃତି,

ଚନ୍ଦ୍ରକାସୁଲଭ ସ୍ମିତ,

ଚାରୁ ମୁଖ-କାନ୍ତି ।

କୋକିଳ-ମଧୁର-କଣ୍ଠ

ସୁଢ଼ଳ ନୟନ,

ସକଳ ଅନ୍ତରୁ ସ୍ନେହ

କଲା ଆକର୍ଷଣ ।

ପାଞ୍ଚ ଛଅ ବରଷରୁ

କନ୍ୟା ସୁଲୋଚନା,

ଗ୍ରାମବାସୀଙ୍କର ହେଲା

ନିୟତ ଖେଳନା ।

ସାଧୁ ଜଣେ ଆସି ଦିନେ

ଅତିଥି-ସମ୍ଭାରେ,

ରହିଲେ ସାଧୁ ଭକତ

ଜମିଦାର ଘରେ ।

ଆଦରେ ସମ୍ମାନେ ପିତା

ସାଧୁ ଅଭ୍ୟାଗତେ,

ଅର୍ଚ୍ଚନା କରନ୍ତି କନ୍ୟା

ଦେଖଇ ନିରତେ ।

ସ୍ନେହପରାୟଣ ସାଧୁ,

ସଦା ହସ ହସ,

ଦେଖି ଭଳିଯାଏ ଶିଶୁ

ନ ଛାଡ଼ଇ ପାଶ ।

ସ୍ନାନ ସାରି ପୂଜା ସାଧ

କରୁଛନ୍ତି ବସି,

ଚନ୍ଦ୍ରଲେଖା କଉତୁକେ

ପୂଜା ଦେଖେ ରସି ।

ଆଦରେ କହନ୍ତି ସାଧୁ,

‘‘ମାଆ, ବସ ବସ !’

ଶିଶୁପ୍ରାଣେ ଖେଳିଗଲା

ଅପୂର୍ବ ଉଲ୍ଲାସ ।

ଚାରୁ ଶାଳଗ୍ରାମ-ଶିଳା

ଆସନରେ ଥୋଇ,

ପାଦ୍ୟ ଅର୍ଘ୍ୟ ଗନ୍ଧ ପୁଷ୍ପ

ଧୂପ ଦୀପ ଦେଇ ।

ଭୋଗ ଅରପନ୍ତି ସାଧୁ,

ପ୍ରେମେ ଅଶ୍ରୁ ଝରେ,

କମ୍ପ, ସ୍ୱେଦ, ଅଙ୍ଗେ ଅଙ୍ଗେ

ପୁଲକ ସଞ୍ଚରେ ।

ଶେଷରେ ଆଳତି ରଚି

କରନ୍ତି ପ୍ରଣାମ,

ମଧୁର କଣ୍ଠରୁ ମନ୍ତ୍ରେ

ଫୁଟେ ବିଭୁନାମ ।

ପ୍ରେମ, ଭାବ, ପୂଜା ଦେଖି

ଚନ୍ଦ୍ରଲେଖା ଭୋଳା,

କହେ, ‘‘ସାଧୁ ମୋତେ ଏକ

ଶାଳଗ୍ରାମ-ଶିଳା

ଦେଇଯାନ୍ତୁ, ଭକତିରେ

କରାଇବି ସ୍ନାନ,

ପାଦ୍ୟ, ଅର୍ଘ୍ୟ, ମାଳ ଦେବି,

ଲେପିବି ଚନ୍ଦନ

ଧୂପ, ଦୀପ, ଧରି ପ୍ରେମେ

ବାଜାଇବି ଘଣ୍ଟି,

ପୁରୀ, ଲଡ଼ୁ, ରସଗୋଲା

ଦେବି, ଭୋଗ ଖାଣ୍ଟି ।

ଲୁହ ଢାଳି ଭକତିରେ

ଜାଳିବି ଆଳତି,

ଶେଷେ ରଚିବି ପ୍ରଣାମ

ମୁଁ ତ ନିତି ନିତି ।’’

ଅବିକଳ ପୂଜାକ୍ରମ

ଶିଶୁ ରଖେ ମନେ,

ଅପାର ବିସ୍ମୟେ ସାଧୁ

ଚାହାନ୍ତି ବଦନେ ।

ଆଦରେ କହନ୍ତି ହସି,

‘‘ବଡ଼ ହେଲେ ଝିଅ,

ପୂଜିବୁ ଦେବତା ପ୍ରେମେ,

ଢାଳୁଥିବୁ ଲୁହ ।’’

ଚନ୍ଦ୍ରଲେଖା ନୁହେ ତୁଷ୍ଟ,

ଗଡ଼ଇ ଲୋତକ,

ଦେଖି ସାଧୁ ଖୋଜି ଖୋଜି

କୃଷ୍ଣଶିଳା ଏକ ।

ଦେଇ ହାତେ କହନ୍ତି ସେ

‘‘ଏଇ ଭଗବାନ,

ଶିଳାପୁତ୍ର ନାମେ ପୂଜ

କରିଣ ଯତନ ।’’

କେ କହୁ ଆନନ୍ଦ, ଶିଶୁ

ନାଚେ ଶିରେ ଧରି,

ଶିଳାପୁତ୍ର ତାକୁ ସାଧୁ

ଦେଲେ କୃପାକରି !

ଜମିଦାର ଘର କଥା,

କିବା ଅଛି ଊଣା ?

ପିତ୍ତଳ-ଖଟୁଳି ନବ-

ବସ୍ତ୍ର ହେଲା କିଣା ।

ଘଣ୍ଟା ଘଣ୍ଟି ପୂଜା ସଜ

ହୋଇଲା ଯୋଗାଡ଼,

ଝିଅର ଦେବତାଠାରେ

ଦେଖି ଭକ୍ତି ବଡ଼ ।

ଦେହ ମୁଣ୍ଡ ବେକ ସିଧା

କରି କୁଶାସନେ,

ବସେ ଚନ୍ଦ୍ରଲେଖା ଭାବେ

ମୁଦଇ ନୟନେ ।

ଶିଶୁ-ପୂଜା ଦେଖି ଲୋକେ

ବିସ୍ମୟେ ମଗନ,

କହନ୍ତି, ‘‘ଯୋଗିନୀ ଏକ

ନେଇଛି ଜନମ ।’’

ଚନ୍ଦ୍ରଲେଖା ପୂଜେ ଶିଳା-

ପୁତ୍ର ଭଗବାନ,

ଭ୍ରୂକ୍ଷେପ ନ ଥାଏ କାହିଁ,

ତନ୍ମୟ ପରାଣ ।

ପ୍ରେମାଶ୍ରୁ ବହଇ ନେତ୍ରୁଁ,

ଅଙ୍ଗରେ ପୁଲକ,

ବଳିଲା ଶିଷ୍ୟା ଗୁରୁରେ,

‘ଧନ୍ୟ’ କଲେ ଲୋକ ।

କାଳ ରହେ ନାହିଁ, ବହି-

ଯାଏ ସୁଅ ସରି,

ବାଳିକା ବଢ଼ିଲା, ହେଲା

ବାହା ହେବା ଭଳି ।

କନ୍ୟା ପାଇଁ ପିତା ଯୋଗ୍ୟ

ପାତ୍ର କଲେ ସ୍ଥିର,

ଶୁଭ ଲଗ୍ନେ ପହଞ୍ଚିଲେ,

ବରଯାତ୍ରୀ ବର ।

ବାଜିଲା ମଙ୍ଗଳ-ବାଦ୍ୟ,

ଶୁଭେ ହୁଳୁଧ୍ୱନି,

ବଡ଼ବଡ଼େ ବାହାଘର

କମ୍ପଇ ଧରଣୀ ।

ବହୁ ଆଡ଼ମ୍ବରେ ଦ୍ୱିଜେ

ବେଦମନ୍ତ୍ର ବୋଲି,

ବାନ୍ଧିଲେ ଦୁଇଟି ପ୍ରାଣ

ସୁଆଶିଷ ଢାଳି ।

ସ୍ୱର୍ଣ୍ଣ ରତ୍ନ ଅଳଂକାର

ପାଟ ପୀତାମ୍ବରୀ,

ଥୁଆ ହେଲା ଯଉତୁକ

ପେଡ଼ି ପେଡ଼ି ଭରି ।

ଲୁହ ଢାଳି ପିତା-ମାତା

ରଚିଲେ ବିଦାୟ,

ଛାଡ଼ନ୍ତି ଆଦର ଧନ,

ପରାଣ ଅଥୟ ।

ଆଗରେ ଥାପିଣ ଶିଳା-

ପୁତ୍ର ଭଗବାନ,

ପାଲିଙ୍କିରେ ଚନ୍ଦ୍ରଲେଖା

କରେ ଆରୋହଣ ।

ପାଲଙ୍କିରେ ଛାଡ଼ିଲା ଗ୍ରାମ

କନ୍ୟା ବସେ ଭାଳି,

‘ପିତା ମାତା ଜନ୍ମଭୂମି,

ସତେ କି ଛାଡ଼ିଲି !

ଲୋକମୁଖେ ଶୁଣେଁ,

ପତି ଶ୍ରୀହରି-ବିମୁଖ,

ତେବେ ଆଉ ଜୀବନରେ

ରହିବ କି ସୁଖ ?’

ବାଟରେ ପଡ଼ିଲା ନଈ

ବରଯାତ୍ରୀ ଦଳ,

ପାଲିଙ୍କି ଥାକିଲେ ବିଶ୍ର-

ମିଲେ କିଛି କାଳ।

ଚନ୍ଦ୍ର ଲେଖା ପତି ଭାବେ,

‘‘ଏହି ଅବସରେ,

ପତ୍ନୀମୁଖ ଦେଖି କ୍ଷଣେ

ପ୍ରେମାଳାପ କରେ ।’’

ପତ୍ନୀ ଦେଖେ ପତି, କହେ

ଲୋତକ ଗଡ଼ାଇ,

‘‘ଲୋକମୁଖେ ଏ କି କଥା

ଶ୍ରବଣେ ଶୁଣଇ ।

ପ୍ରାଣନାଥ ! ତୁମ ପ୍ରାଣେ

ଶ୍ରୀହରି-ଭକତି !

ନାହିଁ ସତେ ! ଅନ୍ତର ମୋ

ହୁଅଇ କରତି !

ଯୋଡ଼ହାତେ ଶ୍ରୀଚରଣେ

କରୁଛି ପ୍ରାର୍ଥନା,

ଶ୍ରୀହରିରେ ପ୍ରେମକର,

କରିବେ କରୁଣା ।

ତାଙ୍କରି କରୁଣା ସିନା

ଫଳଇ ନିରତେ,

ସୁଖ-ସଉଭାଗ୍ୟ ବୋଲି

ଯେତେ ଏ ଜଗତେ ।

ସକଳ କଲ୍ୟାଣ-ଗୁଣ-

ଅନନ୍ତ-ଭଣ୍ଡାର,

ଆନନ୍ଦର ନିକେତନ

ପ୍ରିୟତମ ମୋର ।

କର ପ୍ରେମ, ପ୍ରେମମୟ

ଦେବେ ପ୍ରତିଦାନ,

ସର୍ବତ୍ର ବିଜୟୀ ହେବ,

ହେବ ପୂର୍ଣ୍ଣକାମ ।

ଆଉ ଏ ଅନ୍ତରେ ଦେବ

ସାଧୁ-ସ୍ରୋତ ଢାଳି,

ଯୁଗଳ ଚରଣ ହେବ

ପରାଣସଂଖାଳି ।’’

ଶତବାଣ ବିଦ୍ଧହେଲା

ନାସ୍ତିକ ପରାଣେ,

ରକ୍ତନେତ୍ରେ ପତି ଚାହେଁ

ପତ୍ନୀର ବଦନେ ।

ରାଗେ ଓଷ୍ଠ ଚାପେ, ନିଏ

ଦିଅଁ ପେଡ଼ି ଟାଣି,

ଫିଙ୍ଗି ନଦୀ-ପ୍ରବାହରେ

ଭସାଏ ସେକ୍ଷଣି ।

ହୃଦୟହୀନ ଏ କାଣ୍ଡ

ଦେଖି ପତିଙ୍କର,

ସହି ନ ପାରିଲା ବାଳା

ଅତି ହିଁ କାତର ।

ହୃଦୟ ବିଦୀର୍ଣ୍ଣ ହୁଏ,

କାନ୍ଦେ ଉଚ୍ଚ ରୋଳେ,

ସେ କରୁଣ କ୍ରନ୍ଦନରେ

ପ୍ରସ୍ତର ତରଳେ ।

ପତି, ବରଯାନ୍ତ୍ରୀ ଦେଲେ

ନାନା ଆଶ୍ୱାସନା,

ଚନ୍ଦ୍ରଲେଖାର କ୍ରନ୍ଦନ

ନ ହୋଇଣ ଊଣା ।

କୋମଳ ହୃଦୟେ ତାର

କି ଗୁରୁ ଆଘାତ !

ପ୍ରେମର ଆଶ୍ରୟ-ତରୁ

ହୋଇଛି ନିପାତ ।

ପରାଣର ଥିଲା ଯେହୁ

ଅତି ପ୍ରିୟଧନ,

ନଦୀ ମଧ୍ୟେ ପ୍ରବାହେ ସେ

ଯାଏ ବିସର୍ଜିଣ !

ପ୍ରବୋଧ ନ ମାନେ ପ୍ରାଣ

କରଇ ରୋଦନ

କାନ୍ଦି କାନ୍ଦି ଯାଏ ବାଳା

ଶ୍ୱଶୁର ଭବନ ।

ଚନ୍ଦ୍ରଲେଖା-ହୃଦନିଧି

ହୋଇଗଲେ ଦୂର,

ଶୂନ୍ୟ, ମହାଶୂନ୍ୟ ଦିଶେ

ନୟନେ ସଂସାର ।

ସ୍ନେହର ଯେ ପିତା ମାତା,

ସ୍ନେହମୟ ଘର,

ସୁଖମୟ ଜନ୍ମଭୂମି,

ବିଭବ-ସମ୍ଭାର,

ସ୍ନେହମୟ ଗ୍ରାମବାସୀ,

ସ୍ନେହୀ ପରିଜନ,

ପ୍ରାଣରୁ ଅଧିକ କରି

ଗଢ଼ିଲେ ଜୀବନ,

ସକଳ ବରଜି ବାଳା

ଭାବିଥିଲା ମନେ,

ସହିବ ସଂସାର ଦାଉ

ଘେନି ଭଗବାନେ ।

ଶିଶୁକାଳୁ ପୂଜି ପ୍ରେମେ

କଲା ଆପଣାର,

ପ୍ରାଣ ଦେଲା ଢାଳି, ବାଳା

ଭୁଲିଲା ସଂସାର ।

‘ସେ ପ୍ରଭୁ କି ପ୍ରାଣଶୂନ୍ୟ

କରି ଗଲେ ଚାଲି !’

ହୃଦୟ ଫାଟଇ ଭାବି

ଛାଡ଼ଇ ବୋବାଳି ।

ଆଉ କାରେ ନେଇ ବାଳା

ବାନ୍ଧିବ ଜୀବନ ?

ପତି ଯଦି ଶତ୍ରୁ ହେଲେ,

ଶ୍ରେୟ ହିଁ ମରଣ ।

ପ୍ରେମ-ଭକତିର ଲୀଳା

କି ବୁଝନ୍ତେ ନାରୀ ?

ଭାବିଲେ, ‘‘ନବବଧୂର

ଗଡ଼େ ଅଶ୍ରୁବାରି ।

ପ୍ରେମମୟ ହୃଦତନ୍ତ୍ରୀ,

ପ୍ରଣୟ-ବନ୍ଧନ,

ଯାଇଛି ଛିଡ଼ି କାହୁଁ ତା

କମିବ କ୍ରନ୍ଦନ ?

ଅଷ୍ଟପହର ନିରତ

ବହେ ଅଶ୍ରୁଧାର,

ବୁଡ଼ିଗଲା ପରିଧେୟ,

ଭାସେ ଘରଦ୍ୱାର ।

ଖିଆ ନାହିଁ, ଶୁଆ ନାହିଁ,

ନାହିଁ ସ୍ନାନ-ପାନ,

ଏଥିରେ ବା କେତେ ଦିନ

ରହିବ ଜୀବନ ?

ପ୍ରଫୁଲ୍ଲ ସରୋଜ ସରି

ମୁଖ ଶୋହୁଥିଲା,

ରୂପ ଗଲା, ଦେହ ଗଲା,

ଶୀରି ମଉଳିଲା ।

ପୁତ୍ର ମୁଖୁଁ ଶୁଣେ ମାତା

ସକଳ ଘଟଣା,

ବୋହୁକୁ ବୁଝାନ୍ତି ଶାଶୁ

ଦେଇ ପ୍ରବୋଧନା ।

ବୋହୁ କହେ, ‘‘ମାତା, ପ୍ରାଣେ

ନାହିଁ ଆଉ ଆଶା,

ରଖିପାରିବି ପରାଣ,

ଫେରିବ ସୁଦଶା ।

ଶିଶୁକାଳୁଁ ଏ ଜୀବନ

ଭଗବାନ ସଙ୍ଗେ,

ମହାପ୍ରେମେ ବାନ୍ଧିଥିଲି,

ବାଳକ୍ରୀଡ଼ା ରଙ୍ଗେ ।

ସେ ପ୍ରାଣ ତ ଆଉ ମାତା

ନ ପାରେ ଫେରାଇ,

ନ ମିଳିଲେ ଭଗବାନ,

ରକ୍ଷା ମୋର ନାହିଁ ।

ପତି ଭାବେ, ‘‘ନରାଧମ !

କେଡ଼େ କାମ କଲି,

ବିବାହ-ବେଦୀରେ ଧର୍ମ-

ପତ୍ନୀ ବିନାଶିଲି !

ବଞ୍ଚିଥାନ୍ତା ବାଳାମଣି,

ମଣ୍ଡିଥାନ୍ତା ଘର,

ମାତାରୂପେ ସୁତସୁତା

କରିଥାନ୍ତା କୋଳ ।

କରିଥାନ୍ତା ଘର ମୋର

ବଇକୁଣ୍ଠ ପୁରୀ,

ଅନ୍ତରରୁ ଶୁଦ୍ଧପ୍ରେମ

ବିଭୁଭକ୍ତି ଢାଳି ।’’

ମାତା ପୁତ୍ର ଦୁଇ ମିଳି

କଲେକ ବିଚାର,

ବୋହୁକୁ ନେଇଣ ଯିବେ

ସେଇ ନଦୀ ତୀର ।

ଭଗବାନଙ୍କର ଅବା

ଦୟା ହେବ ତିଳେ,

ଭାଗ୍ୟକୁ ବୋହୁର ଅବା

ଦିଅଁ ପେଡ଼ି ମିଳେ ।

ପତି ସଙ୍ଗେ ଚନ୍ଦ୍ରଲେଖା

ସବାରିରେ ବସି,

ପହଞ୍ଚିଲା ନଦୀ ତୀରେ

କିଛି ପରେ ଆସି ।

ପତି କହେ, ‘‘କହ ପ୍ରିୟେ !

କି ଅଛି ଉପାୟ,

ଆସିଲି ତ ନଦୀକୂଳେ,

ଦିଅଁ ପେଡ଼ି ଥୟ-

କରିବା କିପରି ? ଯହିଁ

ଦେଲି ମୁଁ ଫୋପାଡ଼ି,

ସେଠି ତ ଅଗାଧ ଜଳ,

ଖୋଜିବ କେ ବୁଡ଼ି ?

ପୁଣି ନଦୀର ପ୍ରବଳ

ସ୍ରୋତେ ହୋଇ ଦୂର,

କାହିଁ ପଡ଼ିଥିବ ପେଡ଼ି

କି ଅଛି ତା ସ୍ଥିର ?

ତୋ ହୃଦ ନ ବୁଝି ମୂଢ଼ !

କେଡ଼େ କର୍ମ କଲି,

ହାତ ଧରି ମାଗେ କ୍ଷମା,

ଯାଅ ସବୁ ଭୁଲି ।

ପତିଙ୍କ କୋମଳ ସ୍ନେହେ

କୋହ ଉଠେ ଜଳି,

ଅତି ଉଚ୍ଚେ ଚନ୍ଦ୍ର ଲେଖା

ଛାଡ଼ିଲା ବୋବାଳି ।

ପରେ ସେ ସାହାସ ବାନ୍ଧି

ଚିନ୍ତଇ ଉପାୟ,

ସର୍ବମୟଙ୍କ ଚରଣେ

ନେଲା ସେ ଆଶ୍ରୟ ।

ଅନାହାରେ ନୁହେ ଉଠି,

ବସେ ସ୍ଥିରାସନେ,

କାୟା ଶିର ସମ କରି,

ବୁଡ଼େ ଘୋର ଧ୍ୟାନେ ।

ପ୍ରେମାଶ୍ରୁ ଗଡ଼ାଇ ଗଣ୍ଡେ

କରଇ ପ୍ରାର୍ଥନା,

‘‘ଦେବ କି ବରଜି ପ୍ରଭୁ,

ନ ହେବ କରୁଣା !’’

ଭକତବତ୍ସଳ ପ୍ରଭୁ

ଭୃତ୍ୟାର୍ତ୍ତି-କାତର,

ନିଷ୍କାମ ଲୋତକ-ବିନ୍ଦୁ

ଅସହ୍ୟ ତାଙ୍କର ।

କାନ୍ଦି କାନ୍ଦି ବାଳା ଆଖି

ଗଲାଣି ତ ଫୁଲି,

କେତେ କାଳ ଦୀନବନ୍ଧୁ

ହୁଅନ୍ତେ ସମ୍ଭାଳି ?

ଦେଖୁଛନ୍ତି ଲୋକେ ଫୁଲି-

ଉଠେ ନଦୀଜଳ,

ଦିଅଁ ପେଡ଼ି ଭାସେ ରଙ୍ଗେ,

ଭାସି ଧରେ କୂଳ ।

ଫିଙ୍ଗଇ ତରଙ୍ଗ ପେଡ଼ି

ଚନ୍ଦ୍ରଲେଖା ପାଶେ,

ପ୍ରଭୁ ଖସିଣ ଲାଖନ୍ତି

ବାଳା ବକ୍ଷଦେଶେ !

ଚନ୍ଦ୍ରଲେଖା ପ୍ରେମେ ଧରେ

ବକ୍ଷେ ପ୍ରଭୁ ଜାକି,

ଝରେ ଅଶ୍ରୁଧାରା, ଅଙ୍ଗ

ଉଠଇ ପୁଲକି ।

ପ୍ରେମରେ ଚୁମ୍ବନ ଦିଏ,

ପ୍ରଭୁ ଶିରେ ଧରେ,

ଜନ୍ମ-ଜନ୍ମାନ୍ତର-କଷ୍ଟ

ଉଭାଇଲା ଖରେ ।

ନାସ୍ତିକ ପତିର ପ୍ରାଣ

ପଡ଼ିଲା ତରଳି,

କ୍ଷମା ମାଗେ ପ୍ରଭୁ ପାଦେ

କ୍ଷୋଭେ ଅଶ୍ରୁ ଢାଳି ।

ଚନ୍ଦ୍ରଲେଖା ପତିଠାରେ

ବିଭୁ କୃପା ହେଲା,

ଅନ୍ତରେ ସଞ୍ଚରେ ଭକ୍ତି

ଦୁର୍ଲଭା ଅଚଳା ।

ଶାଶୁ ନଣନ୍ଦ ତ ଗଲେ

ଭକ୍ତିରେ ତରଳି,

ଗ୍ରାମ ସାରା ଖେଳେ ପ୍ରେମ-

ପିୟୂଷ-ଲହରୀ ।

ଶ୍ୱଶୁର-କୁଳର ଯେତେ

ଯେତେ ନରନାରୀ,

ଭକ୍ତି ସଙ୍ଗ ଲଭି ଭବୁଁ

ହେଳେ ଗଲେ ତରି ।

ପ୍ରଭୁ ! ଏ ପ୍ରେମର ଲୀଳା,

ସରଳ ବିଶ୍ୱାସ,

ପୂରିଥିଲା ଘରେ ଘରେ,

ହସୁଥିଲା ଦେଶ ।

ଆଉ ତ ନ ଦେଖେ ଆଖି

ଖୋଜିଲେ ସଂସାର,

ପ୍ରେମଶୂନ୍ୟ ପରାଣ ଯେ

ଶ୍ମଶାନରୁ ଘୋର !

ଢାଳ କୃପା ପ୍ରେମେ ପଡ଼ୁ

ଅନ୍ତର ତରଳି,

ତୋର ଭକ୍ତି-ପ୍ରେମେ ଶୋହୁ

ଦେଶ ବନମାଳି !

Image

 

ବିଭୁଙ୍କର ବାରିକପଣ

ବାନ୍ଧବଗଡ଼ ଧନିକ-

ଲକ୍ଷପତି-ଘର,

ବଧେଲଖଣ୍ଡ ମଧ୍ୟରେ

ପ୍ରସିଦ୍ଧ ନଗର ।

ସେ ରାଇଜେ ବୀରସିଂହ

କରନ୍ତି ରାଜୁତି,

ଧାର୍ମିକ, ପ୍ରଜାବତ୍ସଳ,

ସଦାଶୟ ଅତି ।

ଚାରୁ ଅଟ୍ଟାଳିକାମାଳେ

ନଗର ଶୋଭିତ,

ସୁପ୍ରଶସ୍ତ ରାଜପଥ

ମଧ୍ୟେ ବିରାଜିତ ।

କେତେ ରମ୍ୟ ଉପବନ

ସ୍ୱଚ୍ଛନୀରା ସର,

ଗୀତଗୃହ, ଦେବାଳୟ

ରାଜଇ ରୁଚିର ।

ଏକ ଦିଗେ ରହିଛନ୍ତି

ସାଧୁ ଶିଷ୍ଟଜନ,

ଅନ୍ୟଦିଗେ ଶ୍ରମଜୀବୀ

ସେବାୟତଗଣ ।

ଚତୁର୍ଦ୍ଦିଗେ ପ୍ରସାରିତ

ବିଲ, ବନ, ମାଳ,

ପ୍ରାକୃତିକ ଅଭିରାମ

ଦୃଶ୍ୟ ଢଳ ଢଳ ।

ମଧ୍ୟେ ନୃପତି ଉଆସ

ଦିଶେ କି ସୁନ୍ଦର,

ଟେକିଛି ସମୁଚ୍ଚ ଶିର,

ଶିଳ୍ପେ ମନୋହର ।

ନଗର ପ୍ରାନ୍ତରେ ରହେ

ବିରଚି କୁଟୀର,

କ୍ଷୌରକାର ସେନ ଧୀର,

ବିନୟୀ, ଉଦାର ।

ଭକତପ୍ରଧାନ ସେହୁ

ସଦା ତୁଷ୍ଟମନା,

ଉଆସରେ କରେ ସେବା

ନୃପତି-ଅର୍ଚ୍ଚନା ।

କ୍ଷୌରକର୍ମ, ଅଙ୍ଗ-ସେବା,

ତୈଳ-ମରଦନ,

କିଛି ନା କିଛି, ରାଜାଙ୍କ

ଥାଏ ପ୍ରତିଦିନ ।

ରାଜସେବା ସାରି ଆନେ

ସେବେ ଶକ୍ତିମତେ,

ମିଷ୍ଟ-ବ୍ୟବହାରେ ତୁଷ୍ଟ

ତାଠାରେ ସମସ୍ତେ ।

ସର୍ବଘଟେ ନାରାୟଣ

ବୁଝେ କ୍ଷୌରକାର,

ସେବା ତାର ବ୍ରତ, ଆୟେ

ନ ଥାଏ ନଜର ।

ଦିନ ସାରା ଖଟେ ସୁଖେ,

ଯାହା ମିଳେ ଧନ,

ଭାବଇ ସନ୍ତୋଷ-ମନେ,

ଦେଲେ ଭଗବାନ ।

କୁଟୁମ୍ବ ପୋଷଇ ସୁଖେ,

ଅଭାବ ନ ଜାଣେ,

ସାଧୁ ଅଭ୍ୟାଗତ ଘରୁ

ନ ଫେରଇ ଜଣେ ।

ଭଗବାନେ ସଦା ରତି,

ଭଜନ-କୀର୍ତ୍ତନ

ହେଲେ ପ୍ରାଣ ନାଚେ, ମଣେ

ସାର୍ଥକ ଜୀବନ ।

‘ବାରିକ ଘରରେ ସେନ

ଜନମିଛୁ ମଣି’,

ପ୍ରଶଂସି କହନ୍ତି ଲୋକେ

ତା ଗୁଣ ବଖାଣି ।

ପ୍ରାତଃକାଳୁ ସ୍ନାନ, ଧ୍ୟାନ,

ସ୍ମରଣ, ଭଜନ,

ଭଗବାନ ପୂଜା ସାରି

ବାହାରଇ ସେନ ।

ନୃପସେବା, ନରସେବା

ସରୁ ସରୁ ତାର,

ବେଳ ଗଡ଼ି ହୁଏ ନିତି

ଦିନ ଦିପହର ।

ଦିନେ ବାହାରୁଛି ଘରୁ

ସାରି ପୂଜା-ନୀତି,

କୀର୍ତ୍ତନ-ମଧୁର-ଧ୍ୱନି

ଶୁଣେ ତାର ଶ୍ରୁତି ।

ପଡ଼ିଲେ ଆଖିରେ ସାଧୁ-

ଭକତମଣ୍ଡଳୀ,

ଗୃହ-ଅଭିମୁଖେ ତାର

ଆସୁଛନ୍ତି ଚଳି ।

ସନ୍ଥଜନ-ସମାଗମେ

ନାଚିଲା ଅନ୍ତର,

ପ୍ରେମେ ପଦଧୂଳି ନିଏ,

କରଇ ଆଦର ।

ପାଦ ଧୋଇଦିଏ ହାତେ,

ଅରପେ ଆସନ,

ସେବାପୂଜା କରେ, ପ୍ରେମେ

ଶୁଣେ ବିଭୁ ଗୁଣ ।

ପ୍ରେମେ ଭୋଳା ହେଲା ସେନ,

ଭୁଲିଲା ସଂସାର,

ଉଆସେ ତା ରାଜସେବା

ହୋଇଲା ପାସୋର ।

ତେଣେ ରାଜା ବୀରସିଂହ

ନ ଦେଖନ୍ତି ସେନ,

ହେଲା ସ୍ନାନବେଳ ହେବେ

ତୈଳ-ମରଦନ ।

ରାଜାରେ ଏ ଅବହେଳା

ନ ହୁଏ ସୁନ୍ଦର,

ନୃପତି ବିରକ୍ତ ହେଲେ

ନ ରହିବ ଶିର ।

ଭକତବତ୍ସଳ ବିଭୁ

ଭକ୍ତଭାବେ ଭୋଳା,

ବିଚାରିଲେ ସୁଧାରିବେ

ସେନ ଅବହେଳା ।

ଅଦଭୁତେ ପ୍ରଭୁ ଧରି

ବାରିକର ବେଶ,

ସେନ ରୂପେ ଉଆସରେ

ହେଲେ ପରବେଶ ।

କାଖେ ଧରି ଖୁରମୁଠି

ଦର୍ପଣ ପାନିଆଁ,

ମୁଖେ ଶାନ୍ତ ମୃଦୁ ହସ,

ପାଖେ ହେଲେ ଠିଆ ।

ବୀରସିଂହ ନିରେଖନ୍ତି

ଅପୂର୍ବ ମୂରତି,

ଅପୂର୍ବ ବଦନଠାଣି

ଖେଳିଯାଏ ଜ୍ୟୋତି ।

ସେନ ତ ଏ ! ନିରେଖନ୍ତି,

ସବୁ ଲାଗେ ନୂଆ !

ମର୍ଦ୍ଦନ କରିବେ ତାଙ୍କୁ,

ତେଲହାତେ ଠିଆ !

ଶିରରେ ଢାଳିଲେ ତେଲ,

ଛୁଇଁଲେ ଶରୀର,

ସମ୍ମୁଖରେ ଥାପିଦେଲେ

ମୁକୁର ସୁନ୍ଦର ।

ଅନ୍ତରେ ବିଦ୍ୟୁତ ଖେଳେ

ଉଲ୍ଲସେ ପରାଣ,

କି ମୋହନ ସୁଖ ଦିଏ

ତୈଳ-ମରଦନ !

ବିଚିତ୍ର ଟାକରାଫୁଟା,

ବିଚିତ୍ର ସେ ହସ,

ବିଚିତ୍ର ସେ ଘଷାମଜା

ଗଲା ଚିରପ୍ରାସ !

ସେବା ଘଷାମଜା ସାରି

ପ୍ରଭୁ ଗଲେ ଚଳି,

ସେନ ନୁହେ, ଦିବ୍ୟପ୍ରାଣୀ,

ରାଜା ମନେ ଭାଳି ।

ସାଧୁଦଳ ଗଲେ ଚାଲି

ପଡ଼େ ସେନ ମନେ,

ରାଜାଘର ସେବାକଥା,

ଚଳିଲା ତକ୍ଷଣେ ।

ରାଜପଥେ ଯାଏ ଚଳି,

ମନେ ବଡ଼ ଭୀତି,

ବେଳ ତ ଗଲାଣି ଗଡ଼ି

ରାଗିବେ ନୃପତି ।

ବିଷନ୍ନ ବଦନେ ଚାଲେ,

ପାଦ ନୁହେଁ ସ୍ଥିର,

ଫେରିବା ବେଳ ହେଲାଣି

ଯାଏ ରାଜପୁର ।

ପୁର-ଚପରାଶି ପୁଚ୍ଛେ

‘କିସ ଛାଡ଼ିଗଲୁ ?

ଯାଉ ଯାଉ ପୁଣି କିଆଁ

ପୁରକୁ ଫେରିଲୁ !’

ସେନ - ନାହିଁ ବାବୁ ! ଡେରିହେଲା,

ଯାଇ ନାହିଁ ପୁରେ,

ରାଗିବେଣି ରାଜା, ମହା-

ଭୟେ ଦେହ ଥରେ ।

ଆଉ କିଛି କହ ନାହିଁ

ଯାଏ ମୁଁ ଚଞ୍ଚଳ,

ମୋ ଘେନି ରାଜନଗରେ

ହେବଣି ତ ଗୋଳ ।

ଚପରାଶି-ଛାଡ଼ି ନାହୁଁ ସିନା କିଛି,

ସ୍ଥିର ନାହିଁ ମନ,

ଭଗବାନ ଭକତ ତୁ

ସାଧାସିଧା ଜନ ।

ଆଜି ତୋ ସେବାରେ ଅତି

ତୁଷ୍ଟ ନରପତି,

ରାଜାମୁଖୁଁ ଖେଳେ ପୁରେ

ତୋର ଗୁଣ ସ୍ତୁତି ।

‘‘ଆଚ୍ଛା କଥା’’ ଭାବେ ସେନ,

‘‘କିଏ ସେବା କଲେ ?

ମୋ ଘେନି କି ମହାପ୍ରଭୁ

ବାରିକ ସାଜିଲେ !

କ୍ଷୁରମୁଠି ଜାକି, ଧରି

ପାନିଆଁ ଦର୍ପଣ,

କ୍ଷୌରକର୍ମେ ରସି କଲେ

ଲୀଳା-ବିରଚନ !

ଧିକ ମୁଁ ନ ମଲି କିଆଁ

ଦଣ୍ଡିଲି ପ୍ରଭୁରେ !

ତୁଚ୍ଛ ସେବା ବିରଚିଲେ,

ନିଜେ ଶ୍ରୀହସ୍ତରେ !

ବ୍ରହ୍ମାଣ୍ଡ ଗୋସାଇଁ ସେ ତ

ସର୍ଜନ, ପ୍ରଳୟ,

ଇଚ୍ଛାରେ ବିରଚେ, ତାର

ଅଛି କାରେ ଭୟ ?

ଛାର ନରସେବା କଲେ

ନିଜେ ନାରାୟଣ !

ଧନ୍ୟ ରାଜା ! ଭାଗ୍ୟ ତୋର

ପାଇଲୁ ଦର୍ଶନ !’’

ଶ୍ରୀହସ୍ତ ପରଶେ ବୀର-

ସିଂହ ପ୍ରୀତମନ,

ଜନ୍ମଜନ୍ମାନ୍ତର ତାପ

ହୋଇଲା ଖଣ୍ଡନ ।

ଅନ୍ତରେ ଖେଳଇ କାହୁଁ

ପୀୟୁଷ-ନିର୍ଝର,

ପରାଣେ ଅପାର ଶାନ୍ତି,

ସନ୍ତୋଷ-ମଧୁର ।

‘‘ମୁହୂର୍ତ୍ତକେ କାହୁଁ ହେଲା

ଏ ପରିବର୍ତ୍ତନ-

ଜୀବନ ସମ୍ଭୋଗମୟ ?’’

ଭାବନ୍ତି ରାଜନ ।

‘‘ଆସୁଛି କି ସେନ ?’’ କହି

ହେଲେ ଉନମତ୍ତ,

ବିନୟେ ସତ୍କାର କରି

ଘେନନ୍ତି ଭକତ ।

ଅପାର ସଂକୋଚେ ସେନ

ବିଳମ୍ବ କାରଣ,

କହେ, ‘‘କାହୁଁ ମିଳିଗଲେ

ଆସି ସାଧୁଗଣ ।

ତାଙ୍କ ସେବା ସତ୍କାରରେ

ହୋଇଲା ଉଛୁର,

କ୍ଷମ କ୍ଷମ ଭୃତ୍ୟ ଦୋଷ

ନୃପତିଶେଖର ।’’

ନୃପତି ବୁଝିଲେ ସବୁ

ଭାବେ ଆତ୍ମହରା;

ସେନ-ନୃପ କୁଣ୍ଢାକୁଣ୍ଢି,

ନେତ୍ରେ ଅଶ୍ରୁଧାରା ।

କହନ୍ତି, ‘‘କଲୁ ରେ ସେନ

ଧନ୍ୟ ଏ ଜୀବନ !

ତୋ ଘେନି ଦେଖିଲି ନେତ୍ରେ

ବଇକୁଣ୍ଠ ଧନ !’’

ନୃପତି ଧରନ୍ତି ପ୍ରେମେ

ନାପିତ ଚରଣ,

ଧୂଳି ଶିରେ ଧରି ହର୍ଷେ

ଭାଷନ୍ତି ବଚନ-

‘‘ଆଜି ନୁହେ, କାଳ କାଳ

ଏ ବଂଶ-ସନ୍ତାନେ,

ପୂଜୁଥିବେ କରି ଗୁରୁ

ତୋ କୁଳନନ୍ଦନେ ।

ରାଜଗୁରୁ-ରୂପେ ପାଇ

ଭକତି-ସମ୍ମାନ,

କରନ୍ତୁ ତୋ ପୁତ୍ର ପୌତ୍ର

ଏ ଭୂମି ମଣ୍ଡନ ।’’

ମହାଭାବେ ଭୋଳା ସେନ,

ଗଣ୍ଡେ ଅଶ୍ରୁ ଝରେ,

ଅନ୍ତରେ ବିଦ୍ୟୁତ ଖେଳେ

ଭାବେ ଅଙ୍ଗ ଥରେ ।

ଅଙ୍ଗେ ଅଙ୍ଗେ ଖେଳିଯାଏ

ଅପୂର୍ବ ମାଧୁରୀ,

ଦିଶେ ଫୁଟି ଦିବ୍ୟରୂପ

ତା ଅନ୍ତରଭରି ।

ଅନ୍ତରୁ ଝଟକି ଜ୍ୟୋତି

ବାହାରେ ଚହଟେ,

ସେନ ଚତୁର୍ଦ୍ଦିଗେ ଜ୍ୟୋତି

ବଳୟ ପ୍ରକଟେ ।

ସମାଧିସ୍ଥ ରହେ ସେନ,

ନୃପତି ଚକିତ,

ଦେଖି ଜ୍ୟୋତିର୍ମୟ ବେଶେ

ଶ୍ରୀହରି-ଭକତ ।

ସମାଧି ଭାଜଇ, ସେନ

ଫିଟାଇ ନୟନ,

ପାଟ ପୀତାମ୍ବରୀ ଥୋଇ

ପୂଜନ୍ତି ରାଜନ ।

ଶ୍ରୀହସ୍ତରେ ବାନ୍ଧିଦେଲେ

ରାଜଗୁରୁ ଶାଢ଼ୀ,

ଧନରତ୍ନ ଉପହାର

ପ୍ରେମେ ଦେଲେ ବାଢ଼ି ।

ବାନ୍ଧବଗଡ଼ ନାପିତ

ପଦରେଣୁ ଧରି,

ଭାରତେ ବାନ୍ଧବ ଘର,

ସାଧୁଭକ୍ତ ବରି ।

ଧନ୍ୟ ପତିତପାବନ

ଧନ୍ୟ ତୋର ଲୀଳା !

ଭକ୍ତ ପାଇଁ ରଚୁ ରଙ୍ଗେ

କେତେ ନୂଆ ଖେଳା !

ଇଚ୍ଛାରେ କୋଟିବ୍ରହ୍ମାଣ୍ଡ

କରୁ ଆତଯାତ,

ନୀଚକୁ ସମୁଚ୍ଚ କରୁ,

ମୂକକୁ ପଣ୍ଡିତ ।

ହୃଦେ ଦିବ୍ୟ ଜ୍ୟୋତିର୍ଜାଳ,

ପାଦେ ଦିଅ ସ୍ଥାନ,

ଚକ୍ଷୁ ଥାଇ ଅନ୍ଧ, ଦିଅ

ଦିବ୍ୟ ଦରଶନ ।

Image

 

ଶ୍ରୀଅଙ୍ଗରେ ଚିର ଜୀବନ୍ତ କ୍ଷତ

ଦ୍ୱାରକା ସହରୁ ହେବ

ବାଟ ସାତ କୋଶ,

ଡାକୋର ଗ୍ରାମର ରହେ

ସାଧୁ ରାମଦାସ ।

ଦ୍ୱାରକାରେ ‘ରଣଛାଡ଼’

ପ୍ରତ୍ୟକ୍ଷ ଦେବତା,

ବଡ଼ ସମାରୋହେ ହୁଏ

ଏକାଦଶୀ ଯାତ୍ରା ।

ସଂକୀର୍ତ୍ତନ, ଜାଗରଣ

କରି ଦରଶନ,

ପ୍ରତି ଏକାଦଶୀ ରାମ-

ଦାସ ତୃପ୍ତମନ ।

ତା ଭକ୍ତିରେ ରଣଛାଡ଼

ହୋଇ ପରସନ୍ନ,

କହନ୍ତି ଭକତେ, ‘‘ବୃଦ୍ଧ

ଶୁଣ ମୋ ବଚନ ।

ସାତ କୋଶ ଆସି ଯାଇ

ଭୋଗୁ କଷ୍ଟ ଯେତେ,

ପ୍ରତି ଏକାଦଶୀ, ସହ୍ୟ

ହେଉନାହିଁ ମୋତେ ।’’

ପ୍ରଭୁଙ୍କର ଦିବ୍ୟରୂପ

କରି ଦରଶନ,

ଜଳଜଳ ଚାହେଁ ଭକ୍ତ,

ଲୁପ୍ତ ବାହ୍ୟଜ୍ଞାନ ।

ବିଭୁଙ୍କର କଥା ଲବେ

ନ ବାଜଇ କାନେ,

ମାଧୁରୀରେ ମଗ୍ନ ମନ,

ଭାଗ୍ୟ ଧନ୍ୟ ମଣେ ।

ପ୍ରେମେ ଅଶ୍ରୁଝରେ, ଅଙ୍ଗେ

ପୁଲକ ସଞ୍ଚରେ,

ପ୍ରଭୁ-ଅନ୍ତର୍ଦ୍ଧାନେ ଘୋର

ବିରହରେ ଜଳେ ।

ସମସ୍ତ ନଶ୍ୱର ସୁଖେ

ଦେଇ ଜଳାଞ୍ଜଳି,

ପ୍ରଭୁସେବା ସାର କଲା,

ଦେଲା ପ୍ରାଣଢ଼ାଳି ।

ନିଷ୍ଠା ବଢ଼ିଗଲା, ଆସେ

ପ୍ରତି ଏକାଦଶୀ,

ଜାଗରଣ ସଂକୀର୍ତ୍ତନ

ଯାତ୍ରା ଦେଖେ ରସି ।

କି ଆନନ୍ଦ ଲଭେ ପ୍ରାଣେ

ହେବ କି ତା କିଣି ।

ସଂସାର ଅସାର ଧନେ

ହେଳେ ଯିବ ଜିଣି ।

ଭକତର କଷ୍ଟ ପ୍ରଭୁ

ନ ପାରିଲେ ସହି,

ଦରଶନ ଦେଇ ପୁଣି

ସ୍ନେହଭରେ କହି-

ତୋର କଷ୍ଟ ନୁହେ ସହି,

ଯିବ ଘରେ ତୋର,

ଏ କଥା ତୁ ତତ୍ତ୍ୱେ ବୁଝ,

ପ୍ରତିଜ୍ଞା ମୋହର ।

ଆସନ୍ତା ଉତ୍ସବ ଦିନ

ଆସ ନେଇ ଗାଡ଼ି,

ଗାଡ଼ି ପରେ ଗଦି ଏକ

ରଖିବୁ ସଜାଡ଼ି ।

ଗଦି ପରେ ରଖିଦେଲେ

ଶୋଇବି ନିଶ୍ଚିନ୍ତେ,

ଗାଡ଼ି ଶୀଘ୍ର ଚଳାଇବା

ଲାଗେ ସିନା ତୋତେ ।’’

ଏକାଦଶୀ ହେଲା, ଗାଡ଼ି

ଆଣିଲା ଭକତ,

ମନ୍ଦିର ସମ୍ମୁଖେ ଆସି

ହେଲା ଉପଗତ ।

ରାମଦାସ ଧୀର ଶାନ୍ତ,

ମଧୁର ପ୍ରକୃତି,

ତାଙ୍କଠାରେ ପୂଜାପଣ୍ଡା

ସଦା ତୁଷ୍ଟ ଅତି ।

ପରମ ଭକତ ସେ କି

କରିପାରେ ଚୋରି ?

ମନ୍ଦିର ଛାଡ଼ିବେ ଦିଅଁ,

ନ ଥିଲେ ବିଚାରି ।

ଦେବତା ପହୁଡ଼ ସାରି

ପୂଜାପଣ୍ଡା ଗଲେ,

ନିଦ୍ରାର ମୋହନ ସୁଖେ

ନିମଗନ ହେଲେ ।

ଚତୁର୍ଦ୍ଦିଗ ହେଲା ଶାନ୍ତ

ନୀରବ ପ୍ରକୃତି,

ରାମ ଦାସ ସଦା ଭାବେ

ବିହ୍ୱଳିତ ମତି ।

ବିଭୁରେ ତନ୍ମୟ ପ୍ରାଣେ

ଅପାର ଆନନ୍ଦ,

ଟହଲ କରେ ଭକତ

ନାହିଁ ତାର ନିଦ ।

ଅକସ୍ମାତ୍‌ଦ୍ୱାର ଖୋଲେ

ହୁଏ ଠିଆମେଲା,

ରାମଦାସ ପ୍ରାଣେ ମହା

ଚମକ ପଡ଼ିଲା ।

ଯିବ କି ମନ୍ଦିର ମଧ୍ୟେ,

ଆଣିବି ମୂରତି ?

ରାତିରେ କରିବି ଚୋରି,

ଗରହିତ ଅତି ।

ପ୍ରଭୁଙ୍କ ଆଜ୍ଞା କେସନ

କରିବି ଲଘଂନ ?

ଭାବି ଦୋଳାୟ ତ ହୁଏ

ଭକତର ମନ ।

କବାଟ ଖୋଲିଲା, ମଧ୍ୟେ

ଉଜ୍ଜ୍ୱଳ ଆଲୋକ,

ସୁବର୍ଣ୍ଣ-ମୂରତି ତେଜେ

ଦିଶେ ଜକ ଜକ ।

ସିଂହାସନ ପାଖେ ଭକ୍ତ

ରଚଇ ପ୍ରଣତି,

ଜଣାଏ ଅନ୍ତର-ଭାବ,

ବିଶୁଦ୍ଧ ପୀରତି ।

‘‘ପ୍ରଭୁ ତ ମୋ ମହାମେରୁ’’

ମନରେ ବିଚାରେ,

‘‘ବୃଦ୍ଧ ଅଙ୍ଗେ କାହିଁ ଶକ୍ତି

ଟେକିବି ତାହାରେ !’’

ଛୁଅଇଁ ଶ୍ରୀଅଙ୍ଗ ସେ କି

କୁସୁମ-କୋମଳ !

ହରଷରେ ଧରେ କୋଳେ,

ଭାବେ ହୁଏ ଭୋଳ ।

ସୁବର୍ଣ୍ଣ-ମୂରତି ହେଲା

ସୋଲରୁ ହାଲୁକା,

ସୁଖେ କାଖକରି ବୃଦ୍ଧ

ନେଇଯାଏ ଏକା ।

ଦେବତା ଚିନ୍ମୟ ସ୍ପର୍ଶ

ରାମଦାସ ପାଇ,

ଜନ୍ମ ଜନ୍ମ କର୍ମ-ମଳ

ହେଳେ ଦେଲା ଧୋଇ ।

ଗଦିପରେ ଶୁଆଇଲା

ପ୍ରତିମା ଆଦରେ,

ଧୀରେ ଚାଲେ ଗାଡ଼ି, ଭକ୍ତ

ସଂକୀର୍ତ୍ତନ କରେ ।

ଗୀତ ଗାଇ ଚାଳେ ଗାଡ଼ି,

ପ୍ରଭୁ ନିଦ୍ରାଗତ,

ଗ୍ରାମ ଆସି ପାଖ ହେଲା,

ସରେ କୋଶ ସାତ ।

ପାହାନ୍ତା ପହର ବଡ଼-

ପଣ୍ଡା ସ୍ୱପ୍ନେ ଶୁଣେ,

‘‘ଶୁଣ ପଣ୍ଡା ! ତୁମ ସେବା

ତୃପତି ନ ଆଣେ ।

ଯାଉଛି ଡାକୋର ଗ୍ରାମେ

ବରଜି ମନ୍ଦିର,

ଘେନିବି ଭକତ-ଭକ୍ତି

ପ୍ରେମେ ପୂଜା ତାର ।’’

ପଣ୍ଡା ଆସି ଦେଖେ ଦୁଃଖେ

ଦ୍ୱାର ଠିଆମେଲା,

‘ଚୋରି ଚୋରି’ ଚାରିଆଡ଼େ

ଡାକ ପଡ଼ିଗଲା ।

ଡାକୋର ପଥରେ ବେଗେ

ଲୋକ ଗଲେ ଧାଇଁ

ଗାଡ଼ି ଅଟକାଇ ମୂର୍ତ୍ତି

ଆଣିବେ ଛଡ଼ାଇ ।

ଡାକିଲେ ବିହଙ୍ଗ ସୁଖେ,

ରାତି ହେଲା ଶେଷ,

ପରାଚୀ ଗଗନ ଧରେ

ଅପରୂପ ବେଶ ।

ତପନ ସୁବର୍ଣ୍ଣ ବିଭା

ଖେଳେ ଗିରିଚୂଳେ,

ସୁବର୍ଣ୍ଣ-ରୁଚିର ଜ୍ୟୋତିଃ

ବ୍ୟାପେ ଜଳେ ସ୍ଥଳେ ।

ଫେରାଇ ବଦନ ଭକ୍ତ

ବହୁ ଦୂରେ ଦେଖେ,

ଧାଇଁଛନ୍ତି ବହୁ ଲୋକ,

ଭୀମନାଦ ମୁଖେ ।

ଭୀତତ୍ରସ୍ତ ରାମ ଦାସ

ଆରତେ ଭାବଇ,

‘‘ମାରି ପିଟି ପ୍ରଭୁଙ୍କୁ ମୋ

ନେବେ କି ଛଡ଼ାଇ ।

ତୁ ତ ନାଥ ସମରଥ,

ତୋତେ ରକ୍ଷାକର,

ମୁଁ ତ ହୀନଶକ୍ତି ଭୃତ୍ୟ

ମାନବ ମାତର ।’’

ଭକ୍ତ ଭୟହାରୀ ପ୍ରଭୁ

କହନ୍ତି ଭକତେ,

‘‘ପାଖେ କୂଅ, ପାହାଚରେ

ଲୁଚାଅ ନା ମୋତେ ।

ବୁଲି ବୁଲି ପାହାଚ ତ

ଅଛି ପାଣିଯାଏ,

ଶେଷ ପାହାଚରେ ମୋତେ

ରଖ ତୁ ନିର୍ଭୟେ ।’’

ବିଭୁ ଆଜ୍ଞା ପାଇ ଭକ୍ତ

ପ୍ରେମେ ମୂର୍ତ୍ତି ନେଇ,

କୂଅ ଶେଷ ପାହାଚରେ

ଆସିଲା ଲୁଚାଇ ।

ମିଳିଲେ ପଣ୍ଡାଙ୍କ ଦଳ

ବଡ଼ ପରଚଣ୍ଡ,

ପିଟିଲେ ନିର୍ଦ୍ଧୂମ ଦାସେ

ଦେଲେ ବହୁ ଦଣ୍ଡ ।

ଖୋଜିଲେ ଶଗଡ଼ ଅନ୍ଦି

କନ୍ଦି ଗଦିତଳ,

ଶ୍ରୀବିଗ୍ରହ ନ ପାଇଲେ

ଅତି ହିଁ ବିକଳ ।

ଭକତ ପରମେ ହୃଦେ

ଫେରଇ ଚେତନା,

ଆସେ ଘୋର ପଶ୍ଚାତ୍ତାପ,

ମାନସ ବେଦନା ।

ଫେରନ୍ତି ପଣ୍ଡାଏ ଶୁଭେ

କୂପ ମଧ୍ୟୁ ବାଣୀ

‘‘ଧାଇଁ ଆସ, ଧାଇଁ ଆସ !

ଖୁଣି, ଖୁଣି, ଖୁଣି !’’

କୂଅ ପାଖେ ଆସି ଲୋକେ

ଦେଖନ୍ତି ଅଦ୍ଭୁତ,

ପାଣି ନାହିଁ, କୂପ ସାରା

ମନୁଷ୍ୟ-ରକତ ।

ଖୋଜନ୍ତି ଖୁଣୀ ମନୁଷ୍ୟ,

ଦିଶେ ଶ୍ରୀବିଗ୍ରହ,

ଆଦରେ ଘେନନ୍ତି, ହୁଏ

ରକ୍ତମୟ ଦେହ ।

ଯେ ଧରିଲା, ଯେ ଆଣିଲା

ଭାସିଲା ରକତେ,

ପ୍ରତିମା ଭାଷଇ, ଶୁଣିଛନ୍ତି

ପଣ୍ଡା ଯେତେ ।

‘‘ଛାଡ଼ ଏ ଚଣ୍ଡାଳ-ବୁଦ୍ଧି,

ଯାଅ ଘରେ ଫେରି,

ମୋତେ କେ ନେବରେ, ଇଚ୍ଛା

ନ ଥିଲେ ମୋହରି ?

ଇଚ୍ଛା କରି ଯାଉଅଛି

ଭକତର ଘର,

ମୋରେ ତା ଅଚଳା ଭକ୍ତି,

ପରମ ଆଦର ।

ଦ୍ୱାରକା ନ ଯିବି ଫେରି,

ଦୃଢ଼ପଣ ମୋର,

ଭକତେ ଦଣ୍ଡିଲ ମୋର

କେତେ ରେ ପାମର !

ଭକତ ମୋ ପ୍ରାଣ, ଦଣ୍ଡ

ବସିଲା ମୋ ଦେହେ,

ପ୍ରବଳଧାରାରେ ଦେଖ

ରକତ ମୋ ବହେ ।

ଦେହେ କଲ କ୍ଷତ, କାଳ

କାଳ ନ ଶୁଖିବ,

ତୁମର ଘୋର ଅକୀର୍ତ୍ତି

ସଦା ରହିଥିବ ।

ଗାଡ଼ିରେ ଗଦିରେ ରଖି

କର ମୋତେ ସ୍ଥିର,

ତେବେ ଅବା କମିଯିବ

ରୁଧିରର ଧାର ।

ମୋ ବିଗ୍ରହ-ସୁନା ପାଇଁ

ଯେବେ ହୁଏ ମନ,

ଆସ ତେବେ ଓଜନରେ

ଘେନିବ ସୁବର୍ଣ୍ଣ ।’’

ପ୍ରଭୁ ଅଙ୍ଗେ କ୍ଷତ ଦେଖି

ଭକତ ବ୍ୟାକୁଳ,

ହାହାକାର ଉଠେ ପ୍ରାଣୁ,

ଗଡ଼େ ଅଶ୍ରୁଜଳ ।

ଭାବଇ, ‘‘ମୋ ଲାଗି ପ୍ରଭୁ

ଭୋଗେ ଦଣ୍ଡ କେତେ,

ରକତ ଭାସଇ ଦେହୁଁ,

ଧିକ ଧିକ ମୋତେ ।’’

ପ୍ରଭୁ ହେଲେ ଗଦି ପରେ,

ନିଶ୍ଚିନ୍ତ ଭକତ,

ରକ୍ତ ବୁହା ହେଲା ବନ୍ଦ,

ସମସ୍ତେ ବିସ୍ମିତ ।

ଗାଡ଼ି ଧୀରେ ଧୀରେ ଚଳି

ଧରେ ଭକ୍ତ ଘର,

ଜମିଲେ ଭକତେ, ପ୍ରାଣେ

ଆନନ୍ଦ ଅପାର ।

ପଣ୍ଡା ଛନ୍ତି ସଙ୍ଗେ, ଲୋକେ

ଦେଖନ୍ତି ନିରେଖି,

ଦେହେ ବସ୍ତ୍ରେ ରକ୍ତବୋଳା

ଡକାଏତ ସେ କି ?

ସୁବର୍ଣ୍ଣ-ଲୋଭରେ ପଣ୍ଡା

ନ ଛାଡ଼ନ୍ତି ସଙ୍ଗ,

ଲୀଳାମୟ ଲାଗିଛନ୍ତି

ରଚି ଲୀଳାରଙ୍ଗ ।

କହନ୍ତି ଭକତେ, ‘‘ଆଣ

ପତ୍ନୀ କାନ ନୋଳି,

ତା ସଙ୍ଗରେ ବିଗ୍ରହ ମୋ

ଦିଅ ତ ତଉଲି ।’’

ତଉଲରେ ବଳେ ନୋଳି

ବିଗ୍ରହ କମଇ,

ଆବାକାବା ହେଲେ ପଣ୍ଡା,

ଗଲେ ନୋଳି ନେଇ ।

କହନ୍ତି ପଣ୍ଡାଙ୍କୁ ପ୍ରଭୁ,

‘‘ନ ହୁଅ ଦୁଃଖିତ,

କୂପ ତଳେ ଅଛି ମୂର୍ତ୍ତି

କର ପ୍ରତିଷ୍ଠିତ ।

ପ୍ରେମଭକ୍ତି ନେଇ ସିନା

ପୂଜା ଦେବତାର,

ଅର୍ଥ ପାଇଁ ପୂଜି ଦେବ

କରୁଛ ବେପାର ।

ରଣ ଛାଡ଼ି ଦ୍ୱାରକାକୁ

ଯାଇଥିଲି ମୁହିଁ,

ତେଣୁ ରଣଛାଡ଼ି ନାମ

ପ୍ରେମେ ଥିଲି ବହି ।

ପଣ୍ଡାଙ୍କ ଆୟୁଧେ ଦେହେ

ହେଲା ମୋର କ୍ଷତ,

ତେଣୁ ଆଜିଠାରୁ ହେଲି

ମୁଁ ‘ଆୟୁଧ-କ୍ଷତ’ ।

କାଳ କାଳ ମୋ ବିଗ୍ରହୁଁ

କ୍ଷତ ନ ଶୁଖିବ,

ଚନ୍ଦନ ସଙ୍ଗତେ କ୍ଷତେ

ପଟି ପଡ଼ୁଥିବ ।’’

ବିଚିତ୍ର ରଚିଲେ ପ୍ରଭୁ

ଭକ୍ତଭାବେ ରସି,

ଇଚ୍ଛାରେ ‘ଆୟୁଧ-କ୍ଷତ’,

ଡାକୋର ନିବାସୀ !

Image

 

ପ୍ରଭୁ ଧୋବଣୀ ହେଲେ

ଭକ୍ତଶ୍ରେଷ୍ଠ ନାମଦେବ

ମହାରାଷ୍ଟ୍ରେ ଘର,

ସେ ତ ବ୍ରହ୍ମଚାରୀ, ନାହିଁ

କୁଟୁମ୍ବ ତାଙ୍କର ।

ଜନା ତାଙ୍କ ଚାକରାଣୀ,

ମହାଭକ୍ତିମତୀ,

ନାମଦେବେ ଗୁରୁ ମାନେ,

ବିଭୁ ପଦେ ରତି ।

ଝାଡ଼ୁ ଦିଏ ଘରେ, ମାଜେ

ଅଇଁଠା ବାସନ,

ଲୁଗା କାଚେ, ପାଣି ଦିଏ,

କରେ ସବୁ କାମ ।

ଲଭି ସାଧୁସଙ୍ଗ, ବିଭୁ-

ଚର୍ଚ୍ଚା ଶୁଣି ଶୁଣି,

ହୃଦେ ପ୍ରେମ ଅଙ୍କୁରିତ

ବିଭୁ-ନାମ ଗୁଣି ।

ବିଭୁ-ନାମ ଗୁଣି କ୍ରମେ

ଅନ୍ତର ନିର୍ମଳ,

ପ୍ରେମାଙ୍କୁର ପଲ୍ଲବିତ,

ଧରେ ଫୁଲ ଫଳ ।

ଏକାଦଶୀ ରାତ୍ରି, ରୁଣ୍ଡ

ଭକତମଣ୍ଡଳୀ,

ନାମଦେବ ଘରେ ଗୀତ

ହୁଏ ଗୁଣାବଳୀ ।

ବିଭୁ-ଗୁଣ-କୀର୍ତ୍ତନରେ

ମତ ଭକ୍ତଗଣ,

ଉଠେ ମୃଦଙ୍ଗ-ଶବଦ

କରତାଳ-ତାନ ।

କେହୁ ନାଚେ, କେହୁ ଗାଏ,

କେହୁ ଦିଏ ତାଳି,

କେହୁ ମୂର୍ଚ୍ଛା ଯାଏ ଘନ

ଘନ ଅଶ୍ରୁ ଢାଳି ।

ପ୍ରେମୋନ୍ମତ୍ତା ଜନାବାଈ

ଅଧୀରା ସେ ଅତି,

ପ୍ରେମାନନ୍ଦେ, ସଂକୀର୍ତ୍ତନେ

ଗଲା ରାତି ବିତି ।

ରାତି ଉଜାଗରେ କାଟି

ଲୋକେ ଗଲେ ଘର,

ଜନା ଫେରିଯାଏ ଘରେ

ପରାଣ ଅସ୍ଥିର ।

ଉନ୍ମାଦ ଦେହରୁ ତାର

ନ ଥିଲା ତ ଛାଡ଼ି,

ଶେଯ ଧରି ପଡ଼ୁ ପଡ଼ୁ

ନିଦ ଗଲାମାଡ଼ି ।

ତପନ ଉଠିଲେ ନଭେ,

ହୋଇଗଲା ଦିନ,

ଦିନ ହେଲା, ଜନାବାଈ

ଅତି ହିଁ ଉଚ୍ଛନ୍ନ ।

ରାତି ନ ପାହୁଣୁ ଜନା

ଶେଯରୁ ଉଠଇ,

ପାଣି ଦିଏ, ଝାଡ଼ୁ ଦିଏ,

ବାସନ ମାଜଇ ।

ଏକ କାମ କରିବସେ,

ଆନ ପଡ଼େ ମନେ,

କାମ ତା ଘାବରା ହୁଏ,

ମନ ତା ନ ମାନେ ।

ଲୁଗାପଟା ଧରି ଧାଏଁ

ଚନ୍ଦ୍ରଭାଗା ନଈ,

କାଚିକୁଚି ଆଣି ବେଗେ

ଦେବ ସେ ଶୁଖାଇ ।

କଚା ଆରମ୍ଭ କରିଛି,

ମନେ ପଡ଼େ ତାର,

ଦାନ୍ତକାଠି ଥୋଇ ନାହିଁ

ପାଣି ମାଜି ଢାଳ ।

ଲସର ପସର ହୋଇ

ଫେରୁଅଛି ଘରେ,

ପଥରେ ଓଗାଳେ ବୃଦ୍ଧା,

କହେ ସ୍ନେହଭରେ ।

ବୃଦ୍ଧା - କି କାମ ପଡ଼ିଲା ମନେ,

ଧାଉଁ ଜନା ଘରେ ?

ଗୋଡ଼ଖସି ପଡ଼ିଯିବୁ,

ଗଣ୍ଡିରା ପିଠିରେ !

ଜନା ବତାଏ ତା କାମ,

ଶୁଣି ବୃଦ୍ଧା ହସେ,

ଗଣ୍ଡିରା ଛଡ଼ାଇ ରଖି

କହଇ ସରସେ ।

ବୃଦ୍ଧା-ଧୀରେ ଧୀରେ ଯାଅ ଘରେ,

ଦିଅ ଲୁଗା ମୋତେ,

ଯତନେ ଧୋଇବି ସବୁ

କାମ ନାହିଁ ସେତେ ।

ଜନା-ସତେ ନା ! ପାଲଟା ଧୋଇ

ଦେବ ମୋହ ପାଇଁ,

କାହିଁକି ? ଧୋଇବି ଫେରି,

ଜନା ମରି ନାହିଁ ।

ବୃଦ୍ଧା-ଘରଗୋଟା କାମ କରେ,

ଧୁଅଇ ପାଲଟା,

ସାମାନ୍ୟ କଥାରେ ଜନା

କରୁ ଏତେ ହଟା ।

‘ଆଣ ଆଣ’ କହି ଲୁଗା

ଛଡ଼ାଇ ରଖିଲା,

ସ୍ନେହ ନ ପାରିଣ ଭଙ୍ଗି,

ଜନା ଗୃହେ ଗଲା ।

ବୃଦ୍ଧାଙ୍କୁ ପ୍ରଂଶସା କରେ,

ଭାବେ ମନେ ମନେ

‘‘ପର ପାଲଟା ଧୋଇବ,

ନ ଦେଖେ ତ ଜଣେ !’’

ସେ କାହୁଁ ଜାଣନ୍ତା ବୃଦ୍ଧା

ଜଗତଜନନୀ,

ଭକତବତ୍ସଳା ସଦା

ବ୍ୟସ୍ତ ଭକ୍ତ ଘେନି ।

ପ୍ରଭୁ-ହାତ ଲାଗି କ୍ଷଣେ

ମଳି ହେଲା ଦୂର,

ଯେ ପିନ୍ଧିଲା, ଯେହୁ ନେଲା,

ଫିଟେ ତା କପାଳ ।

ବହୁ ଜନ୍ମ କର୍ମ-ମଳ

ଗଲା ଅପସରି,

ଶ୍ରୀହସ୍ତ-ଧୁଆ ବସନ

ଧରି, ପରିହରି ।

ବିଳମ୍ବରେ ଆସେ ଜନା,

ନିଏ ଲୁଗା ହାତେ,

ଏଡ଼େ ଧୋବ ଫରଫର

କଲା ଏ କେମନ୍ତେ !

ପୁଣି ଏତେ ଅଳ୍ପକାଳେ !

କରେ କି ସେନେହ !

ଭାବି ଜନା ଆତ୍ମହରା,

ଗଡ଼ିପଡ଼େ ଲୁହ ।

କହେ, ‘‘ମାଆ, ପର ପାଇଁ

ଏ ଯେ ସେବା ତୋର,

ଜୀଇଥିବି ଯେତେ ଦିନ,

ନ ଯିବ ପାସୋର ।’’

ବୃଦ୍ଧା କହେ, ‘‘ଜନାବାଈ !

ତୁ କିଲୋ ବାୟାଣୀ ?

କିବା ଉପକାର କଲି,

ହେଉ ଏତେ ଗୁଣି ।

ନିଅ, ତୋର ଲୁଗା ନିଅ,

ଦୁଃଖ କିଆଁ ତୋର ?

ମୋ ପାଇଁ କରିବୁ କାମ

ପଡ଼ିଗଲେ ବେଳ ।’’

କହୁ କହୁ କଥା ବୃଦ୍ଧା

ହୋଇଲେ ଅନ୍ତର,

‘‘କି ମଧୁର କଥା ଏ କି,

ଚାହାଣୀ ସୁନ୍ଦର !

ମାତୃ-ପ୍ରେମମୟ-ପ୍ରାଣ

ଆଖି ଛଳଛଳ,

ଅପୂର୍ବ, ଅପୂର୍ବ ସବୁ !

ଜଗତେ ଅତୁଳ !’’

ମୁଗ୍‌ଧପ୍ରାଣେ ଭାବେ ଜନା,

ଲୁଗା ରଖେ ଦେଖି,

ବୃଦ୍ଧା ତ ନାହାନ୍ତି ଆଗେ,

ଦେଖେ ଟେକି ଆଖି !

‘‘ଏ କଣ ! ଗଲେଣି ଚାଲି !

ଏତେ ଉପକାର

କଲେ ଯେହୁ ନ, ଜାଣେ ମୁଁ

ଠିକଣା ତାଙ୍କର !

ଚିହ୍ନାଦେଲେ ନାହିଁ ଭଲେ,

ହେଲେ ଅନ୍ତର୍ହିତ !’’

ବାହାରେ ବ୍ୟାକୁଳ ବାଣୀ

ଜନା ଅଭିଭୂତ ।

ଚତୁର୍ଦ୍ଦିଗେ ଖୋଜେ ଜନା,

ଛାଡ଼େ ଉଚ୍ଚେ ରଡ଼ି,

ଆତୁରେ ଚିତ୍କାର କରେ,

‘‘ଆସ ଆସ ବୁଢ଼ୀ’’ !

‘ବୃଦ୍ଧା କି ଜାଣନ୍ତି ଗୁଣି !’

ଭାବେ ଜନା ମନେ,

‘ଏଇ ଅଛି, ଏଇ ନାହିଁ

ଉଭାଇଲେ କେଣେ !’

ଗୁଣିଆଙ୍କ ଶିରୋମଣି,

ମାୟାବୀ ପ୍ରଧାନେ,

ଜନାର ରମଣୀ-ବୃଦ୍ଧି

ଚିହ୍ନନ୍ତା କେସନେ ?

ବ୍ୟାକୁଳ ପରାଣେ ଜନା

ପ୍ରଭୁ ଘରେ ଫେରେ,

ଲୁଗା ଧୋବ ଫର ଫର

ଦେଖି ଅଶ୍ରୁ ଝରେ !

ଦିନସାରା ନାହିଁ ଶାନ୍ତି,

ହେଲା ସଞ୍ଜବେଳ,

ଭଜନ ସମୟ, ମିଳି-

ଗଲେ ସାଧୁଦଳ ।

ଜନା କହେ, ବୃଦ୍ଧାକଥା

ନାମଦେବ ଶୁଣେ,

ଭକତ ସରବେ ମିଳି

ଶୁଣନ୍ତି ମଉନେ ।

ଭକତପ୍ରଧାନ ନାମ-

ଦେବ ପ୍ରଭୁଲୀଳା,

ଶୁଣୁଥିଲେ ମୁଗ୍‌ଧ ପ୍ରାଣେ

ହୋଇ ଭାବେ ଭୋଳା ।

ଭକତେ ଅପାର କୃପା

ଭାବି ପ୍ରଭୁଙ୍କର,

ଘନ ଅଶ୍ରୁ ସଙ୍ଗେ କମ୍ପୁ-

ଥିଲା କଳେବର ।

‘‘ଏତେ କରି ଉଭାଇଲା

ନ ଚିହ୍ନିଲି ତାରେ !’’

କହି ଜନା ନୀରବିଲା,

ଖେଦେ ଅଶ୍ରୁ ଝରେ ।

ନାମଦେବ-ଧନ୍ୟ ଜନାବାଈ, ଧନ୍ୟ

ତୋହର ଭକତି !

ପ୍ରୀତିବଳେ ବଶ କଲୁ

ବଇକୁଣ୍ଠପତି !

ପ୍ରଭୁର ଅପାର କୃପା

ତୋହଠାରେ ଦିଶେ,

ପାଲଟା ଧୋଇଲେ ପ୍ରଭୁ

ତୋର ପ୍ରୀତି-ବଶେ ।

ଲୋଡ଼ି ତ ନ ଥିଲୁ, ବଳେ

କଲେ ସେବା ଆସି,

ମାନବୀ ନା, ଦେବୀ ତୁ ଲୋ !

ତୁ ବିଷ୍ଣୁ ପ୍ରେୟସୀ !

ଜନା ମୁଖୁ ଫୁଟେ କି ସେ

ବ୍ୟାକୁଳ କ୍ରନ୍ଦନ,

‘‘ଧୁଆଇଲି ପାଲଟା ମୁଁ !

ଧିକ ମୋ ଜୀବନ ।

ଧିକ ମୋ ରମଣୀ ବୃଦ୍ଧି,

ନ ଚିହ୍ନିଲି ତିଳେ,

ପାଦ ଧୋଇ ଦେଇଥାନ୍ତି

ପ୍ରୀତି-ଅଶ୍ରୁଜଳେ ।

କହିଥାନ୍ତି ହୃଦ ଖୋଲି,

ଦୁଃଖ ଚିରନ୍ତନ,

ପୂଜୁଥାନ୍ତି ପାଦ ଦେଇ

କୁସୁମ-ଚନ୍ଦନ ।

ଦେଖିଥାନ୍ତି ପ୍ରାଣଭରି

ଚାରୁ ଚକାଡୋଳା,

ଶୁଣିଥାନ୍ତି ମଧୁବାଣୀ

ହୋଇ ପ୍ରେମେ ଭୋଳା ।

ବକ୍ଷେ ବକ୍ଷ ଭିଡ଼ିଥାନ୍ତି,

କରି ପ୍ରାଣଧନ,

କାଟିଥାନ୍ତି ଭବଭୟ

କରମ-ବନ୍ଧନ ।

ହେଲା ନାହିଁ, ହେଲା ନାହିଁ,

ଗଲ ପ୍ରଭୁ ଚାଲି,

ଅମୃତ ଚଖାଇ ଗଲ

ବିରହରେ ଜାଳି !’’

ସେ ତ ବାଇଫଳ, ଖାଇ

ନ ଛାଡ଼ଇ ବାଇ,

ସେ ତ ରସ ମଧ୍ୟ ସାର

ପ୍ରାଣ ମନ ମୋହି ।

ଥରେ ଯେ ଦେଖଇ, ଛାପି

ହୁଏ ହୃଦେ ତାର,

ଯେଣେ ଚାହେଁ ତେଣେ ଦିଶେ

ବଦନସୁନ୍ଦର ।

ଜନାବାଈ ହେଲା ବାଇ,

ପ୍ରେମେ ସଦା ଭୋଳା,

ମଧୁର ଭଜନ ମୁଖେ,

ହୁଏ ଆତ୍ମହରା ।

ଭଜନ ଗାଇଣ ଚକି

ଘୂରାଏ ହରଷେ,

ଅଟା ପେଷି ବସେ, ସେ ତ

ମହାପ୍ରେମେ ଭାସେ ।

ମହାସମାଧିରେ ମଗ୍ନ,

ଅବଶ ଶରୀର,

ମୁଖେ ବୀଣାନିନ୍ଦୀ ସ୍ୱର

ଭଜନ ମଧୁର ।

ଭଜନ ତା ଥାଏ ଚାଲି,

ହୁଏ ଲୁପ୍ତ ଜ୍ଞାନ,

ଆୟତ୍ତ ଜନାର ହେଲା

ସମାଧି ପରମ ।

ପ୍ରଭୁ ପେଷୁଥାନ୍ତି ଅଟା

ଜନା ପାଖେ ବସି,

ମଧୁର ଭଜନ ଶୁଣୁ-

ଥାନ୍ତି ହସି ହସି ।

ପ୍ରତିକର୍ମେ ପ୍ରଭୁଆସି

ହେଲେ ଜନା ସାହା,

ତୁଲାନ୍ତି ସକଳ କାମ,

ଛାଡ଼େ ପ୍ରିୟା ଯାହା ।

ଧନ୍ୟ ତୋର ଭାବ ଜନା,

ଧନ୍ୟ ପ୍ରୀତି-ରସ !

ଚାଖି ପ୍ରଭୁ ଭୁଲିଗଲେ,

ବଇକୁଣ୍ଠବାସ ।

ପଣନ୍ତ-କାନିରେ ବାନ୍ଧି

ନଚାଇଲୁ ହରି,

ଏ ଧରା ବୈକୁଣ୍ଠ କଲୁ

ଚରଣେ ତୋହରି ।

ଜୟ ଭାବଗ୍ରାହୀ ନାଥ !

ଜନାପ୍ରେମେ କିଣା,

କି ଅନଳେ ପୋଡ଼େ ପ୍ରାଣ

ନ ପଡ଼େ କି ଜଣା !

ପେଷୁଥାଅ ଅଟା ସୁଖେ,

ଜନା ଘରେ ବସି,

ତୁମର କି ଯାଏ ସାରା

ସୃଷ୍ଟି ଯାଉ ଭାସି !

Image

 

Unknown

କାଠ ଇଷ୍ପାତ ହେଲା

ବୀରତ୍ୱର ସତୀତ୍ୱର

ଶୁଦ୍ଧପୂତ ଧାମ,

ଉଦୟପୁର-ରାଣାଙ୍କ

ଦେଶେ ବଡ଼ ନାମ ।

ସାମନ୍ତ ଭୁବନ-ସିଂହ

ଚୌହାନ-ନୃପତି,

ବୀରତ୍ୱରେ ସବୁଠାରୁ

ବଡ଼ ତାଙ୍କ ଖ୍ୟାତି ।

କ୍ଷତ୍ରିୟେ ରାଜସଭାବ

କର୍ମ ରାଜସିକ,

ଭୁବନ-ସିଂହ ସାତ୍ତ୍ୱିକ,

ବିଷ୍ଣୁ-ଉପାସକ ।

ଶ୍ରୀକୃଷ୍ଣଚରଣେ ତାଙ୍କ

ଅଚଳା ଭକତି,

ହୃଦ ପ୍ରେମେ ଢଳଢଳ,

ସଦା ଶୁଦ୍ଧମତି ।

ରଜନୀର ଶେଷ ଯାମୁଁ

ସାଧନଭଜନ,

ସୂର୍ଯ୍ୟୋଦୟେ ସ୍ନାନ, ସନ୍ଧ୍ୟା,

ଦେବତା-ପୂଜନ ।

ନୀତି ସରୁ ସରୁ ନିତି

ହୁଏ ଦିପହର,

ତାପରେ ଭେଟନ୍ତି ରାଣା

ଯାଇ ଦରବାର ।

ଭଜନାନନ୍ଦୀ ପବିତ୍ର

ଉଦାର ପ୍ରକୃତି,

ସତ୍ୟ-ଦୟା-ସେବା-ପ୍ରୀତି-

ଅହିଂସା-ମୂରତି ।

‘ରାଜଧର୍ମ’ ବୋଲି ରୁକ୍ଷ

ଶିକାର-ବ୍ୟସନେ,

ଆମିଷ-ବୁଭୁକ୍ଷା ତୃପ୍ତ

କରନ୍ତି ରାଜନେ ।

ଜୀବ ସୃଷ୍ଟିକରି ନାଶ,

ଦେଇ ପ୍ରାଣେ ପୀଡ଼ା,

ମଣନ୍ତି ସେ ଗଉରବ,

ନ ଲଭନ୍ତି ବ୍ରୀଡ଼ା ।

ଥରେ ରାଣା ଥିଲେ ସେହି

ବ୍ୟସନେ ନିରତ,

ସଙ୍ଗେ ଥିଲେ ବହୁ ଜନ,

ଯେତେ ଯେ ସାମନ୍ତ ।

ଦୟା ମାୟା ଦଳି ପଦେ

ହୋଇଣ ଉନ୍ମତ୍ତ,

ନିରୀହ ପରାଣୀ ନାଶ

କଲେ ଶତ ଶତ ।

ପର୍ବତ ପ୍ରମାଣେ ଆସି

ଶବ ଜମାହେଲା,

ତଥାପି ରାଣାଙ୍କ ପ୍ରାଣେ

ତୃପ୍ତି ନ ଆସିଲା ।

ସୁନ୍ଦରୀ ହରିଣୀ ଶେଷେ

ପଡ଼ିଲା ଦୃଷ୍ଟିରେ,

ଦଉଡ଼ାଇଲେ ଘୋଟକ

ବଧିବାକୁ ତାରେ ।

ଲତା-ଅନ୍ତରାଳେ କାହିଁ

ଲୁଚିଲା ହରିଣୀ,

ଧାଇଁଣ ଥକିଲେ ରାଣା,

ନ ପାରିଲେ ଜାଣି ।

ଭୁବନ-ସିଂହରେ ରାଣା

କରନ୍ତି ଇଙ୍ଗିତ,

‘ହରିଣୀଟା ବଳିଯିବ !

ଦେଖ ତ, ଦେଖ ତ !’

ଭୁବନ ତ ମହାବୀର,

ନାହିଁ ସରିସମ;

ସଂଗ୍ରାମେ କମ୍ପାଏ ମହୀ,

ଶତ୍ରୁର ସେ ଯମ ।

ଯମ ସରି ଉଭା ପାଶେ

ଦେଖଇ ହରିଣୀ,

କଠୋର-ଗର୍ଭା ସେ, ଧାଇଁ

ଧାଇଁ ଥକିଲାଣି ।

ଭୟରେ ଶରୀର କମ୍ପେ,

ଚାହଁଇ ନିରାଶେ,

ଜୀବନଭିକ୍ଷା କି କରେ

ହତ୍ୟାକାରୀ ପାଶେ !

ଶିକାର ନିଶାରେ ମତ୍ତ,

ବେହୋସ ଭୁବନ,

ମୃଗୁଣୀର ଶତ ନତି

ନ ଛୁଏଁ ପରାଣ ।

ବିଶାଳ ସେ ତଲବାର

ଅତି ହିଁ ପ୍ରଚଣ୍ଡ,

ହରିଣୀ-ଶରୀରେ ପଡ଼ି

କଲା ଦୁଇ ଖଣ୍ଡ ।

ଜନନୀ ସହିତେ ଗର୍ଭ-

ଶିଶୁ ଗଲା କଟି,

କରୁଣ ଚାହାଣୀ ଗଲା

ବୀର ହୃଦେ ଫୁଟି ।

ମତି ହୁଏ ଛନ୍ନ, ଭୟେ

ଥରଇ ପରାଣ,

ଗର୍ଭିଣୀ ବିନାଶେ ବୁଝେ,

ରୁଷ୍ଟ ଭଗବାନ ।

ଭୁବନ ସିଂହ ଭାବଇ,

‘‘ଛି ଛି ନରାଧାମ !

କେଡ଼େ କର୍ମ କଲି, ହେଳେ

ସାରିଲି ଧରମ ।

ବନର ହରିଣୀ କାର

ହାନି ଥିଲା କରି ?

ରାକ୍ଷସ, ମାଇଲି ଶିଶୁ

ମାତା ପେଟ ଚିରି ।

ଧିକ ଏ କ୍ଷତ୍ରିୟ ଧର୍ମ !

ଧିକ ରାଜପୁତ,

ଦୀନ ମୂକ ପ୍ରାଣୀ ନାଶୁ,

ଏହି କି ବୀରତ୍ୱ !

ମୁଁ ପୁଣି ବଡ଼ାଇ କରେ,

ବୋଲାଏ ଭକତ,

କରେ ଧର୍ମ ଆସ୍ଫାଳନ,

ଅଧମ, ପତିତ ।

ପ୍ରାଣୀରେ ପୀରତି ନାହିଁ,

ପ୍ରେମମୟ ହରି,

ନିର୍ମମ ନିଠୁର ହାତେ

ହୁଅନ୍ତି କି ଧରି ?

‘‘କ୍ଷମାମୟ ବିଭୁ ! ଦୋଷ

କ୍ଷମାରୁ ଅତୀତ,

କୃପାଜଳେ ଧୁଅ ନାଥ !

ଅନ୍ତର ଦୁଷ୍କୃତ ।’’

ଅନ୍ତର୍ଦାହେ ଜଳେ ବୀର,

ଗଣ୍ଡେ ଅଶ୍ରୁଧାର,

ଘୋର କ୍ଷୋଭେ ଫିଙ୍ଗିଦିଏ

ଲୌହ ତଲବାର ।

କାଠରେ ତିଆରି ଖଣ୍ଡା

ପୂରାଇଣ ଖୋଳେ,

ଶିକାରରୁ ଫେରେ ବୀର

ପରାଣ-ବିକଳେ ।

ଶିକାର-ଗରବେ ବୀରେ

ବଖାଣନ୍ତି କୃତି,

ଭୁବନ-ସିଂହ ନୀରବ,

ନାହିଁ ମୁଖେ ଜ୍ୟୋତି ।

ଈର୍ଷାରେ ତ ଜଳୁ ଥିଲା

ସାମନ୍ତରୁ ଜଣେ,

ଭୁବନସିଂହ ଖ୍ୟାତି

ସଦା ବିଷ ମଣେ ।

ଶତ୍ରୁର ବିଷାଦେ ଲଭେ

ଅନ୍ତରେ ତୃପତି,

କାରଣ ସେ ବୁଝିନେଲା

ସାବଧାନେ ଅତି ।

‘‘ବୀରତ୍ୱ ବରଜି ଫିଙ୍ଗି

ଲୌହ ତଲବାର,

ଭୁବନସିଂହ କରନ୍ତି

କାଠରେ ଆଦର !’’

ଶତ୍ରୁ କହେ ରାଣା କାନେ,

ରାଣା ଦେଲେ ହସି,

ଦବିଯାଏ ଦେଖିଲା ଥରେ

ଖୋଲି ତଲବାର,

କାଷ୍ଠମୟ ଦେଖି ଲଭେ

ଆନନ୍ଦ ଅପାର ।

ରାଣାକାନେ କହେ ଶତ୍ରୁ

ଗୁପ୍ତେ ବାରମ୍ବାର

‘‘କାଠଖଣ୍ଡା ଧରେ ବୀର

ସାମନ୍ତରେ ସାର !

ଧ୍ୟାନ ଦିଅ, ରାଜା ! ଥରେ

ନିଜେ ଖଣ୍ଡା ଦେଖ,

କଥା ମିଥ୍ୟା ହେଲେ, ଦେହେ

ଶିର ମୋ ନ ରଖ !’’

ରାଣା ବୁଝିନେଲେ ‘‘ଲୋକ

ଜଳେ ଈର୍ଷାନଳେ,

ଭୁବନ ସିଂହକୁ ଇଚ୍ଛେ

ପକାଇବ ତଳେ ।’’

ରାଜଉପବନ ମଧ୍ୟେ

ରମ୍ୟ ସରୋବର,

ତୀରେ ଆଡ଼ମ୍ବରେ

ଭୋଜି ରଚେ ନୃପବର ।

ରାଣାଙ୍କର ନିମନ୍ତ୍ରଣେ

ସାମନ୍ତ ସକଳ,

ବଡ଼ ବଡ଼ ବୀର ସବୁ

ହୋଇଛନ୍ତି ଠୁଳ ।

ଲାଗିଛି ଆମୋଦ ଗଳ୍ପ

ଖେଳ କଉତୁକ,

ସ୍ଥାନେ ସ୍ଥାନେ ରଙ୍ଗ ନୃତ୍ୟ

ଦେଖୁଛନ୍ତି ଲୋକ ।

ବସିଛନ୍ତି ଚତୁର୍ଦ୍ଦିଗେ

ସାମନ୍ତମଣ୍ଡଳୀ,

ରାଣା ନିରେଖି ଦେଖନ୍ତି

ଖୋଲି ତରବାରୀ ।

କହନ୍ତି, ‘‘ଦେଖିବା ଆଜି

କାହା ତରବାରୀ

ଚାକଚକ୍ୟ ଗୁଣେ ଯିବ

ସବୁଠାରୁ ବଳି ।’’

ଜଣ ଜଣ କରି ବୀରେ

ଖେଳରୁ ବାହାର,

କରି ଦେଖାଅନ୍ତି ଖଣ୍ଡା

ହୋଇ ତତପର ।

ଭୁବନ ସିଂହ ତ ସବୁ

ସାମନ୍ତରେ ବଡ଼,

ସେ କିପାଁ ବିଷର୍ଣ୍ଣ, ବସି-

ଛନ୍ତି ହୋଇ ଜଡ଼ !

ରାଣାଙ୍କ ଇଙ୍ଗିତେ କରି

ଭଗବାନ ଧ୍ୟାନ,

କହନ୍ତି ସେ, ‘‘ଦାରୁଖଣ୍ଡା

କି ଦେଖିବେ ଜନ ?’’

ଦାରୁ କହୁ କହୁ ତୁଣ୍ଡୁ

‘ସାର’ ବାହାରିଲା,

ସାର ଇସ୍ପାତରେ କାଠ

କ୍ଷଣେ ପାଲଟିଲା ।

ବଚନସିଦ୍ଧ ହୋଇଲେ

ଭକତପ୍ରଧାନ,

ରଖିଲେ ତାଙ୍କରି ବାଣୀ

ବିଭୁ ଭଗବାନ ।

ଭୁବନ ସିଂହ ଦେଖାନ୍ତି

ଖୋଳୁ ଖଣ୍ଡା ଖୋଲି ।

ସୁଦୃଢ଼ ଇସ୍ପାତ ଖଣ୍ଡା

ଜ୍ୟୋତି ଯାଏ ଖେଳି !

ଘୂର୍ଣ୍ଣନେ ବିଦ୍ୟୁତ ଖେଳେ,

ନୟନ ଧରଷେ,

ଆଖି ବୁଜି ହୋଇଯାଏ,

ପ୍ରାଣେ ଭୀତି ଆସେ ।

ସବୁଠାରୁ ସାର ଖଣ୍ଡା

ରାଣା କଲେ ସ୍ଥିର,

ଶତ୍ରୁଙ୍କୁ ଖୋଜନ୍ତି ରାଗେ,

ପରାଣ ଅଧୀର ।

କହନ୍ତି କ୍ରୋଧରେ ନାଚି,

‘‘ପାଷାଣ୍ଡ ବର୍ବର !

ରାଣା କାନେ ମିଥ୍ୟା କହୁ,

ନାହିଁ ଭୀତି ତୋର ?

ମୁଣ୍ଡକାଟ ହେବ, ବେଗେ

ହୁଅ ତୁ ପ୍ରସ୍ତୁତ,

ଜାଣୁ ତୋର ସଚ୍ଚାପଣ

ସମସ୍ତ ଜଗତ ।

ଭୁବନ ସିଂହ ନୀରବ

ପ୍ରେମେ ଅଶ୍ରୁଝରେ;

ଦେଖି ପ୍ରଭୁଙ୍କର ଲୀଳା

ପୁଲକ ସଞ୍ଚରେ ।

ଠିଆହୋଇ କହନ୍ତି ସେ

ଶିର କରି ନତ,

‘‘ଅନ୍ନଦାତା ! ସବୁ କଥା

ସାମନ୍ତଙ୍କ ସତ ।

କ୍ଷମା ମିଳୁ, ସତେ ମୋର

କାଠ ତଲବାର,

କାଠ ତଲବାର ଘେନି

ଥିଲି ମୁଁ ହାଜର ।

ଛାମୁଙ୍କର ଥିବ ମନେ

ଗର୍ଭିଣୀ ହରିଣୀ,

ଛାମୁ ହେଲେ କ୍ଳାନ୍ତ, ହାତେ

ମାଇଲି ମୁଁ ହାଣି ।

କି କରୁଣ ମାତାର ସେ

ଅନ୍ତିମ ଚାହାଣୀ,

ପରାଣରେ ଲଜ୍ଜାଭୟ

ଜାଳିଦେଲା ଆଣି ।

ନିନ୍ଦିଲି ମୋ ଶୂରପଣ,

କର୍ମେ ଘୋର ଘୃଣା,

କାଠ ତଲବାର ନେଲି

ସେହି ଦିନୁ ରାଣା ।

ବିଭୁ ଅନୁଗ୍ରହେ କାଷ୍ଠ

ଇସ୍ପାତ ହୋଇଲା,

ଭୃତ୍ୟ ଲାଞ୍ଛନାରେ ପ୍ରଭୁ

ଇନ୍ଦ୍ରଜାଲ କଲା ।

ଆଶ୍ଚର୍ଯ୍ୟରେ ଅଭିଭୂତ

ସମବେତ ଜନ,

‘ଧନ୍ୟ’ ‘ଧନ୍ୟ’ ଶବ୍ଦ ଶୁଭେ,

ତାଳି ଘନ ଘନ ।

ଅଶ୍ରୁବିଗଳିତ ରାଣା

ମୁଖୁଁ ଫୁଟେ ବାଣୀ,

ଧନ୍ୟ ତୁ ଭବନ ସିଂହ,

ଧନ୍ୟ ତୋ କରଣି !

ଧନ୍ୟ ଶ୍ୟାମସୁନ୍ଦରେ ତୋ

ବିଶୁଦ୍ଧା ପୀରତି,

ତୋ ସେବାନିରତ ନିଜେ

ବିଭୁ ବିଶ୍ୱପତି ।

କୃତାର୍ଥ ସକଳେ କଲୁ

ଦେଇ ଦରଶନ,

ଧନ୍ୟ ତୋ ଜନମଭୂମି

କରିଣ ଧାରଣ ।

କ୍ଷୁଦ୍ର ମୋର ଦରବାର,

ନୁହେ ଯୋଗ୍ୟ ତୋର,

ବିଶ୍ୱେଶ୍ୱର ଦରବାରେ

ତୋର ଅଧିକାର ।

ଆଜିଠାରୁ ରାଣା କରି

ଚରଣ ଦର୍ଶନ,

ତୋ ପୂଣ୍ୟ ମନ୍ଦିରେ ଯାଉ-

ଥିବ ପ୍ରତିଦିନ ।

ଆଜିଠାରୁ ଜାଗୀର ତୋ

ଦୁଇ ଗୁଣ ହେଲା,

ଦୁଇ ଲକ୍ଷୁଁ ବଳି ଆୟ

ଚାରି ଲକ୍ଷେ ଗଲା ।’’

ଭୁବନ ସିଂହ-କି ହେବ ଜାଗୀର ଆଉ ?

ନିଅନ୍ତୁ ଫେରାଇ,

ଧରାର ଅସାର ଧନ

ପ୍ରାଣ ଚାହୁଁ ନାହିଁ ।

କୃପାକରି ଛାଡ଼ି ରାଣା

ଶିକାର ବ୍ୟସନ,

ଭଗବାନ ଶ୍ରୀଚରଣ

କରନ୍ତୁ ଚିନ୍ତନ ।

ଜୀବନ ହୋଇବ ଧନ୍ୟ,

ଅନାବିଳ ମତି,

ଶେଷରେ ଭୁଞ୍ଜିବେ ଛାମୁ !

ବୈକୁଣ୍ଠ-ବିଭୁତି ।

Image

 

ବିନା ବିହନରେ ଅପୂର୍ବ ଫସଲ

ଜାତିରେ କୃଷକ, ତାର

ପଶ୍ଚିମରେ ଘର,

କୃଷିକାମ କରେ ନିତି,

ହୃଦୟ ସରଳ ।

ଲେଖାପଢ଼ା ନାହିଁ

ଜଣା, ଶ୍ରଦ୍ଧାଳୁ ଭକତ,

ପ୍ରତିନିତ୍ୟ ସାଧୁସେବା

ତାର ପୁଣ୍ୟ ବ୍ରତ

ଦିନେ ଘରେ ଯୁଟିଛନ୍ତି

ବ୍ରାହ୍ମଣ ଗୋସାଇଁ

ପୁଷ୍ପ ନୈବେଦ୍ୟ ଯୋଗାଡ଼େ

ତାଙ୍କ ପୂଜା ପାଇଁ,

ପାଞ୍ଚ ବରଷର ପୁଅ

ଧନ୍ନା ରହି ପାଖେ,

ବ୍ରାହ୍ମଣର ଗତିବିଧି

ଧ୍ୟାନ ଦେଇ ଦେଖେ ।

ନିଜ ହାତେ କାଢ଼ି ଜଳ

କରେ ଦ୍ୱିଜ ସ୍ନାନ,

ସନ୍ଧ୍ୟା ନିତ୍ୟକର୍ମ ସାରି

କରେ ସ୍ତୁତି ଗାନ ।

ପୋଟଳିରୁ ଶାଳଗ୍ରାମ

ଥୋଇଣ ଆସନେ,

ପୂଜା ଆରମ୍ଭନ୍ତି ଦ୍ୱିଜ

ନିଷ୍ଠାପୂତ ମନେ ।

ଯଥାବିଧି ଧୂପ, ଦୀପ,

ତୁଳସୀ, ଚନ୍ଦନ,

ନଇବେଦ୍ୟ ବୋଲି ମନ୍ତ୍ର

କରନ୍ତି ଅର୍ପଣ ।

ନଇବେଦ୍ୟ ଅରପନ୍ତି

ପ୍ରେମେ ହୋଇ ଭୋଳା,

ଭାବେ କଣ୍ଟକିତ ତନୁ,

ବହେ ଅଶ୍ରୁଧାରା ।

ଅଶ୍ରୁ ଦେଖି ଶିଶୁପ୍ରାଣ

ହୋଇଲା ଅସ୍ଥିର,

ଦ୍ୱିଜେ ମାଗେ ଶାଳଗ୍ରାମ

ହୋଇଣ ଆତୁର ।

ଗୋସାଇଁ ମୋତେ ବି ଦିଅ

ଶାଳଗ୍ରାମ ଏକ,

ପ୍ରେମେ ମୁଁ କରିବି ପୂଜା

ବାହିବି ଲୋତକ ।

ତୁଳସୀ ଚନ୍ଦନ ଦେଇ

କରିବି ଅର୍ଚ୍ଚନା,

ପ୍ରେମେ ନଇବେଦ୍ୟ ଦେବି,

ନ କରନ୍ତୁ ମନା ।

କିଏ ଦେବ ଶାଳଗ୍ରାମ

ଚଷାପିଲା ହାତେ ?

ଶିଶୁ ତ ନ ଛାଡ଼େ ଜିଦି,

ବୁଝାଇଲେ ଯେତେ ।

କଳା ପଥର ଖଣ୍ଡିଏ

ଖୋଜି ଆଣେ ଦ୍ୱିଜ,

ଶିଶୁହାତେ ଦେଇ କହେ

ଏଇ ଦିଅଁ ପୂଜ ।

ପାଞ୍ଚ ବରଷର ପିଲା,

ଶୁଦ୍ଧ ଶିଶୁମନ,

ଆନନ୍ଦେ ଘେନଇ ଶିଳା,

ଦିଅଇ ଚୁମ୍ବନ ।

ଶାଳଗ୍ରାମ ଧରି ବିର-

ଚିଲା ଦିବ୍ୟ କେଳି,

ଖେଳ କଉତୁକ ଶିଶୁ

ସବୁ ଗଲା ଭୁଲି ।

ପ୍ରାତଃକାଳୁ ଉଠେ ଶିଶୁ,

ସ୍ନାନ ସାରି ନିତି,

ପଥରେ କରାଏ ସ୍ନାନ

ଭକ୍ତିଭରେ ଅତି ।

ମାଟିକୁ ଚନ୍ଦନ କରି

ଦିଅଇ ତିଳକ,

ତୁଳସୀ ହୁଅଇ ତାର

ଝଡ଼ାପତ୍ରଯାକ ।

ନିଆଁରେ ପକାଇ ଧୂଳି

ଥୁଏ ଧୂପ କରି,

କାଠିଜାଳି ଦୀପ ଧରେ

ମହା ପ୍ରେମେ ପୂରି ।

ପ୍ରଣିପାତ କରି କହେ

ଗଡ଼ାଇଣ ଲୁହ,

‘‘ବଜାରୁ ଆସିନି ଭୋଗ

ଆଉ ତିଳେ ରହ ।’’

ବଜାରୁ ଆସିଲା ରୁଟି

ମାଆ ଦେଲେ ପୁଏ,

ପ୍ରଭୁଙ୍କ ଆଗରେ ଧନ୍ନା

ଭକ୍ତିଭରେ ଥୁଏ ।

ଗୁଣୁ ଗୁଣୁ ସ୍ୱରେ ଧନ୍ନା

ଡାକେ ରଖି ଧ୍ୟାନ,

ଆସ ଆସ ପ୍ରଭୁ କର

ନୈବେଦ୍ୟ ଗ୍ରହଣ ।

ଆଖି ବୁଜି ରହେ ସ୍ଥିର

ଗୋସାଇଁଙ୍କ ପରି,

ଖାଆନ୍ତି କି, ଦେଖେ ଅଳ୍ପେ

ନୈବେଦ୍ୟ ତାହାରି ।

ନ ଆସନ୍ତି ପ୍ରଭୁ ତାର

ନ ଘେନନ୍ତି ରୁଟି,

ଅସ୍ଥିର ହୋଇଣ ଶିଶୁ

ଧରଣୀରେ ଲୋଟି ।

ଗଡ଼ି ଗଡ଼ି କାନ୍ଦେ ଧନ୍ନା

କରଇ ବିଚାର,

‘‘ନ ଘେନିଲେ ପୂଜା ପ୍ରଭୁ

ନ କଲେ ଆଦର ।

ପିଲା ବୋଲି ପ୍ରଭୁ ମୋରେ

କଲେ ଅବହେଳା,’’

କାନ୍ଦି କାନ୍ଦି ଶେଷେ ରୁଟି

ବଣେ ଫିଙ୍ଗି ଦେଲା ।

ପ୍ରଭୁ ନ ଖାଇଲେ ରୁଟି,

ଅଭିମାନେ କହେ,

‘‘ତୁମର ଓପାସ, ମୁଁ ବି

ଉପବାସେ ରହେ ।’’

ଦିନୁଁ ଦିନ ଗଲା ଗଡ଼ି,

ଠାକୁର ନ ଖାଏ,

ଧନ୍ନା ଫିଙ୍ଗି ଦିଏ ରୁଟି

ଉପବାସେ ରହେ ।

ଖାଦ୍ୟପାନ ଛାଡ଼ି ଶିଶୁ,

ଗଲା ଶୁଖି ଶୁଖି,

କି ହୁଏ ଭାବନ୍ତି ମନେ

ପିତାମାତା ଦେଖି ।

ଶିଶୁର ମନରେ କିନ୍ତୁ

ଏକଇ ଭାଳେଣି

‘‘ପ୍ରଭୁ ନ ଘେନିଲେ

ନ ଛୁଇଁବି ରୁଟି ପାଣି ।

ଶିଶୁର ଏ ଅଭିମାନ

ଅନ୍ତରର ଟାଣ,

ସରଳ ବିଶ୍ୱାସଭରା

ଏ ପ୍ରେମପୂଜନ ।

ପ୍ରେମମୟ ପାରନ୍ତେ କି

କରି ଅବହେଳା

ବଜାରର ରୁଟି ହେଲା

ଅମୃତରେ ବୋଳା ।

ପ୍ରକଟ ହୋଇଲେ ପ୍ରଭୁ,

ଧନ୍ନା ଦେଖି ଖୁସି,

କରୁଛନ୍ତି ଭୋଗ ପ୍ରଭୁ

ତା ଆଗରେ ବସି ।

ସରିଲା ଅଧେକ ରୁଟି,

ଧନ୍ନା ହାତ ଧରେ,

ଥାଉ ମୋହ ପାଇଁ, ପ୍ରଭୁ !

ଉପବାସେ ମରେ ।

ଏତେ ଦିନ ନ ଆସିଲ,

ଦେଲି ମୁଁ ଫୋପାଡ଼ି,

ଆଜି କି ଖାଇବ ସବୁ,

ପେଟ ଯାଏ ପୋଡ଼ି ।

ପ୍ରେମେ ଧରି କୋଳେ ଶିଶୁ

କରାନ୍ତି ଭୋଜନ,

ଗଡ଼ିପଡ଼େ ଅଶ୍ରୁ, ପ୍ରଭୁ

ଚୁମ୍ବନ୍ତି ବଦନ ।

ବହୁ ଜନ୍ମ କ୍ଷୁଧା ଗଲା,

ଧନ୍ନା କହେ ହସି,

‘‘ଭାଜିଲା କି ଅଭିମାନ,

ଧରାଦେଲ ଆସି !’’

ଦେଲା ଯାର ପ୍ରାଣେ, ସୁଦା-

ମାର ଗଡ଼ିଖୁଦ,

ଦ୍ୱାରକା ଛପନ ଭୋଗୁଁ

ଅଧିକ ଆମୋଦ ।

ବିଦୁରର ଶାଗ ଆଉ

ଚୋପା ତରକାରୀ,

ଦୁର୍ଯ୍ୟୋଧନ ସମ୍ଭାବନା-

ଠାରୁ ଗଲା ବଳି ।

ଭାଲୁଣୀର ହାତୁଁ ଖାଇ

ଛାର ବେଲ ଫଳ,

ପ୍ରଶଂସା ତା ନ ସରିଲା

ଧରି କାଳ କାଳ ।

ସେହି ପ୍ରଭୁ ପ୍ରେମଭୋଖୀ

ବ୍ରଜରାଜ ସୁତ,

ଧନ୍ନା ରୁଟି ସ୍ୱାଦ ତାରେ

କଲା ବିମୋହିତ !

ପ୍ରତି ନିତ୍ୟ ବଇକୁଣ୍ଠୁ

ଆସିଲେ ସେ ଧାଇଁ,

ଧନ୍ନା ରୁଟି ଚାଖି ଥରେ

ହୋଇଗଲେ ବାଇ ।

ବାଲ୍ୟକାଳ ଗଲା ଧନ୍ନା

ହୋଇଲା ଗମ୍ଭୀର,

ତା ହାତରୁ ଅନ୍ନ ପ୍ରଭୁ

କଲେ ଅସ୍ୱୀକାର ।

କହିଲେ, ‘‘ତୁ କାଶୀ ଯାଇ

ଆସ ଦୀକ୍ଷା ଘେନି,

ତେବେ ଯାଇଁ ପୂତ ହେବ

ତୋର ଅନ୍ନ ପାଣି ।’’

ଧନ୍ନା ଯାଇ କାଶୀ, ଗୁରୁ

କରେ ରାମାନନ୍ଦେ,

ଦୀକ୍ଷା ନେଇ ବୁଡ଼େ ସେହୁ

ପରମ ଆନନ୍ଦେ ।

ଗୁରୁ ଦେହେ ଦେଖେ ଧନ୍ନା

ସ୍ୱୟଂ ନାରାୟଣ,

ପ୍ରେମେ ଗୁରୁପଦ ପୂଜେ,

ଦେଇ ପ୍ରାଣମନ !

ଗୁରୁ ଆଜ୍ଞା ପାଇ ନିଜ

ଘରେ ଆସେ ଫେରି,

ସର୍ବତ୍ର ସକଳ ଘଟେ

ଦେଖେ ବଂଶୀଧାରୀ ।

ହୃଦୟହାରୀଙ୍କୁ ଦେଖି

ଧନ୍ନା ଘଟେ ଘଟେ,

ଭବଭୟ ଗଲା ପ୍ରାଣୁଁ

କାମନା ତା ତୁଟେ ।

ଜୀବନ୍ମୁକ୍ତ, ଆତ୍ମାରାମ,

ନିର୍ଲିପ୍ତ କରମେ,

ନିମିତ୍ତ ସେ, କର୍ମ ଚଳେ

ପ୍ରକୃତି ନିୟମେ ।

ପିତୃ ଆଜ୍ଞା ଧରି ଥରେ

ଧନ୍ନା ଗଲେ ବିଲେ,

ଗହମ ବୁଣିବେ ସଙ୍ଗେ

ବିହନ ସେ ନେଲେ ।

ବାଟରେ ଭେଟନ୍ତି ସାଧୁ

ଅଭ୍ୟାଗତ ଜନ,

ମାଗନ୍ତି ଭିଖ କ୍ଷୁଧାରେ

ଆକୁଳ ପରାଣ ।

ସର୍ବ ଘଟେ ଦେଖେ ଧନ୍ନା

ରହିଛନ୍ତି ହରି,

ଠକି ଦେଇ ଯାଆନ୍ତେ ସେ

ଚିଲକୁ କିପରି ?

ନମିଣ ହରିରେ ସନ୍ଥେ

ବିହନ ସେ ଦେଲେ,

ବିନା ବିହନରେ ଜମି

ଚାଷକଲେ ଭଲେ ।

ଚାଷ କରି, ମଇ ଦେଇ

ଫେରିଆସି ଘରେ,

ବିଲଦଶା ଜଣାଇଲେ

ପ୍ରଭୁ ଚରଣରେ ।

ବିହନ ନ ବୁଣି କେବେ

ହୁଅଇ କି କ୍ଷେତ ?

ଭକ୍ତର ପ୍ରତିଷ୍ଠା ପାଇଁ

ଶ୍ରୀହରି ଚିନ୍ତିତ ।

ଲାଗିଗଲେ ଲୀଳାମୟ

ଲୀଳା ବିରଚନେ,

ପ୍ରଭୁର ଇଚ୍ଛାରେ ଭୂମି

ଭରିଲା ବିହନେ !

କାମଦୁହା ପୃଥୀ ଦେବୀ

ପ୍ରଭୁର ଇଙ୍ଗିତେ

ଚାରାରେ ଭରିଲେ ଭୂମି,

ହସାଇଲେ କ୍ଷେତେ ।

ଚାରିଆଡ଼େ ଦେଖି ଲୋକେ

ହେଲେ କୁହାକୁହି,

‘‘ଏପରି କ୍ଷେତ ତ ଆଖି

କାହିଁ ଦେଖି ନାହିଁ ?

ଭଲ ଧନ୍ନା କଲୁ ଚାଷ,

ବୁଣିଲୁ ବିହନ,

ବଡ଼ ବଡ଼େ ବଳି ଦେଖା-

ଇଲୁ ଚାଷୀପଣ ।’’

ଧନ୍ନାକୁ ଲାଗିଲା ସବୁ

ବିଦ୍ରୂପ ବଚନ,

ଅବୁଣା ବିଲରେ ଚାରା

ଉଠିବ କେସନ ?

ସର୍ବ ମୁଖେ ଏକା କଥା

ଧନ୍ନା ଶୁଣି ଶୁଣି,

କ୍ଷେତ ଦେଖିଯାଏ ଶେଷେ

ବିଭୁ କୃପା ଗୁଣି ।

ଦେଖିଲା କ୍ଷେତରେ ହସି-

ଉଠୁଛି କିଆରୀ,

ପବନ ନଚାଏ ଚାରା,

ରଚଇ ଲହରୀ ।

ପରାଣ ନାଚିଲା ପ୍ରେମେ

ପ୍ରଭୁକୃପା ଭାଳି,

ନାଚେ ନାମ ନେଇ ଧନ୍ନା,

ଦେଇ କରତାଳି ।

କୃଷକ ! ସରଳ ପ୍ରାଣେ

ଜଗାଅ ବିଶ୍ୱାସ,

ଲଙ୍ଗଳ ତୋ ବିଭୁ ନାମ

ଗାଇ କରୁ ଚାଷ !

ବଇକୁଣ୍ଠ ଭୁଲି ଲକ୍ଷ୍ମୀ

ଦେଖାଦେବେ ଆସି,

ତୋ କ୍ଷେତ୍ର ଶସ୍ୟରେ ପୂରି

ଉଠିବ ଉଲ୍ଲସି ।

ନାମ ନେଇ କରତାଳି

ଦିଅ ଭକ୍ତଗଣ,

କ୍ଷେତ୍ରେ କ୍ଷେତ୍ରେ ଭରି ଶସ୍ୟ

ହେଉ ଉତପନ୍ନ ।

ପ୍ରଭୁ କୃପା ନ ହେଲେ କି

ଦେଶର ଦୁର୍ଗତି

ଘୁଞ୍ଚିବ, ହସିବ ଧରା,

ବଢ଼ିବ ବିଭୁତି !

Image

 

ଅଲୌକିକ କ୍ଷମା

ଗଣ୍ଡକ-ନଦୀର ତୀରେ !

ଧର୍ମିଷ୍ଠ ବ୍ରାହ୍ମଣ,

ଶଙ୍କର ପଣ୍ଡିତ ରହେ

ଅତି ହିଁ ବିଦ୍ୱାନ ।

ଭରଦ୍ୱାଜଗୋତ୍ରୀ ଦ୍ୱିଜ

କର୍ମନିଷ୍ଠ ଅତି,

ପ୍ରଭାତରୁ ସ୍ନାନ ସନ୍ଧ୍ୟା

ବିଭୁପୂଜା ନିତି ।

ରାମ-ମୂର୍ତ୍ତି ଶାଳଗ୍ରାମ

ଶୋଭାପାଏ ଘରେ,

ଷଡ଼କ୍ଷର ରାମମନ୍ତ୍ର

ଜପଇ ପହରେ ।

ବୈଶ୍ୱଦେବ ତର୍ପଣାଦି

ସାରି ନିତ୍ୟକର୍ମ,

ଶିବପୂଜା ପାଇଁ ଦ୍ୱିଜ

କରଇ ଗମନ ।

ପୁରାଣ ଅଶ୍ୱତ୍‌ଥମୂଳେ

ଶିବାଳୟେ ଯାଇଁ,

କରେ ନିତି ଅଭିଷେକ

ଭକ୍ତିପୂତ ହୋଇ ।

ବିଷ୍ଣୁ ଭକ୍ତ, ନିଷ୍ଠାପର,

ପଣ୍ଡିତପ୍ରଧାନ,

ରାମ ଶିବେ ସମବୁଦ୍ଧି

ନାହିଁ ଭେଦଜ୍ଞାନ ।

ଶିବାର୍ଚ୍ଚନ ସଙ୍ଗେ ଦ୍ୱିଜ

ଶ୍ରୀରାମପୂଜନ

କଲେ, ଭାବେ ପୂଜାପୂର୍ଣ୍ଣ,

ହୁଏ ପରସନ ।

ଗୃହଦେବ ପରସାନଦ

କରିଣ ଭୋଜନ,

ଗ୍ରାମ ବିଦ୍ୟାଳୟେ ଯାଏ,

କରେ ଅଧ୍ୟାପନ ।

ସେ ଗ୍ରାମେ ଠାକୁର ଜୟ-

ପାଳ ଅର୍ଥପତି,

ମାନୀ, ଦାନୀ, ଲୋକପ୍ରିୟ,

ଧାର୍ମିକ ସେ ଅତି ।

ଟୋଲ ବସାଇଣ ଗ୍ରାମେ

ବିତରଇ ଜ୍ଞାନ,

ଦଶ ପାଞ୍ଚ ବିଦ୍ୟାର୍ଥୀଙ୍କୁ

ଦିଅଇ ଭୋଜନ ।

ସୂର୍ଯ୍ୟ ଆରାଧନେ ପାଇ-

ଥିଲା ଗୁପ୍ତଧନ,

ପନ୍ଦର ଲକ୍ଷ ଟଙ୍କାର

ବିଶୁଦ୍ଧ ସୁବର୍ଣ୍ଣ ।

ଦଶ ଲକ୍ଷରେ ସବିତା

ମନ୍ଦିର ରଚିବ,

ସେବାପୂଜା ପାଇଁ ଜମି

ବାଡ଼ି ଖଞ୍ଜିଦେବ ।

ଅବଶିଷ୍ଟ ସମ ଅଂଶେ

ନେବେ ପୁତ୍ର ଚାରି,

ମନର କଳ୍ପନା ପୁଏ

କହଇ ବିସ୍ତାରି ।

ମନ୍ଦିର ତୋଳିବ ଭାବି-

ହୁଏ ଜୟପାଳ,

ତା ଚିନ୍ତାକୁ ନ ତକାଇ

ଆସେ ଶେଷକାଳ ।

ମରଣ ସମୟେ କହି

ଯାଏ ନିଜ ସୁତେ,

‘‘ମୋ ସମ ଦେଖିବ

ସଦା ଶଙ୍କର ପଣ୍ଡିତେ ।

ସେପରି ପୁଣ୍ୟାତ୍ମା ଗ୍ରାମେ

ନାହିଁ ଆଉ ଜଣେ,

ତାଙ୍କ ପଦେ ଭକ୍ତିପ୍ରୀତି

ରଖିବ ଯତନେ ।’’

ପିତା ଗଲେ ବଡ଼ପୁଅ

କରଇ ରାଜୁତି,

କୁଶଳ ତା ନାମ,

କାର୍ଯ୍ୟେ ଅକୁଶଳ ଅତି ।

ବିଳାସପ୍ରିୟ, ଅସାଧୁ,

ଭୀରୁ, ସ୍ୱାର୍ଥପର,

ଟୋଲ ଉଠାଇଣ ଦେବ

କରଇ ବିଚାର ।

ଲୋକଲଜ୍ଜା, ମାତୃଭୟେ

ନ ହେଲା ସାହାସ,

ଶଙ୍କର ପଣ୍ଡିତୁ କ୍ରମେ

କମାଏ ବିଶ୍ୱାସ ।

କୁଶଳର ଗତି ଦେଖି

ଶଙ୍କର ପଣ୍ଡିତ,

ବହୁ ସମୟରେ ସେ ତ

ହୁଅନ୍ତି ଚିନ୍ତିତ ।

ଅର୍ଥ ଅନର୍ଥର ହେତୁ,

ବୁଝନ୍ତି ସେ ଭଲେ,

ଭାବନ୍ତି, ବିଷମ ଫଳ

ହେବ ତିଆରିଲେ ।

ପାଇ ଏକ ସିଧା ନିତି,

ମାସିକ ବେତନ,

ଆନ ବ୍ୟବହାରେ ଦ୍ୱିଜ

ରହେ ଉଦାସୀନ ।

କିଛି ଦିନେ ହୁଏ ମୃତ୍ୟୁ,

ମାତା ଚଳି ଗଲେ,

କୁଶଳ ଅଙ୍କୁଶମୁକ୍ତ

ମନେ ମନେ ଭାଳେ ।

ଭାଗ ଭାଗ ହେଲେ ଭାଇ,

ବଡ଼ ଫୁଙ୍କିଦେଲା

ବିଳାସବ୍ୟସନେ ଧନ,

ତା ଭାଗ ସାରିଲା ।

ଭାବିଲା କୌଶଳେ ନେବ

ଅଧିକାଂଶ ସୁନା,

ଏକ ଜାଲ ଦସ୍ତାବିଜ

କଲା ସେ ରଚନା ।

ତିନି ଭାଗ ହେବ ତାର

ଆଉ ଭାଗ ଏକ,

ଭାଗ ଭାଗ କରିନେବେ

ସାନଭାଇଯାକ ।

ଏସବୁ ବର୍ଣ୍ଣନା ଥାଇ

ପିତୃ ଦସ୍ତଖତ

ଅବିକଳ ହୋଇଥିଲା,

ସରବେ ଚକିତ ।

କୁଶଳ ଭାଇଙ୍କୁ ଡାକି

ଦସ୍ତାବିଜ ଧରି,

ଦେଖାଇଲା, କହିଗଲା

ସମସ୍ତ ବିସ୍ତାରି ।

‘‘ମନ୍ଦିର ଗଢ଼ିବେ, ପିତା

କରିଥିଲେ ମନ,

ମନେ ମନେ ଥିଲା କଥା,

ଆସିଲା ମରଣ ।

ମରଣ ଆଗରୁ ଦସ୍ତା-

ବିଜ କରିଗଲେ,

ଶଙ୍କର ପଣ୍ଡିତ ଆଗେ

ଦସ୍ତଖତ ଦେଲେ ।’’

ଭାଇଏ ଜାଣନ୍ତି ଭଲେ,

ଜ୍ୟେଷ୍ଠର ପ୍ରକୃତି,

ଘୋର ଅବିଶ୍ୱାସ ତାରେ,

ପଣ୍ଡିତେ ଭକତି ।

‘‘କହନ୍ତି, ସ୍ୱୀକାର ଦେଲେ

ଶଙ୍କର ପଣ୍ଡିତେ,

ନ ଚଳିବେ ପିତାଙ୍କର

ଇଚ୍ଛା ବିପରୀତେ ।’’

ଶଙ୍କର ପଣ୍ଡିତ କଥା

କରି ପରକାଶ,

ଭାବଇ କୁଶଳ ମନେ

କରିବ ସେ ବଶ

ବହୁ ଅର୍ଥ ଦେଇ, ସେ ତ

ଦରିଦ୍ର ବ୍ରାହ୍ମଣ,

ଦେଖାଇଣ ଦସ୍ତାବିଜ

କହେ ସବୁ ହାଲ ।

ମନଧ୍ୟାନ ଦେଇ ଦ୍ୱିଜ

ଦସ୍ତାବିଜ ଦେଖେ,

‘‘ଅବିକଳ ଦସ୍ତଖତ’’

କହେ ସ୍ମିତମୁଖେ ।

‘‘କିନ୍ତୁ ଦସ୍ତାବିଜ ଜାଲ,

ଧୂର୍ତ୍ତର କରଣୀ,

ପିତୃ ଦସ୍ତଖତୁଁ ଭିନ୍ନ,

କଷ୍ଟେ ହୁଏ ଜାଣି ।’’

କୁଶଳ - ପଣ୍ଡିତେ ନ ଭାବି କିସ

କହିଯାନ୍ତି ଏତେ,

ଦସ୍ତାବିଜ ଜାଲ, ମୋର

ହାତଲେଖା ଯେତେ ।

ଏ କଥାରେ ମୋତେ

କିଏ ନ ଭାବିବ ଧୂର୍ତ୍ତ ?

ଏପରି କି ଆପଣଙ୍କ

କହିବା ଉଚିତ ?

ପଣ୍ଡିତେ-ଧନ କାହା ସଙ୍ଗେ କେବେ

ଯାଏ ନାହିଁ ବାବୁ,

ସେଥିପାଇଁ ରୋଗ, ରୋଷ,

ଅପଯଶ ସବୁ ।

ପାପଲବ୍ଧ ଧନ ସୁଖ

ନ ଦିଏ ମରତେ,

ତା ପାଇଁ ତାଣ୍ଡବ, ମିଥ୍ୟା,

ରକ୍ତପାତ ଯେତେ ।

ଧରମେ ଅର୍ଜିତ ଧନେ

ଧର୍ମ ପୂଣ୍ୟ କରି,

ଧର୍ମେ ସୁଖ, ପାପେ ମୃତ୍ୟୁ

ରଖ ହେତୁ କରି ।

କୁଶଳ-ପୁଣି ସେଇ ଅବିଶ୍ୱାସ,

ଅବିଶ୍ୱାସ ମୋରେ,

ସହାୟ ହୁଅନ୍ତୁ, ପିତୃ-

ଇଚ୍ଛା ପୂର୍ଣ୍ଣକରେ ।

ସେବା କରୁଥିବି ପଦେ

ଥିବି ଯେତେ ଦିନ,

ନ ହେବି କୃତଘ୍ନ, ବାଣ୍ଟି-

ଦେବି ଅଧେ ଧନ ।

ପଣ୍ଡିତେ-କେଡ଼େ ବଡ଼ ବାପପୁଅ !

ହେବୁକି ତୁ ଚୋର !

ଜାଲ ଦସ୍ତାବିଜ କରି

ଠକିବୁ ସୋଦର ?

ମୋତେ ଡାକୁ ତୋର ପାପେ

ହୋଇବି ମିଳିତ,

ରାମ, ରାମ, ଏସବୁ ତୋ

ଅତି ହିଁ ଗର୍ହିତ ।

ପାପ ଧନେ ହେବ ନାହିଁ

ଶ୍ରୀହରି ଅର୍ଚ୍ଚନା,

ପାଦେ ଫିଙ୍ଗିଦେବି ହେଳେ,

ରଖିଥା ତୋ ସୁନା ।

କୁଶଳ କହଇ କ୍ରୋଧେ

ହୋଇଣ ଅଧୀର,

କୁଶଳ-ଭିଖାରୀ ବ୍ରାହ୍ମଣ କାଢ଼ୁ

କେତେ ତୁ ଚାତର !

ହୋମ କରିବାକୁ ଗଲେ

ଦେହେ ବାଜେ ତାତି,

ପିତାଙ୍କ ତ୍ୟାଗରୁ ଜାତ

ଦୁଷ୍କୃତି ମୂରତି ।

ହଉ ତେବେ ଯାଏ ବିପ୍ର,

ରଖିଥା ତୋ ମନେ,

ଏ ଦୁଷ୍କୃତି ଫଳ ଭୋଗ

ହେବ ଅଳ୍ପ ଦିନେ ।

ରେଣୁଯାଏ ସୁଝାଇବି

ଏ ଯେ ଅପମାନ !

କୁଶଳପାଳ ଯେ କିଏ,

ଜାଣିବୁ ବ୍ରାହ୍ମଣ !

ପଣ୍ଡିତେ-ସୁନ୍ଦର ନ ଦିଶେ ବାବୁ !

ଏଡ଼େ ଗର୍ବ ତୋର,

କାହା ଘର ଧନ ଖାଇ

କେ କାଢ଼େ ଚାତର !

ବିଶାଳ ଏ ବିଶ୍ୱ, ପାଳୁ-

ଛନ୍ତି ବିଶ୍ୱସାଇଁ,

ଧର୍ମେ ଆତଯାତ, ଅଧ-

ର୍ମର ସ୍ଥାନ ନାହିଁ ।

ନିରପରାଧର ରକ୍ଷା

କରେ ନାରାୟଣ,

କୁଶଳ କି ତୋର ଶକ୍ତି,

ବିହିବୁ କଷଣ !

ନିଜ କର୍ମଦୋଷେ ଦଣ୍ଡ

ଭୋଗେ ଏଥି ନର,

ବୁଝାଇ କହୁଛି ବାବୁ !

ଧର୍ମପଥ ଧର ।

ଧର୍ମ ଧରି ଛାଡ଼ ପାପ,

କର ଆତ୍ମଶୁଦ୍ଧି,

ଆଶର୍ବାଦ କରେ, ବିଭୁ

ଦିଅନ୍ତୁ ସୁବୁଦ୍ଧି ।

‘‘ରଖିଥା ତୋ ଆଶୀର୍ବାଦ’’

କହିଣ କୁଶଳ,

ଦେଖୁ ଦେଖୁ ମୁହୂର୍ତ୍ତକେ

ହୋଇଲା ଅନ୍ତର ।

ପଣ୍ଡିତେ ଭାବନ୍ତି ଚାହିଁ

କ୍ଷମାଶ୍ରୁ ନୟନେ,

‘‘ଦୁର୍ଲଭ ମାନବ ଜନ୍ମ

ନାଶୁଁ ଅକାରଣେ,

କୁଶଳ ! ବିଧାତା ତୋର

କରନ୍ତୁ ମଙ୍ଗଳ,

ଅକାରଣ ହେବ ନାହିଁ,

ଏ ମୋ ଅଶ୍ରୁଜଳ ।’’

ଶିବମନ୍ଦିର ସମୀପେ

ଅଛି ସରୋବର,

ଶଙ୍କର ପଣ୍ଡିତଙ୍କର

ଚିର ପ୍ରିୟସ୍ଥଳ ।

ସେହିଠାରେ ସ୍ନାନ ସାୟଂ-

ସନ୍ଧ୍ୟା ଆଦି କରି

ପହରେ ରାତିକି ଘରେ

ଯାଆନ୍ତି ସେ ଫେରି ।

ବାଟରେ ପଡ଼ଇ ମାଳ

ସାମାନ୍ୟ ଜଙ୍ଗଲ,

ସନ୍ଧ୍ୟା ହେଲେ ଶୂନଶାନ

ନ ଥାଏ ଗହଳ ।

ଦୁର୍ବୃତ୍ତ କୁଶଳପାଳ

ଛୁରା ଘେନି ହାତେ,

ଦିନେ ଲୁଚି ବସିଥିଲା

ପାଦପ ପଶ୍ଚାତେ ।

ଶିବମନ୍ଦିରୁ ପଣ୍ଡିତେ

ଯାଉଛନ୍ତି ଫେରି,

ମୁଖୁଁ ଖେଳେ ବିଭୁସ୍ତୁତି

ଅପୂର୍ବ ମାଧୁରୀ ।

ବକ୍ଷରେ ବସାଏ ଖଳ

ଭୀମ ଛୁରା ହେଳେ

‘ହା ରାମ !’ କହିଣ ବିପ୍ର

ପତିତ ଭୂତଳେ !

ଭୂତଳେ ପଡ଼ିଣ ବିପ୍ର

ଜ୍ଞାନ ହେଲା ଦୂର,

ପ୍ରବଳ ଧାରରେ ବକ୍ଷୁଁ

ବହିଲା ରୁଧିର ।

ପରକ୍ଷଣେ ଦେଖେ ବିପ୍ର

ଦୃଶ୍ୟ ବିମୋହନ,

ଫଳ ପୁଷ୍ପଭରା ଏକ

ମୋହନ ଉଦ୍ୟାନ ।

ଭ୍ରମର ଗୁଞ୍ଜନ ସଙ୍ଗେ

ପିକ ପଞ୍ଚସ୍ୱର,

ମୟୂରର କେକା ଶୁଭେ

କାକଳୀ ମଧୁର ।

ମଧ୍ୟେ ବିଶାଳ ଅଶ୍ୱତ୍‌ଥ

ରାଜଇ ରୁଚିରେ,

ତଳେ ସୀତା ରାମ ରତ୍ନ

ସିଂହାସନ ପରେ ।

ଭାଇ ଭରତ ଲକ୍ଷ୍ମଣ

କରନ୍ତି ଚାମର,

ହନୁମାନ ଚିପୁଛନ୍ତି

ଚରଣ-କମଳ ।

ସାଧୁସନ୍ଥ-ଭକ୍ତବୃନ୍ଦ

କରୁଛନ୍ତି ସ୍ତୁତି,

ଉପବନେ ଫୁଟିଉଠେ

ଅପୂର୍ବ ବିଭୂତି ।

ପ୍ରଭୁଙ୍କ ଶ୍ରୀଅଙ୍ଗୁ ଜ୍ୟୋତି-

ପ୍ରଭୁ ଦେଖେ ଚାହିଁ,

ଛୁରିକା ତୀବ୍ର ଆଘାତ

ବକ୍ଷେ ଆଉ ନାହିଁ ।

ପ୍ରେମେ ଅଶ୍ରୁ ଢାଳି ଦ୍ୱିଜ

ଲୋଟେ ବିଭୁପାଦେ,

ଉଠାଇ ଧରନ୍ତି ହନୁ

ଅପାର ଆହ୍ଲେଦେ ।

କୁଣ୍ଢାଇ ମାରୁତି ବିପ୍ର

ଯାଏ ବକ୍ଷେ ମିଶି,

କହୁଛନ୍ତି ରଘୁପତି

ଭକତରେ ହସି ।

‘‘କ୍ଷମା ମୋ ବିଗ୍ରହ ବିପ୍ର !

ପରମ ବିଭୂତି,

ତୁଳନାରେ ଊଣା ହେବ

ସରଗ ସମ୍ପତ୍ତି ।

କ୍ଷମା ବଳେ ତିଷ୍ଠି ରହି

ଅଛି ସର୍ବଭୂତ,

କ୍ଷମା ଗୁଣେ ସାରା

ସୃଷ୍ଟି ହୁଏ ଆତଯାତ ।

ମାତୃ ପ୍ରେମମୟୀ କ୍ଷମା

ଜଗତ ଜନନୀ,

କ୍ଷମା ସରଗକୁ ସୃଜେ

ସୁବର୍ଣ୍ଣ ସରଣୀ ।

କ୍ଷମାଦାନେ ମୋ ପରାଣ

କିଣଇ ଭକତ,

କ୍ଷମା ଗୁଣେ ହୁଏ ନର

ମୋଠାରୁ ମହତ ।

ତୋର କ୍ଷମା ଆଜି ଗଲା

ସବୁଠାରୁ ବଳି,

ଧରା ଆଜି ଧନ୍ୟ ପାଇ

ତୋର ପାଦଧୂଳି ।

ଛୁରୀ ମାରି, ବକ୍ଷ ଚିରି

ପିଉଛି ରକତ,

ତାହାରି ମଙ୍ଗଳ ମାଗୁ

ମୋଠାରେ ଭକତ !

ଧନ୍ୟ ଧନ୍ୟ ତୋର କ୍ଷମା,

ନିଷ୍କାମ ଭକତି,

ଅଂହକାରହୀନ ସେବା,

ଶୁଦ୍ଧ ରୁଦ୍ଧ ମତି !

ଅନ୍ତର ତୋ ବଇକୁଣ୍ଠ,

କଲି ତହିଁ ଘର,

ଆଖି ବୁଜିଲେ ଦର୍ଶନ

ପାଇବୁ ଏ ଥର ।’’

କ୍ଷଣକେ ସେ ଚାରୁ ଦୃଶ୍ୟ

ହେଲା ଅନ୍ତର୍ହିତ,

ଆଖି ଖୋଲି ଚାହେଁ ସୁଖେ

ଶଙ୍କର ପଣ୍ଡିତ ।

ଦେଖେ ପଡ଼ିଅଛି ସେହୁ

ଧରଣୀର ତଳେ,

ରକତେ ପଙ୍କିଳ ଧରା

ଅତି କୁତୂହଳେ ।

ଦେହେ ଅବସାଦ ନାହିଁ,

ବକ୍ଷେ ନାହିଁ ପ୍ରାସ,

ମହାଭାବେ ଭରା ପ୍ରାଣ,

ଅପୂର୍ବ ଉଲ୍ଲାସ !

ଉଠିଣ ଭକତ ଚଳେ

ପ୍ରେମେ ଢଳି ଢଳି,

ପୂତପ୍ରାଣୁଁ ପ୍ରଭୁସ୍ତୁତି

ପଡ଼ଇ ଉଛୁଳି ।

କୁଶଳ ମାରିଣ ଛୁରା

ଦ୍ୱିଜ ବକ୍ଷସ୍ଥଳେ,68

ଧାଏଁ ଘୋର ଅନୁତାପେ,

ପରାଣ ବ୍ୟାକୁଳେ ।

ଦୁଇ ଭୀମ ଯମଦୂତ

ନେଲେ ହାତେ ଧରି,

କହନ୍ତି ରେ ନରାଧମ !

ଯିବୁ କି ବାହାରି ?

ଗୁଣ୍ଡାମି ଛଡ଼ାନ୍ତୁ ତୋର,

ନରକେ ଡୁବାଇ,

ପଣ୍ଡିତଙ୍କ କ୍ଷମା ଯୋଗୁଁ

ଗଳ୍ପ ରକ୍ଷା ପାଇ ।

ଶଙ୍କରଙ୍କ ଆଶୀର୍ବାଦେ

ମୁକ୍ତ ହେଲୁ ସତ,

ତୋତେ ପାନେ ନ ଚଖାଇ,

ଛାଡ଼ିବୁ ନାହିଁ ତ !

ଦ୍ୱେଷ, ଲୋଭ, ଅହଂକାର

କରି ପରିହାର,

ବ୍ରାହ୍ମଣର ପଦ ଧର,

ପାଇବୁ ଉଦ୍ଧାର ।’’

ଏହା କହି ଶିରେ ତାର

ଦୁଇ ଘୁଷା ଦେଲେ,

ରକ୍ତବାନ୍ତି କରି ଦୁଷ୍ଟ

ଗଡ଼େ ଭୂମି ତଳେ ।

ଉଠିଲେଣି ଚନ୍ଦ୍ର, ପଥ

ଚନ୍ଦ୍ରିକା ଧବଳ,

ପଣ୍ଡିତେ ଆସନ୍ତି ବାଟେ,

ଦେଖନ୍ତି କୁଶଳ ।

କୁଶଳେ ମୂର୍ଚ୍ଛିତ ଦେଖି,

ହୁଏ ବଡ଼ ଦୁଃଖ,

କୂପୁଁ ଜଳ ଆଣି ଧୋଇ-

ଦେଲେ ରକ୍ତମୁଖ ।

ବହୁ ଛିଞ୍ଚା ବିଞ୍ଚା ପରେ

ଫେରିଆସେ ଜ୍ଞାନ;

ବିପ୍ର ପଦେ ଲୋଟି ଦୁଷ୍ଟ

କରଇ ରୋଦନ ।

କାନ୍ଦି କହେ, ‘ପତିତ ମୁଁ,

ପାପୀ ନରାଧମ,

ନିରନ୍ତର ପାପେ ରତ

ଭୁଲିଣ ଧରମ ।

କ୍ଷମାମୂରତି ଆପଣ,

ଶ୍ରୀଚରଣ ଧରେ,

କାତର ବ୍ୟାକୁଳ ପ୍ରାଣେ

କ୍ଷମାଭିକ୍ଷା କରେ ।

ପିତାଠୁଁ ଅଧିକ, ତବ

ବକ୍ଷେ ଦେଲି ଛୁରୀ,

ଚାଣ୍ଡାଳ ମୁଁ, ଦିଅନ୍ତୁ ନା

ଅଭିଶାପେ ଜାଳି ।

ଯମଦୂତ-ଭୀମ-ଦଣ୍ଡେ

ପରାଣ ନ ଗଲା,

ଆପଣଙ୍କ ଆଶୀର୍ବାଦେ

ଅକ୍ଷୟ ହୋଇଲା ।

କ୍ଷମା ବଳେ ରକ୍ଷା କଲ

ଜଘନ୍ୟ ଜୀବନ,

ଅରପେ ପରାଣ ପଦେ,

ଦିଅନ୍ତୁ ଶରଣ ।

ପଣ୍ଡିତ-ପୁଅ ! ତୁ ତ କରିଅଛୁ

ମହା ଉପକାର,

ଛୁରାଘାତେ ହେଲା ସିନା

ଦର୍ଶନ ପ୍ରଭୁର !

ସବୁଠାରୁ ବଡ଼ ପ୍ରିୟ

ଆପଣାର ଜନ,

ତୋତେ କି କୁଶଳ ! କରି

ପାରଇ ବର୍ଜନ ?

ଆସ ମୋର ପାଶେ ବସ,

ପରାଣ ନନ୍ଦନ !

ଅନ୍ତର ତୋ ଶୁଦ୍ଧ ଆଜି

ଦେଖାଅ ତ କାନ,

ଶିଷ୍ୟ କର୍ଣ୍ଣେ ଗୁରୁ କହେ,

‘ଓଁ ରାମାୟ ନମଃ’ ।

ଗୁରୁପ୍ରାଣୁଁ କ୍ଷମାଧାରା

ମହାପ୍ରେମେ ଝରି,

ଭରିଦେଲା ପୀୟୁଷରେ

ସାରା ବସୁନ୍ଧରୀ ।

କୁଶଳ ଅନ୍ତରେ ଖେଳି

ଅମୃତ ମଧୁର,

ଧୋଇଦେଲା ପାପ ତାପ,

ନାଚିଲା ଅନ୍ତର ।

କୁଶଳ କୁଶଳେ କଲା

ରାମମନ୍ତ୍ର ସାର,

ଫୁଟିଲା ହୃଦକମଳ,

ଗଲା ଅନ୍ଧକାର ।

ତପନ ମନ୍ଦିର ତୋଳେ

ପିତୃଦତ୍ତ ଧନେ,

ଅବଶିଷ୍ଟ ଅର୍ଥ ବାଣ୍ଟେ

ଭାଇ ତିନି ଜଣେ ।

ଗୁରୁ କ୍ଷମା ଢାଳି ଶିଷ୍ୟେ

କରିଲେ ସମର୍ଥ,

କୈବଲ୍ୟ ଭୁଞ୍ଜିଲେ ଦୁହେଁ,

ଧରଣୀ କୃତାର୍ଥ ।

ଜୟରାମ ରଘୁପତି

କରୁଣାସାଗର !

ଏ ଅନ୍ତର ଶ୍ମଶାନରୁ

ଦିଶେ ଘୋରତର ।

ହୁ ହୁ ଜ୍ୱାଳାମୟ ଏ ଯେ

ପ୍ରଳୟ ଅନଳ,

କେତେ ମହାପ୍ରାଣୀ ପୋଡ଼ି

କରେ ନାରଖାର ।

ପୋଡ଼ିଯାନ୍ତି ନର-ନାରୀ

ସୁତ, ସୁତା ଦାରା,

ଦହିବ କିଏ ଅନଳ

ସାରା ବସୁନ୍ଧରା ?

ଦୟାକର ଦୀନବନ୍ଧୁ !

ଢାଳ କ୍ଷମା-ବାରି,

ଅନ୍ତରୁ ଉଛୁଳୁ କ୍ଷମା

ଯାଉ ବିଶ୍ୱ ଭରି ।

Image

 

ଚରମ ଦାନ

ଚାରିଆଡ଼େ ପଡ଼ିଅଛି

ଅକାଳ ଦୁର୍ଭିକ୍ଷ,

ଅନାହାରେ ମରୁଛନ୍ତି

ଲୋକ ଲକ୍ଷ ଲକ୍ଷ ।

ପୂର୍ବବଙ୍ଗେ ତ୍ରାହି ତ୍ରାହି

ଉଠୁଅଛି ଧ୍ୱନି,

ପୁତ୍ରର ମୁଖରୁ ଖାଦ୍ୟ

ଛଡ଼ାଏ ଜନନୀ ।

ଏହି ସମୟର କଥା,

ମହେଶ ମଣ୍ଡଳ,

ଜାତିରେ ସେ ନମଃଶୂଦ୍ର,

ପତିତ, ଚାଣ୍ଡାଳ ।

ଜଗତଜନନୀଠାରେ

ଅଚଳା ଭକତି,

‘ମାଆ’ ‘ମାଆ’, ‘ଦୁର୍ଗା’ ‘ଦୁର୍ଗା’

ରଟେ ଦିନ ରାତି ।

ପତ୍ନୀ, ଶିଶୁପୁତ୍ର ନେଇ

ତିନି ପ୍ରାଣୀ ଘରେ;

ଦୈନିକ ମଜୁରି ଖଟି

ଚଳେ ସେ ସୁଖରେ ।

ପଡ଼ୁ ଦୁଃଖ ବିପତ୍ତି, କି

ଘଟୁ ଅନାଟନ,

ମହେଶ ନ କରେ ଭୟ,

ଦୁର୍ଗାରେ ଶରଣ ।

ଦୁର୍ଭିକ୍ଷ ସମୟ, କାମ

ମିଳୁଛି ବା କାହିଁ ?

ଅର୍ଦ୍ଧାହାରେ, ଅନାହାରେ

ପରିବାର ରହି ।

ଦୁଇ ଉପବାସେ ଛଟ-

ପଟ ପରିବାର,

ମହେଶ କରିଛି ଛଅ-

ଅଣା ରୋଜଗାର ।

ଦୁଇ ସେର ଛଅଣାକୁ

ବାନ୍ଧିଛି ଚାଉଳ,

ନଦୀ ପାରହେବ, ଆସି

ଧରିଲାଣି କୂଳ ।

ନଦୀ ପାରେ ଗ୍ରାମ ପ୍ରାନ୍ତେ

ତା ଦୀନ କୁଟୀରେ,

ଚାହିଁଥିବେ ପରିବାର

ପରାଣ ଆକୁଳେ ।

ପିଲାକବିଲାଙ୍କ ମୁଖେ

ଦେଇ ଢୋକପାଣି,

ସ୍ୱସ୍ତିର ନିଶ୍ୱାସ ନେବ,

ଦୁର୍ଗା ନାମ ଗୁଣି ।

ଏକାଳେ ମହେଶ ଦେଖେ

ଗ୍ରାମର ଜ୍ୟୋତିଷ,

ବ୍ରାହ୍ମଣ ଗୋସାଇଁ ଖେପୁ,

ନିତାନ୍ତ ବିରସ ।

ମୁଖୁଁ ସ୍ୱାଭାବିକ ହସ

ଯାଇଅଛି ଲୁଚି,

ଶୂନ୍ୟ ମନେ ଚାହିଁ ଶୂନ୍ୟ

କେତେ କି ଭାବୁଛି ।

ଜାତକ ସାଧଇ ଖେପୁ,

କହେ ଭବିଷ୍ୟତ,

ପାଞ୍ଚ ଖଣ୍ଡି ଗ୍ରାମେ ସେବା,

ଅରଜେ ଯେ ବିତ୍ତ ।

ସେଥିରେ ଚଳଇ ସୁଖେ,

ପୁଣି ପୂଜାଦିନେ

ଦେବୀ ମୂର୍ତ୍ତି ଚିତ୍ର କରି

ବେଶି କିଛି ଆଣେ ।

ଦୁର୍ଗାରେ ନିର୍ଭର ତାର,

ଦୁର୍ଗାରେ ଭକତି,

କ୍ଷେପୁଠାରେ ମହେଶର

ବଢ଼ଇ ପୀରତି ।

ଦୁର୍ଗାପୂଜା ଦିନ ନୁହେଁ,

ପଡ଼ିଛି ଦୁର୍ଭିକ୍ଷ,

ଜାତକ କଥାକୁ କିଏ

ଦେଉ ନାହିଁ ଲକ୍ଷ୍ୟ ।

ଅନ୍ନାଭାବେ ସଢ଼ୁଛନ୍ତି

ତାର ପରିବାର,

ଉପାୟ ନ ଦିଶେ କାହୁଁ

ଆଣିବ ଆହାର ।

ମହେଶ-ଓଳିକି, ଖେପୁ ଗୋସାଇଁ

ବିଷର୍ଣ୍ଣ ତ ଦେଖେ,

ପୁଅ, ଝିଅ, ମାଆ, ସ୍ତିରୀ

ଅଛନ୍ତି ତ ସୁଖେ ?

ଖେପୁ-କି ସୁଖ କହିବି ଭାଇ ?

ନ ମିଳିଲା ଭିଖ,

ମାଆ ଦୁର୍ଗା ଭାଲେ ଆଉ

ଲେଖି ନାହିଁ ସୁଖ ।

ତିନି ଦିନ କାହା ପେଟେ

ପଡ଼ି ନାହିଁ ଅନ୍ନ,

ଖାଲି ହାତେ ଯାଉଅଛି,

ଦେଖିବି ମରଣ ।

ଦୁର୍ଗାଙ୍କୁ ଡାକୁଛି ସେ ତ

ନ ଚାହାନ୍ତି ଥରେ,

ଅନ୍ନାଭାବ ନୁହେଁ ଦୂର,

ଭାଳେଣିରେ ମରେ ।

ମହେଶ - ମାଆ ବିନା ବିପତ୍ତିରେ

ଆଉ ଗତି କାହିଁ ?

ଖାଇବାକୁ ଦେଲେ ଦେବ,

ନ ଦେବ ତ ସେହି ।

ଆମ କାମ ମାଆ ଆଗେ

କରିବା କ୍ରନ୍ଦନ;

ତରଳିଯିବ ଅନ୍ତର

ଯୋଗାଇବ ଅନ୍ନ ।

ଖେପୁ-ଗଡ଼ି ମରୁଛନ୍ତି ପିଲେ,

ତିନି ଉପବାସ,

କଣ୍ଠାଗ୍ରତ ପ୍ରାଣ, କାହୁଁ

ରହିବ ବିଶ୍ୱାସ ?

କେତେ ତ ମୁଁ କାନ୍ଦି କହେ

ମାତାର ଚରଣେ;

ନ ଟଳଇ ମାତା ପ୍ରାଣ,

ନ ଚାହେଁ ନୟନେ ।

ମାଆ ଦେଇଥିଲା ସବୁ,

ପୂରିଥିଲା ଘର,

ସୁତ, ସୁତା, ଜାୟା, ନେଉ

ଯଦି ଇଚ୍ଛା ତାର ।

ଏଇ ଶେଷ ଦେଖା ଭାଇ !

ଆଜି ଶେଷଦିନ !

ବିଦାୟ ନେଉଛି ବନ୍ଧୁ,

କରିଣ କ୍ରନ୍ଦନ ।

ମହେଶ-ନିଅ ଭାଇ, ମାଆ ତୋରେ

ଦେଇଛନ୍ତି ଭିଖ,

ଘରେ ଯାଅ, ଢୋକପାଣି

ଦେଇ ପ୍ରାଣ ରଖ ।

କାନ୍ଦନି ଖେପୁ ଗୋସାଇଁ !

ନିନ୍ଦନା ମାତାରେ,

କହିଣ ମହେଶ ଯାଏ

ହସି ହସି ଘରେ ।

ଭାବେ, ‘‘ଆଜି ଏକାଦଶୀ

କରିବି ପାଳନ,

କାଲି ଦଶମୀରେ ପେଟେ

ପଡ଼ି ନାହିଁ ଅନ୍ନ ।

ପୂର୍ଣ୍ଣ ନିୟମରେ ବ୍ରତ

ହେଉନା ପାଳିତ,

ଉପବାସେ ଦିନେ କଣ

ହେବନି ଅତୀତ !

ଦେଲେ ମାଆ, କାଲି ହେବ

ଦ୍ୱାଦଶୀ ପାଳଣା,

ଦେବେ କି ନ ଦେବେ ମାଆ,

ତାଙ୍କୁଇ ତ ଜଣା ।

ପହଞ୍ଚିଲା ଘରେ, ପତ୍ନୀ

ଭାଷଇ ବଚନ,

ଭାତ ପାଇଁ, କାହିଁ ଦିଅ

ଚାଉଳ ବହନ ।

ମୋ ଧନ, ଶାୟଦ ଆଜି

ବଞ୍ଚିବ କି ନାହିଁ,

ଭୋଖ ଦାଉରେ ବେହୋସେ

ପଡ଼ିଛି କି ଶୋଇ !

ଦିଅ ତ ଚାଉଳ ତେଣେ

ଫୁଟୁଅଛି ପାଣି,

ରାନ୍ଧେ ମୁଁ ସମ୍ଭାଳ କୋଳେ

ମୋ ଧନକୁ ଆଣି ।’’

ମହେଶ - ଦୁର୍ଗା ନାମ ନେଇ ପୁତ୍ର

ମୁଖେ ଦିଅ ଜଳ,

ସେ ଜଳ ଅମୃତ ହେବ,

ନ ହୁଅ ବିକଳ ।

ଖେପୁ ଘରେ ଉପବାସେ

ଥିଲେ ତିନି ଦିନ,

ଅନ୍ନ ନ ଯୁଟିଲେ ଆଜି

ହୁଅନ୍ତା ମରଣ ।

ଦୁର୍ଗା ଦେଇଥିଲେ ଥିଲା

ଚାଉଳ ଦି ସେର,

ଖେପୁ ହାତେ ଦେଇ ସବୁ

ଆସିଲି ମୁଁ ଘର ।

ପତ୍ନୀ-ଆଚ୍ଛା କଲ, ଦ୍ୱିଜ ପରି-

ବାର ବଞ୍ଚିଗଲେ,

ଅଧେ ଦେଇ ଅଧେ ନିଜେ

ଘେନିଥାନ୍ତ ହେଲେ ।

ଧନ ମୁଖେ ଦେଇଥାନ୍ତି,

ଦୁଇ କଳ ଅନ୍ନ,

ଦି’ଦିନର ଉପବାସ,

ପୁଣି ଅନଶନ ।

ଧନ କି ଠାକିବି ସତେ

ରହିବ ଜୀବନେ,

ଜାଣୁ ତୁ ମା ଦୁର୍ଗା ! ସ୍ନେହେ

ରଖ ତୋ ସନ୍ତାନେ ।

ମହେଶ-ମାଆ ଯଦି ରଖିବସେ,

ପାରେ କିଏ ମାରି ?

ମରିବାର ଥିଲେ, ଆଚ୍ଛା,

କେବା ରଖିପାରି ?

ତିନିଦିନ ଉପବାସୀ

ଆଗ ପାଉ ଅନ୍ନ;

ଆମ କଥା ପରେ ସିନା

ହେବ ବିଚାରଣ ।

ତ୍ୟାଗ ସିନା ସେହି ଯାହା

ପରାଣକୁ ବାଧେ,

ଦାନ ସିନା ସେହି ଯାହା

ପେଟୁଁ କାଟେ ଅଧେ ।

ସେବା ସିନା ସେହି, ଯାହା

ନିବାରେ ମରଣ,

କୃତି ସିନା ସେହି, ଯାହା

ପ୍ରାଣେ ବଞ୍ଚାଇଣ ।

ଦକ୍ଷିଣ ହାତର ଦାନ

ବାମ ନ ଜାଣିବ,

ଦାନ ସିନା ସେହି ଯଦି

ନ ଥିବ ଗରବ ।

ଅଶ୍ରୁ ଦେଖି ଦେବ, ଅଶ୍ରୁ

ପଡ଼ୁଥିବ ବହି,

ତେବେ ସିନା ଦାନ, ଦାନ

ପଦେ ଗଣା ହୋଇ !

ମହେଶର ଦାନ ସବୁ

ଦାନୁଁ ଗଲା ବଳି

ନରନାରାୟଣ ପ୍ରାଣ

ପଡ଼ିଲା ତରଳି ।

ମହେଶର ପ୍ରତିବେଶୀ

ଗୋପାଳ ଭୌମିକ,

ଶୁଣୁଥିଲେ ପତିପତ୍ନୀ

କଥାବାର୍ତ୍ତାଯାକ ।74

ଶିକ୍ଷିତ ଦମ୍ପତ୍ତି ହେଲେ,

ଭାବେ ଅଭିଭୂତ

ବୁଝିଲେ ମହେଶ ଦାନ

କଳ୍ପନା ଅତୀତ ।

ଗୋପାଳ-ମହେଶ ତ ଦେଖୁଅଛି,

ସାକ୍ଷାତ ମହେଶ,

ଛୁଇଁ ନାହିଁ ପ୍ରାଣେ ମାୟା,

ସଂସାର-କଳୁଷ ।

ମହେଶକୁ ଚାହିଁ ମିଳି-

ଅଛି ପତ୍ନୀ ତାର;

ଏକମନ, ଏକପ୍ରାଣ,

ନାହିଁ ପଟାନ୍ତର ।

ତିନି ଦିନ ଉପବାସେ

ଗଡ଼ଇ ନନ୍ଦନ,

ପତିକୁ ନ ଭାଷେ ପଦେ

ବିରସ ବଚନ ।

ପତିର କରଣୀ ସବୁ

ସାଧୁ ସାଧୁ କହି,

ଅନ୍ତର ପଥର କରି

ଶିରେ ନିଏ ବହି ।

ଆମ ଘରେ ଅଛି ଅନ୍ନ,

ସରିଛି ରୋଷାଇ,

ଚାଲ ପ୍ରିୟେ ଦୁହେଁ ବେଗେ

ନେଇଯିବା ବହି;

ଭକତ ଯୁଗଳେ ଅନ୍ନ

ଦେଇଣ ସେବିବା;

ଦିନେହେଲେ ଜୀବନରେ

ପୁଣ୍ୟ କରିଥିବା ।

ଭାତ, ଡାଲି, ତରକାରୀ

ହାଣ୍ଡି ସବୁ ଧରି,

ଗୋପାଳର ପତ୍ନୀ ଉମା

ସୁଖେ ଯାଏ ଚଳି

ଗୋପାଳ ହାତରେ ଧରି-

ଅଛି ଦୁଧ ଥଳୀ,

ନଅ ଦଶ ଗଣ୍ଡା ହେବ

ସୁବାସ କଦଳୀ ।

ପତି ପତ୍ନୀ ପହଞ୍ଚିଲେ

ମହେଶ ସମ୍ମୁଖେ,

ଅପାର ବିସ୍ମୟେ ଭରା

ସମ୍ଭାର ନିରେଖେ ।

ମହେଶ-ଏ କଣ ? ଏସବୁ ଦ୍ରବ୍ୟ

ଏଥି କାହା ପାଇଁ ?

ନରାଧମ, ନମଃଶୂଦ୍ର

କେବେ ଲୋଡ଼ି ନାହିଁ !

ଏ ଜୀବନେ କରିଛି କି

କେବେ ଉପକାର ?

ତୁମର ଏ ଦ୍ରବ୍ୟ ନେବି,

ନାହିଁ ଅଧିକାର ।

ସଜଳ ନେତ୍ରେ ଗୋପାଳ

ଭାଷଇ ବଚନ,

ଗୋପାଳ-ସମ୍ମୁଖେ ଦେଖେ ମହେଶ !

କିଏ ନରାଧମ,

ଆସିଛୁ ଶ୍ରଦ୍ଧାରେ ଆମେ

ଲଗାଇବୁ ଭୋଗ,

ସାଧୁସଙ୍ଗ ବଳୁଁ ବିଭୁ

ଦେଲେ ଏ ସୁଯୋଗ ।

ମହେଶ-ସୁପାତ୍ରରେ ଏ ଭୋଜନ

କରନ୍ତୁ ଅର୍ପଣ,

ସେ ସୁକୃତେ ବହୁ ପୂଣ୍ୟ

କରିବେ ଅର୍ଜନ ।

ଗୋପାଳ-ନାହିଁ ନ କରନ୍ତୁ, ମୁଁ ଯେ

ପ୍ରତିବେଶୀ ଜନ,

ମାଆ ଦୁର୍ଗା ନାମ ନେଇ

ହୋଇ ପ୍ରୀତମନ

ଆଣିଛି, ଘେନନ୍ତୁ ସ୍ନେହେ;

ଗଲେଟି ଲେଉଟି,

ଦୁର୍ଗାଙ୍କର ନାମ ମିଥ୍ୟା,

ଯିବି ରଟି ରଟି ।

ମାଆ ନାମ ମିଥ୍ୟା ହେବ

ଭାବିଣ ମହେଶ,

ଅତି ଉଚ୍ଚେ ଦୁର୍ଗା, ଦୁର୍ଗା,

ମୁଖେ ପରକାଶ ।

ପତ୍ନୀ ପୁତ୍ର ସଙ୍ଗେ ନେଇ

ହସି ଖାଇବସେ,

ଗୋପାଳ ଆଦେଶେ ଉମା

ବ୍ୟଞ୍ଜନ ପରଶେ ।

ଗୋଟିକ ଗୋଟି କଦଳୀ

ଛଡ଼ାଇ ଆଦରେ,

ଗୋପାଳ ଦିଅଇ ପ୍ରେମେ

ନେତ୍ରୁ ଅଶ୍ରୁ ଝରେ ।

ମାଆଙ୍କ ପ୍ରସାଦ ଖାଉ

ଖାଉ ସୁଖେ ହସି,

କହଇ ମହେଶ ତାର

ଭାଗ୍ୟକୁ ପ୍ରଶଂସି ।

ଯୋଗକୁ ଖେପୁ ଗୋସାଇଁ

ଆସି ଦେଖାଦେଲେ

ନ ହେଲେ, ବଗଡ଼ା ମୋଟା

ମିଳିଥାନ୍ତା ଘରେ ।

ମାଆ ଅନ୍ନପୂର୍ଣ୍ଣା ଆଜି

ଦୀନ ଘରେ ଆସି,

ଦୁଧଭାତ ପରଶିବେ

ଥିଲେ ତ ମନାସି;

ବାଣ୍ଟିବାକୁ ବୁଦ୍ଧି ଦେଲେ

ସମସ୍ତ ଚାଉଳ

ଭୋଗକଲୁ ସେଥିପାଇଁ

ଏ ଯେ ଦିବ୍ୟମାଲ !

ମହେଶ ସରଳ, ଶାନ୍ତ

ସାଧାସିଧା ଲୋକ;

ପାଇ ଏ ସୁବିଧା ଲାଭ

ଉଠାନ୍ତି ଅନେକ ।73

ଭୂତ ପରି ଖଟାଇବେ

ଦେବେ ଅଳ୍ପଧନ;

ମହେଶର ନୁହେଁ ଦୁଃଖ,

ସତତ ପ୍ରସନ୍ନ ।

ପଡ଼ୁ ଯେତେ କଷ୍ଟ, ଆସୁ

ବିପତ୍ତି ଭୀଷଣ,

ଡାକିଦେଲେ ଖଟିବ ସେ,

ଭୁଲିବ ମରଣ ।

ସକଳ କର୍ମେ ସେ ଭାବେ

ମାଆଙ୍କର ସେବା,

ଖଟିବାରେ ତାର ସୁଖ,

ତପସ୍ୟା ଖଟିବା ।

ଦୁର୍ଗାନାମ ରସନାରେ,

କରେ ସଦା ନୃତ୍ୟ,

ଯାହା ଲୋଡ଼ା ମାଆାଦିଏ,

ଚଳିଯାଏ କୃତ୍ୟ ।

ବଇଶାଖ ଶେଷଦିନ,

ଶାନ୍ତ ସନ୍ଧ୍ୟାକାଳ,

ପୂର୍ଣ୍ଣଶଶି ହସି ଢାଳେ

ଚନ୍ଦ୍ରିକା ବିମଳ ।

ବିହଙ୍ଗ ଯାଆନ୍ତି ନିଡ଼େ

ଶୁଭଇ କାକଳି,

ଦ୍ୱାରେ ଦ୍ୱାରେ ସନ୍ଧ୍ୟାଦୀପ

ଉଠିଲାଣି ଜଳି ।

ବ୍ରାହ୍ମଣ ଗୋସାଇଁ କାହୁଁ

ଆସି ଉପଗତ,

ମହେଶ ପିଣ୍ଡାରେ; ଲୋକେ

ଦେଖି ବିମୋହିତ ।

ସୁଢଳ ସୁନ୍ଦର ଦେହ

ସୁବର୍ଣ୍ଣବରଣ,

ଖେଳିଯାଏ ଜ୍ୟାତି, ମୁଖେ

ସ୍ମିତ ବିମୋହନ ।

ନମଃଶୂଦ୍ରଦ୍ୱାରେ ଦ୍ୱିଜ

କଥା ଅଘଟନ,

କରିବେ ଚାଣ୍ଡାଳ ପୂଜା,

ଆତିଥ୍ୟ ଗ୍ରହଣ !

ମହେଶ ନ ଥିଲା ଘରେ

ପତ୍ନୀ ମହାସୁଖୀ

ଦେବତା ସମାନ ଦ୍ୱିଜ,

ନିଜ ଦ୍ୱାରେ ଦେଖି ।

ବସ୍ତ୍ରମାଳ କରି ଗଳେ,

ମୁଣ୍ଡିଆ ସେ ମାରେ,

ନେବ କି ଚରଣଧୂଳି

ମନରେ ବିଚାରେ ।

ଧୁଅନ୍ତା ବ୍ରାହ୍ମଣ ପାଦ,

ହୁଏ ବଡ଼ ମନ,

କରନ୍ତା ସେ କ୍ଳାନ୍ତଶ୍ରାନ୍ତ

ଚରଣ ସେବନ ।

ସେ ତ ନମଃଶୂଦ୍ର, ଛୁଇଁ

କରିବ କି ସେବା,

ଛି ! ଛି ! ମହାପାପ ଦ୍ୱିଜେ

ଶୂଦ୍ର ପାଣି ଦେବା ।

ଧାଏଁ ଗୋପାଳର ଘରେ,

ଜଣାଏ ଘଟଣା,

ଲୋକ ଆସି ଜମିଗଲେ,

କଲେ ବିପ୍ରେ ମନା ।

‘‘ମହେଶ ତ ଦୀନହୀନ,

ନାହିଁ ଘରେ ସ୍ଥାନ,

ଅଗଣାରେ ମାଟିତଳେ

ରଚିବେ ଶୟନ ।

ବଡ଼ କଷ୍ଟ ହେବ, ଏ ଯେ

ନମଃଶୂଦ୍ର ଘର,

ଘେନିବେ କି ଚାଣ୍ଡାଳର

ଅତିଥି ସତ୍କାର ?

ବ୍ରାହ୍ମଣ, କ୍ଷତ୍ରିୟ ଗ୍ରାମେ

’ଛନ୍ତି ବହୁ ଜନ,

ଆସନ୍ତୁ ପୂଜିବେ ପାଦ,

କରିବେ ଯତନ ।’’

ବ୍ରାହ୍ମଣ ଦେବତା କହେ,

‘‘ସରବେ ସମାନ,

ସକଳ ଘଟେ ରାଜନ୍ତି

ଏକ ଭଗବାନ ।

ବ୍ରତ, ଏକଦ୍ୱାରେ ଭିକ୍ଷା;

ହେଉ ଦୀନହୀନ;

କୁଳୀନ ବ୍ରାହ୍ମଣ କଲେ

ନାନା ଆଲୋଚନା,

କହିଲେ, ବ୍ରାହ୍ମଣ ନୁହେଁ,

ଚାଣ୍ଡାଳ ଏ ସିନା ।

ଚାଣ୍ଡାଳର ଘରେ ରହି

ଭୁଞ୍ଜିବ ତା ଅନ୍ନ !

ମନେ କି ଭାବନା ଖେଳେ,

ହୁଏ ଅନୁମାନ ।

ମହେଶ ପଅଞ୍ଚିଗଲା,

ଲୋକେ ଗଲେ ଚାଲି,

କେ ମହୁ ତାର ଆନନ୍ଦ,

ନିଏ ପାଦଧୂଳି ।

ଜଳ ଆଣି ଧୂଏ ପ୍ରେମେ

ବ୍ରାହ୍ମଣଚରଣ ରାଗି,

ଚରଣାମୃତ ସେବଇ,

ହୋଇଣ ପ୍ରସନ୍ନ ।

ଘରେ ତ ନ ଥିଲା କିଛି

ଯାର ଧାର ମାଗି,

ଗାଆଁ ଲୋକେ ନାହିଁ କଲେ

ବ୍ରାହ୍ମଣରେ ରାଗି ।

ଚନ୍ଦ୍ରନାଥ ସାହା ଥିଲା

ମହେଶ ଭକତ,

ବଡ଼ ତା ଦୋକାନ, ଶୁଣେ

ସମସ୍ତ ବୃତ୍ତାନ୍ତ ।

କୋଡ଼ିଏ ଜଣେ ବୁହାଇ

ବଡ଼ ବଡ଼ ଭାର,

ଜମାଏ ପନିପରିବା

ନାନା ଉପଚାର ।

ଘିଅ ଦୁଧ ଦହି ଛେନା

ବାସନା ଚାଉଳ,

ଅଟା ଡାଲି ସବୁ ଦ୍ରବ୍ୟ

ଆସି ହେଲା ଠୁଳ ।

ଭଲ ରାନ୍ଧୁଣିଆ ଦ୍ୱିଜେ

କରନ୍ତି ରୋଷାଇ,

ଚନ୍ଦ୍ରନାଥ ଯୋଗାଡ଼ନ୍ତି,

ଅଭାବ ତ ନାହିଁ ।

କୂପମୂଳେ ସନ୍ଧ୍ୟାଶୌଚ

ନିତ୍ୟକର୍ମ ସାରି,

ବସିଲେ ଗୋସାଇଁ ଭାଗ-

ବତ ବ୍ୟାଖ୍ୟା କରି ।

ଜ୍ୟୋତିର୍ମୟ ମୁଖୁ ଫୁଟେ,

ମଧୁର ବଚନ,

ଭାଗବତ ଗୁରୁତତ୍ତ୍ୱ,

ବ୍ୟାଖ୍ୟା ବିମୋହନ ।

ମହେଶ ତ ଭାବେଭୋଳା,

ପଡ଼ୁ ନାହିଁ ତଳେ,

ପାଦ ତାର, ଘୂରେ ସେହୁ

ଚିନ୍ମୟମଣ୍ଡଳେ ।

ଆସିଣ ମିଳିଲେ ବାଳ,

ବୃଦ୍ଧ, ନର, ନାରୀ;

କେ ଦେଖଇ ଦିବ୍ୟରୂପ

ଅପୂର୍ବ ମାଧୁରୀ !

କେ ଶୁଣଇଁ ମୁଖୁଁ ବାଣୀ,

ଅମୃତୁଁ ମଧୁର,

ଚାହାଣୀର ଭଙ୍ଗୀ, ଭାବେ

କମ୍ପିତ ଅଧର ।

ପ୍ରେମଅଶ୍ରୁ ଗଡ଼େ ଗଣ୍ଡ,

ଶ୍ରୀଅଙ୍ଗୁ ପୁଲକ

ଖେଳେ ଲୋକମେଳେ, ଲୋକେ

ତନ୍ମୟ ଅବାକ ।

ସନ୍ଧ୍ୟାରେ ବିଦ୍ରୂପ କରି

ଯାଇଥିଲେ ଜନେ,

ଚରଣେ ମାଗନ୍ତି କ୍ଷମା

ଆସି ଜଣେ ଜଣେ ।

ଦ୍ୱିତୀୟ ପ୍ରହରେ ଦ୍ୱିଜ

ପୂଜି ଭଗବାନ;

ଲଗାନ୍ତି ନୈବେଦ୍ୟ ଭୋଜ୍ୟ,

ବିପୁଳ ରନ୍ଧନ ।

ପ୍ରସାଦ ଘେନନ୍ତି ହର୍ଷେ

ବ୍ରାହ୍ମଣ କୁଳୀନ,

ଘେନନ୍ତି କ୍ଷତ୍ରିୟ, ବୈଶ୍ୟ

ଶୂଦ୍ର ନୀଚଜନ ।

ନାହିଁ ଭେଦଜ୍ଞାନ, ସର୍ବେ

ମହାଭାଗେ ଭୋଳା,

ଜଗନ୍ନାଥପ୍ରସାଦକୁ

ଭୋଗ ବଳିଗଲା ।

ପ୍ରସାଦରୁ ବାହାରୁଛି

ଅପୂର୍ବ ମହକ,

ଅମୃତୁଁ ବଳେ ପ୍ରସାଦ,

ଖାଇ ତୃପ୍ତ ଲୋକ ।

ଗୋସାଇଁ ଭୋଜନ ସାରି

କଲେ ଆଳାପନ,

ପୁଣି ମୁଖୁଁ ବାହାରିଲା

ଅମୃତ ଭାଷଣ ।

କେତେ ଧର୍ମତତ୍ତ୍ୱ, କେତେ

ଜଟିଳ ବିଚାର,

ଦେଖୁ ଦେଖୁ ରାତି ହେଲା

ପାହାନ୍ତା ପହର ।

ବ୍ରାହ୍ମଣ ଗୋସାଇଁ ଅକ-

ସ୍ମାତ ଉଭାଇଲେ,

ଖୋଜିଲା ଜନତା, ଆଉ

ଦେଖା ତ ନ ମିଳେ ।

ମହେଶକୁ ଧନ୍ୟ ଧନ୍ୟ

କରନ୍ତି ସକଳେ,

ବୈକୁଣ୍ଠୁ ଆଣିଲୁ ବିଷ୍ଣୁ

ଟାଣିଏ ଭୂତଳେ ।

ସେ ତ ଧର୍ମ ମାସ, ମାଘ

ପୂର୍ଣ୍ଣିମା ଦିବସ,

ହୁଏ ସଂକୀର୍ତ୍ତନ ଖେଳି

ଯାଏ ଦିବ୍ୟରସ ।

ପଡ଼ୋଶୀ ଗୋପାଳ ଘର

ଲୋକେ ଲୋକାରଣ୍ୟ,

ଜମିଛନ୍ତି ଗ୍ରାମଲୋକେ,

ଧନୀ, ମାନ୍ୟଗଣ୍ୟ ।

ମହେଶ ଛଟକେ ଆସି

କୀର୍ତ୍ତନେ ମିଳିଲା,

ଅତି ଉଚ୍ଚେ ପରାଣୁ ତା

ନାମ ବାହାରିଲା ।

କି ମଧୁର କଣ୍ଠ ସ୍ୱର !

ଢାଳେ କି ମାଧୁରୀ

ବିଭୁନାମେ ! ଶୁଣିଦେଲେ

ପ୍ରାଣ ଯାଏ ଥରି ।

ଜାଳଇ ବିରହ ପ୍ରାଣେ,

କରଇ ଉନ୍ମତ୍ତ,

ନାଚିଯାଏ ଶତ ପ୍ରାଣ,

ବହେ ଅଶ୍ରୁସ୍ରୋତ ।

ଚନ୍ଦ୍ରନାଥ ଧନ୍ୟ ମଣେ

ଧରି ପଦଧୂଳି,

ମହେଶକୁ ଅଙ୍ଗେ ଭିଡ଼ି

ଛାଡ଼ଇ ବୋବାଳି ।

ମହେଶ କହଇ, ‘‘ଦେଖ

ନିତାଇ, ନିମାଇ,

ସଂକୀର୍ତ୍ତନେ ଦେଲେ ଯୋଗ,

ଆସି ଦୁଇ ଭାଇ ।

ଏଇ ଦେଖ ଶିବଦୁର୍ଗା,

ଏଇ ରାଧାଶ୍ୟାମ,

ଏଇ ନୃସିଂହ, ବାମନ

ଏଇ ରଘୁରାମ ।

ସକଳ ଦେବତା ରୁଣ୍ଡ,

ଆଜି କି ସୁଦିନ ।

ନାଚିନାଚି ଯାଏ ଘରେ

ପତ୍ନୀ ଡାକି କହେ,

ଗାତ କର, ଲିପ ପୋଛ

ଖୋଳ ମାଟି ବହେ ।’’

ପତ୍ନୀ ଖୋଳି ଗାତ, ଲିପି-

ପୋଛି ତିଆରିଲା,

ଦୁର୍ଗାନାମ ନେଇ ଭକ୍ତ

ଗାତରେ ଶୋଇଲା

ଦୁର୍ଗାନାମ ରଟ ଭାଇ !

ଉଚ୍ଚେ ଦୁର୍ଗା ଘୋଷ,

ସଂକୀର୍ତ୍ତନ ଚାଲୁ ପ୍ରେମେ

ପିଏ ଦିବ୍ୟରସ ।

ପ୍ରେମେ ବିସ୍ଫାରିତ ନେତ୍ର,

ରହିଅଛି ଚାହିଁ,

ମହାଯାତ୍ରା ରଚେ ଭକ୍ତ,

ପିଣ୍ଡେ ପ୍ରାଣ ନାହିଁ ।

ଦେଖିଲା ଦେବତା ଯାଏ

ଛାଡ଼ିଣ ସଂସାର,

ଯୁଇଗାତେ ପଡ଼େ ଟଳି

ସତୀ ନାରୀବର ।

ପ୍ରାଣପକ୍ଷୀ ଉଡ଼ିଗଲା

ଜଡ଼ପିଣ୍ଡ ଛାଡ଼ି,

‘ଦୁର୍ଗା, ଦୁର୍ଗା ଉଠେ ଧ୍ୱନି,

ଶୁଭେ ହରି ରଡ଼ି ।

ମୁହୂର୍ତ୍ତକେ ପତି ପତ୍ନୀ

ପରାଣ ଛାଡ଼ିଲେ,

କିଏ କହେ, ଇଚ୍ଛାମୃତ୍ୟୁ

ନାହିଁ ଏବକାଳେ ।

ଯୁଗଳ ଭକତ ଗଲେ

ଭବ ପରିହରି,

କାହିଁ ଅନାମୟ ଧାମ

ବୈକୁଣ୍ଠ ପୁରୀ ।

Image

 

Unknown

ନିଜେ ନାରାୟଣ ମନ୍ତ୍ର ଦେଲେ

ଦାକ୍ଷିଣାତ୍ୟେ ଚୋଳ ଦେଶେ

ଥିଲେ ଯୋଦ୍ଧୃ ବର,

ଦ୍ରୋଣଠାରୁ ବଳି ଧନୁ-

ର୍ବେଦେ ଧୁରନ୍ଧର ।

ନୀଳ ଏକମାତ୍ର ପୁତ୍ର

ପିତୃ ପ୍ରାଣଧନ

ପୈତୃକ ଶିକ୍ଷାରେ ଯୁଦ୍ଧ

ବିଦ୍ୟାରେ ନିପୁଣ ।

ବାର ବରଷଣେ ଅବା

ଘୋଟକ ଚାଳନେ,

ସବୁଠାରୁ ଗଲା ବଳି

ସେନାପତି ପଣେ ।

ବୀରତାରେ ଚୋଳ ରାଜା

ହୋଇ ପରସନ,

ସେନାନାୟକ ଆସନେ

କଲେ ପ୍ରତିଷ୍ଠାନ ।

ନୀଳ ସେନା ନେଇ ଶତ୍ରୁ

ସଙ୍ଗେ କଲେ ଯୁଦ୍ଧ,

ହଟିଯାନ୍ତି ଶତ୍ରୁସେନା

ନ କରି ବିବାଦ ।

ଶତ୍ରୁବିମର୍ଦ୍ଦନ ନୀଳ

ଲଭେ ଲୋକେ ଖ୍ୟାତି,

ରାଜା ଜାୟଗିର ଦେଲେ

ବହୁ ଭୂମି ବୃତ୍ତି ।

ତିରୁବାଲିକ୍ଷେତ୍ରେ ରହେ

କୁମାରୀ ରତନ,

ବିଭୁରେ ଅଚଳା ଭକ୍ତି

ରୁପୁଁ ବଳି ଗୁଣ ।

ନିରନ୍ତର ନାରାୟଣ

ପୂଜାରେ ନିରତା,

ବିଭୁଭାବେ ଭୋଳା ସେ କି

ପ୍ରେମ-କଳ୍ପଲତା ।

ସୌନ୍ଦର୍ଯ୍ୟରେ ମନେ ହୁଏ

ସରଗସୁନ୍ଦରୀ,

ଭକ୍ତିଭାବେ ଗଲା କି ସେ

ରାଧୀକାଙ୍କୁ ବଳି !

ତା ସୌନ୍ଦ୍ରଯ୍ୟ, ତା ପୂଜନ

ଦେଖି ତୃପ୍ତ ଜନେ,

ବିବାହେ ଇଚ୍ଛିଲେ ତାରେ

ନୃପତିନନ୍ଦନେ ।

ହସି ହସି ବାଳା ସବୁ

କରେ ଅସ୍ୱୀକାର,

ନ ଥିଲା ସଂଭୋଗ ଇଚ୍ଛା,

କାମନା ବିକାର ।

କୁମୁଦବଲ୍ଲୀର ଶୁଣି

ରୂପ ଗୁଣ କଥା,

ନୀଳ ହୃଦେ ପୂରେ ପ୍ରେମ,

ମନେ ମହାବ୍ୟଥା ।

ଚଳିଲା ଜନକ ପାଶେ,

କହେ ହୃଦ ଭାବ,

ପିତା କହେ, ‘‘କନ୍ୟା ଆଗେ

ବାଢ଼ ତୁ ପ୍ରସ୍ତାବ ।’’

କୁମୁଦବଲ୍ଲୀର ରାୟ

ହେବ ସିନା ସାର,

ନ ମଙ୍ଗିଲେ କନ୍ୟା, ନାହିଁ

ବିବାହ ବିଚାର ।

କନ୍ୟା କହେ, ‘‘ବିଷ୍ଣୁ ଭକ୍ତ

ସଙ୍ଗେ ହେବି ବାହା,’’

ଆନନ୍ଦେ କରଇ ନୀଳ

ଅଙ୍ଗୀକାର ତାହା ।

ବୈଷ୍ଣବ ଆଚାର୍ଯ୍ୟ ଶ୍ରେଷ୍ଠ

ନେଲା ଗୁରୁ କରି,

ଦୀକ୍ଷା ନେଇ ପୂଜେ ବିଷ୍ଣୁ;

ଭାଷଇ କିଶୋରୀ ।

‘‘କେବଳ ବାହ୍ୟିକ ପୂଜା

ନୁହେଁ ତ ଯଥେଷ୍ଟ,

ବାହାର ଭାବରେ କେବେ

ଧରି ନୁହେଁ ଇଷ୍ଟ ।

କ୍ରିୟାତ୍ମକ ବୈଷ୍ଣବତ୍ୱ

ହରେ ବିଭୁ ମନ,

ନରେ ନାରାୟଣ ଭାବେ

କର ତୁ ପୂଜନ ।

ଭକତେ, ବ୍ରାହ୍ମଣେ ଭୋଗ

ରଚ ନିତି ନିତି,

ଦୈନିକ ହଜାର ଆଠ

ପ୍ରାଣେ ଦିଅ ତୃପ୍ତି ।

ଏକ ବର୍ଷ ଯାଏ ଧରି

ପାରିବୁ କି ପଣ,

ସନ୍ତୋଷେ କରିବି ତେବେ

ତୋ ପାଣି ଗ୍ରହଣ ।’’

କନ୍ୟାର ଦ୍ୱିତୀୟ ପଣେ

ରାଜି ହେଲା ନୀଳ,

ମନ୍ଦିରେ ହୁଅଇ ବାହା

ଉତ୍ସବ ମଙ୍ଗଳ ।

ଶତ ନାରୀକଣ୍ଠୁ ଉଠେ

ଶୁଭ ହୁଳହୁଳି,

ହାତଗଣ୍ଠି ପକାଇଲେ,

ଦ୍ୱିଜେ ମନ୍ତ୍ର ବୋଲି ।

ନୀଳ ଘରେ ପ୍ରତିନିତ୍ୟ

ବ୍ରାହ୍ମଣ ଭୋଜନ,

ସହସ୍ରାଧିକ ପରାଣୁ

ଆଶିଷ ବର୍ଷଣ ।

ମନରେ ପରିବର୍ତ୍ତନ,

ହୃଦେ ଭକ୍ତି ବଢ଼େ,

ଅନ୍ତରେ ସଞ୍ଚରେ ପ୍ରେମ

ବିଭୁଭାବେ ବୁଡ଼େ ।

ଭକ୍ତିମତୀ ପତ୍ନୀ ସଙ୍ଗ

ପାଇ ଧନ୍ୟ ନୀଳ,

ନାମେ ଭକ୍ତି, ଜୀବେ ଦୟା

ଦୁହେଁ କଲେ ସାର ।

ଭାବିଲେ, ‘‘ନଶ୍ୱର ଧନ,

ଶରୀର ଶକତି,

ଭକ୍ତି ପଦଧୂଳିଠାରୁ

ହୀନ ହେବେ ଅତି ।’’

ସାରିଲେ ସକଳ ଧନ,

ଉଡ଼ିଲା ସମ୍ପତ୍ତି,

ସହସ୍ରାଧିକ ଭୋଜନ

ଦେଲେ ନିତି ନିତି ।

କରନ୍ତି ଦମ୍ପତ୍ତି ଦୃଢ଼-

ନିଶ୍ଚୟ ମନରେ,

‘‘ସେବା ଯିବ ନାହିଁ ଥିବା-

ଯାଏ ଜୀବନରେ ।’’

ନାରାୟଣ ସେବାକାର୍ଯ୍ୟେ

ନିଶ୍ଚେ ହେବେ ସାହା,

କୋଟିଜନ ପଡ଼ିଦାତା

ଦୀନଜନ ବାହା ।’’

ନ ଦେଲା ସେ ରାଜାଙ୍କର

ବାରଷିକ କର,

ସେବାରେ ସର୍ବସ୍ୱ ସରେ

ନ କରେ ଖାତର ।

ନୀଳ ବିପକ୍ଷରେ ଶତ୍ରୁ

କହିଲେ ରାଜାରେ;

ବାନ୍ଧିନେବେ ରାଜସେନା

ହାଜର ଦୁଆରେ ।

ନୀଳର ନାହିଁ ତ ଭୟ

ଲଢ଼େ ସେନା ସଙ୍ଗେ,

ହାରି ପଳାଇଲେ ସେନା

ତାର ରଣରଙ୍ଗେ ।

ଆଉ ବଡ଼ ସେନା ନେଇ

ଆସିଲେ ନୃପତି,

ନୀଳ ବୀରପଣ ଦେଖି

ତୃପ୍ତ ହେଲେ ଅତି ।

ଏକାକୀ ସେ କରେ ଯୁଦ୍ଧ,

ହାରିଗଲେ ସେନା,

ରାଜା ହସି ହସି କଲେ,

ସନ୍ଧି ପ୍ରସ୍ତାବନା ।

ଆସିଲା ପାଖକୁ ନୀଳ

କହନ୍ତି ରାଜନ,

‘‘ତୁ ତ ମୋର ଆପଣାର

ଅତି ପ୍ରିୟଜନ ।

ତୁ ତ ସେନାପତି; ମାରୁ

ନିଜ ସେନା ତୋର,

ଦୁନିଆରେ କେ ସହିବ

କର ତୁ ବିଚାର ।

ସେ ସମସ୍ତ ଦୋଷ ତୋର

କରୁଛି ମାର୍ଜ୍ଜନା,

ଜମି ଭୋଗ କରିବୁ ତୁ,

ନ ଦେବୁ ଖଜଣା !

ରାଜ୍ୟ ଚଳିବ କି କର

ନ ଦେଲେ ପରଜା ?

ଏ ଦୋଷ କ୍ଷମିଲେ ତୋର,

କାହୁଁ ହେବି ରାଜା ?

କାରାଗାରେ ହୁଅ ବନ୍ଦୀ,

ଦେଲେ ରାଜକର

ପୁଣି ସେନାପତି ହେବୁ,

ପାଇବୁ ଉଦ୍ଧାର ।’’

କାରାଗାରେ ବନ୍ଦୀ ନୀଳ,

ନ ଛାଡ଼େ ତା ପଣ,

ନ ଭୁଞ୍ଜିଲେ ଭକ୍ତ, ତାର

ନ ହେବ ଭୋଜନ ।

ସହସ୍ରାଧିକ ବ୍ରାହ୍ମଣ

ଭୋଜନ ବ୍ୟବସ୍ଥା,

କାରାଗାରେ କାହୁଁ ହେବ,

ସହଜ କି କଥା ?

ଶୁଖି ଶୁଖି ମରେ ନୀଳ,

ପ୍ରଭୁ ଦୟାମୟ

ସ୍ୱପ୍ନରେ କହନ୍ତି ତାର

ମୁକତି ଉପାୟ ।

‘‘କାଞ୍ଚି ନଗରୀରେ ବେଗ-

ବତୀ ନଦୀତୀରେ,

ବିପୁଳ ସମ୍ପତ୍ତି ପୋତା-

ଅଛି ବଟମୂଳେ ।

ଆଣ ସେ ସମ୍ପତ୍ତି ସୁଖେ

କରାଅ ଭୋଜନ,

ରାଜା କର ରୂପେ ଦିଅ

ଲୋଡ଼ା ଯେତେ ଧନ ।’’

ରାଜନେ କହଇ ନୀଳ,

‘‘ଯିବି କାଞ୍ଚିଦେଶ,

ଧନ ଆଣି ଦେୟ ମୋର

କରିବି ନିକାଶ ।

ସେନା ସଙ୍ଗେ ଯାଏ ନୀଳ

ବେଗବତୀ ତୀରେ,

ପାଇଲା ବିପୁଳ ଧନ

ଫେରେ ହରଷରେ ।

ପଠାଇଲା ରାଜକର,

ଭାବନ୍ତି ଚକିତେ;

‘‘ଭକତକୁ ରକ୍ଷା କରୁ-

ଛନ୍ତି ଭଗବାନ,

ବିଭୁ ନୀଳ ସାହା, ସେ ତ

ଭକତପ୍ରଧାନ ।’’

ରାଜା ସ୍ୱୟଂ ନୀଳ ପାଖେ

ହେଲେ ଉପସ୍ଥିତ,

ଭିକ୍ଷା କଲେ କ୍ଷମା, ହୋଇ

ଚରଣେ ପ୍ରଣତ ।

‘‘ଶତ୍ରୁକଥାରେ ଭକତ !

ଦଣ୍ଡିଲି ମୁଁ ତୋରେ,

ତୋରେ କେ ଦଣ୍ଡିବ, ନାହିଁ

ଦେଖେ ଜଗତରେ ।

ନିଅ ତୋର କର ଧନ,

ସେବାରେ ଲଗାଅ,

ରାଜ୍ୟର ରାଜନେ କୃପା-

କରି କ୍ଷମା ଦିଅ ।

ନୀଳ ପରାଣେ ଉତ୍ସାହ

ହୋଇଲା ପ୍ରବଳ,

ଭୋଜନେ ବାଢ଼ିଲା ଦ୍ୱିଜ

ଭକତଙ୍କ ଦଳ ।

ବିଭୁଦାନ ଦେଖୁଁ ଦେଖୁଁ

କ୍ରମେ ହେଲା ଶେଷ,

ଭୋଜନ ଦାନେ ଆଗ୍ରହ

ନ କମଇ ଲେଶ ।

ଭକତ ପ୍ରସାଦ ଭିନ୍ନ

ନ ଘେନିବ ଅନ୍ନ,

ଅନ୍ନଭାବେ ଶୁଖି ଶୁଖି

ଯାଉନା ଜୀବନ !

ବିଚାରଇ ନୀଳ, ‘‘କାହୁଁ

ଯୋଗାଡ଼ିବି ଧନ,

ବନ୍ଦ କି କରିବେ ବିଭୁ

ଭକତ ଭୋଜନ !

ସଂସାରରେ ରହିଛନ୍ତି

କେତେ ଅର୍ଥପତି,

ଦରିଦ୍ରର ଦୁଃଖେ କାର

ନ ଟଳଇ ମତି ।

ଅନାହାରେ, ଅନାଟନେ

ମରୁଛନ୍ତି ଜନେ,

ଆବଶ୍ୟକରୁ ଅଧିକ

ସଞ୍ଚନ୍ତି କେସନେ ?

ଲୁଟିବି ବଳକା ଧନ

ବାଣ୍ଟିବି ଗରିବେ,

ବୁଝିବେ ଧନିକେ ନିଜ

ଅନ୍ୟାୟଟି ତେବେ ।

ବ୍ରହ୍ମାଣ୍ଡ ବିଭୁଙ୍କ ଘର,

ସରବେ ସନ୍ତାନ,

ସରବେ କରନ୍ତୁ ଭୋଗ

ସମାନ ସମାନ ।’’

ନୀଳ ମହା ପରାକ୍ରମୀ

ସଂଗ୍ରାମେ ଅଜେୟ,

ଲୁଟିବାକୁ ସାଙ୍ଗ ସାଥୀ

ବଳ କଲା ଥୟ ।

ଅମୀରଙ୍କୁ କରେ ଲୁଟି,

ଷୋଷଇ ଫକୀର,

ସହସ୍ରେ ଖୁଆଏ ଭକ୍ତ,

ରଖେ ନିଷ୍ଠା ତାର ।

ଉଦ୍ଦେଶ୍ୟଟି ସାଧୁ ସତ୍,

ପନ୍ଥା ବିପରୀତ,

ଅନ୍ୟ ସଞ୍ଚିତ ହରିବା

ଅତି ହିଁ ଗର୍ହିତ ।

ଯତ୍ନେ ଲଭେ ରତ୍ନ ନର

କର୍ମ ଅନୁସରି,

ଧନେ ଧର୍ମ ପାପ କରେ,

ନିଜ ଗୁଣ ଧରି ।

ତସ୍କର ଅଳସ ପ୍ରାଣେ

ଲୁଟେ ପରଧନ,

ଘଟଇ ବିଭ୍ରାଟ କର୍ମେ,

ଛାଡ଼େ କର୍ମୁଁ ମନ ।

କର୍ମହୀନ ହେଲେ ସୃଷ୍ଟି

ରହିବ କି କ୍ଷଣେ ?

ଚୋରି, ଡକାୟତି କ୍ରମେ

ସୃଷ୍ଟିନାଶ ଆଣେ ।

ବିଭୁ ଭାବନ୍ତି, ‘‘ଭକତ

ଧରେ ପାପ-ପଥ,

ଧର୍ମେ ଧନ କରିବାକୁ

ସେ ତ ସମରଥ !

ଭକତି ମୋ ଡକାୟତି,

ଲୁଟିକରେ ନିତି

କି ହେବ ଐଶ୍ୱର୍ଯ୍ୟ ମୋର

ବୈକୁଣ୍ଠ-ବିଭୁତି ?’’

ନୀଳ ଦେଖଇ ଆସନ୍ତି

ଧନିକ ଦମ୍ପତ୍ତି,

ଆନନ୍ଦେ ମିଳିବ ତାକୁ

ବିପୁଳ ସମ୍ପତ୍ତି ।

ପତି ଶ୍ୟାମଘନ ତନୁ

ମୁକୁଟମଣ୍ଡିତ,

ମଣିରତ୍ନ ମାଳେ ଚାରୁ

ଶ୍ରୀଅଙ୍ଗ ଜଡ଼ିତ ।

ପତ୍ନୀ ଅଙ୍ଗୁ ସ୍ୱର୍ଣ୍ଣ ଜ୍ୟୋତି

ପଡ଼ୁଛି ଉକୁଟି,

ମଣି ରତ୍ନ ଅଳଙ୍କାରେ

ହସେ ଦେହ ଗୋଟି ।

ରମଣୀରତନ ମୁଖେ

ଫୁଟେ ମଧୁହାସ,

ଶ୍ରୀଅଙ୍ଗରୁ ଖେଳିଯାଏ

ଅପୂର୍ବ ପ୍ରକାଶ ।

ନ ଭୁଲିଲା ଦିବ୍ୟ ରୂପେ

ଦସ୍ୟୁ-ଲୁବ୍ଧ-ପ୍ରାଣ,

ଲୁଟିବ ସମ୍ପତ୍ତି ଦେଲା

ଦଳ ଘେରାଇଣ ।

ନୀଳ କହେ, ‘‘ବିଭୁ ନାମେ

ସବୁ ଅଳଂକାର,

ଗୋଟି ଗୋଟି କାଢ଼ି ଅଙ୍ଗୁ

ଆଗେ ଜମାକର ।’’

ଦସ୍ୟୁଙ୍କର ଗତି ଦେଖି

ହସେ କହେ ପତି

‘‘ଅଙ୍ଗୁ କାଢ଼ି ଭୂଷା ଦେବ

ହେବ କାର ମତି ?

ଯଦି ଇଚ୍ଛାହୁଏ, ହାତେ

କାଢ଼ ଅଳଙ୍କାର,

ନିଅ ଧନ, ଏ ଧନେ କି

ଧର୍ମ ହୁଏ କାର ?’’

ପତି ପତ୍ନୀ ଚାହିଁଛନ୍ତି

ସରସ ବଦନେ,

ଗୋଟି ଗୋଟି ଅଳଙ୍କାର

ନୀଳ ହସ୍ତେ ଘେନେ ।

ଅଳଙ୍କାର ଗଦା ହେଲା,

ବାନ୍ଧିଲେ ପୋଟଳି;

ଦସ୍ୟୁଗଣ ମିଳି ମଧ୍ୟ

ନ ପାରନ୍ତି ଟାଳି !

ନୀଳର ମଉଳେ ଗର୍ବ,

ଦିଶିଲା ବିଷର୍ଣ୍ଣ,

କହଇ ଧନିକେ ସେହୁ

ବିନୟେ ବଚନ ।

‘‘ତୁମେ ତ ବଡ଼ ଗୁଣିଆ,

ଗୁଣିବଳେ ବଳୀ

କି ମନ୍ତ୍ର କଲ ତ ତିଳେ

ନ ଉଠେ ପୋଟଳୀ !

ସେ ମନ୍ତ୍ର କହିବ ଯେବେ,

ସୁଖେ ଯିବ ଘର,

ନ କହିଲେ ନ ଛାଡ଼ିବୁ,

ହେବ ହରବର ।’’

ଧନିକ ପ୍ରସନ୍ନ ମନେ

ଡାକିଣ ଗୋପନେ,

‘ଓଁ ନମୋ ନାରାୟଣାୟ’,

କହେ ନୀଳ କାନେ ।

ଅଷ୍ଟାକ୍ଷର ମନ୍ତ୍ର ପ୍ରାଣେ

ଜାଳିଲା ବିଜୁଳି,

ନୀଳ ତ ଉନ୍ମତ୍ତ ହୁଏ,

ଅଶ୍ରୁ ପଡ଼େ ଗଳି ।

ନୀଳ ଦେଖଇ ସମ୍ମୁଖେ

ନାହାନ୍ତି ଦମ୍ପତ୍ତି,

ରହିଛି ପୋଟଳୀ ଭରା

ବିପୁଳ ସମ୍ପତ୍ତି ।

ଊର୍ଦ୍ଧ୍ୱକୁ ଉଠାଏ ମୁଖ,

ହୁଏ ଚକ୍ଷୁ ସ୍ଥିର,

ଦେଖେ ଲକ୍ଷ୍ମୀ-ନାରାୟଣ

ପ୍ରଭୁ ପରାତ୍ପର ।

ପୁଷ୍ପକ ବିମାନେ ଛନ୍ତି

ପତି ପତ୍ନୀ ଦୁଇ,

ମୃଦୁହାସେ ଦେଖୁଛନ୍ତି

ତାହାକୁ ଅନାଇ ।

ନୀଳ ମହା ଅନୁତପ୍ତ,

ଘାଣ୍ଟି ହୁଏ ପ୍ରାଣ,

ଭାବେ, ‘‘ଧିକ ହୀନ ଦସ୍ୟୁ !

ଧିକ ମୋ ଜୀବନ ।

ମୋ ଇଷ୍ଟ ଦେବତା ଏ ତ

ଲକ୍ଷ୍ମୀ-ନାରାୟଣ,

ନ ଚିହ୍ନିଲି ଚାଣ୍ଡାଳ ମୁଁ

ଲୁଟେ ଅଙ୍ଗୁ ଧନ ।

ପ୍ରଭୁର କି କ୍ଷମା, ହସି

ହସି ଥିଲେ ଚାହିଁ,

ଚାଣ୍ଡାଳର କର୍ମ କଲି

ନ ମଲି କିପାଇଁ ?

କ୍ଷମାର ଅଯୋଗ୍ୟ ଦୋଷ,

ତୁ ଯେ କ୍ଷମାମୟ,

ଶରଣ ନେଉଛି ପ୍ରାଣ,

କର ନିରାମୟ ।’’

ଘୋର ଅନୁତପ୍ତ ଭକ୍ତେ

ଫୁଟେ ବିଭୁବାଣୀ,

‘‘ପରାଣୁଁ ଅଧିକ ନୀଳ

ତୁ ମୋ ଭକ୍ତିମଣି !

ଏବେ ତୁ ଶ୍ରୀରଙ୍ଗ ଯାଅ

ପୂରାଅ ମନ୍ଦିର,

ଭଜନ-ସୁମନେ ପୂଜ

ଚରଣ ମୋହର ।

ଭକ୍ତି ପ୍ରେମ ପ୍ରଚାରରେ

କଟାଅ ଜୀବନ,

ଶେଷେ ପତି-ପତ୍ନୀ ଭୋଗ

କଇବଲ୍ୟ ଧନ ।’’

ପ୍ରଭୁ ହେଲେ ଅନ୍ତର୍ହିତ,

ନୀଳ ହେଲା ଭୋଳା,

ଚଳେ ସେ ଶ୍ରୀରଙ୍ଗ, ସଙ୍ଗେ

କୁମୁଦିନୀ ବାଳା ।

ଲକ୍ଷେ ଟଙ୍କା ବ୍ୟୟେ ହୁଏ

ମନ୍ଦିର ପୂରଣ,

ହଜାର ପବରେ ନୀଳ

କରେ ବିରଚନ

ତାର ମହାବାକ୍ୟ ଭକ୍ତି-

ପ୍ରେମେ ଢଳ ଢଳ ।

ପାଷାଣ୍ଡ ହୃଦୟ କ୍ଷଣେ

କରଇ ତରଳ ।

ଭଜନେ ପୂଜନେ ପ୍ରେମେ

ପତି ପତ୍ନୀ ଦୁଇ,

ପୂଜନ୍ତି ବିଟ୍ୱଲ ଦେବେ

ଭକ୍ତି-ମାଲ୍ୟ ଦେଇ ।

ଶେଷେ ଇଚ୍ଛାମୃତ୍ୟୁ ନେଲେ

ଭକତଯୁଗଳ,

ଉଠିଲା ସହସ୍ର ତୁଣ୍ଡୁ,

‘ହରି ହରି ବୋଲ’ ।

Image

 

ଗଉଡ଼ ଗୋଖାର ବିଭୁଦର୍ଶନ

କମଳାବତୀ ନଗରୀ

ଉତ୍ତର ଅଞ୍ଚଳେ

ଗୋପାଳ ଗଉଡ଼ ଥିଲା

ବହୁ ଦିନ ତଳେ ।

ଲେଖାପଢ଼ା ନାହିଁ ଜଣା,

ନ ଥିଲା ସଂସ୍କାର,

ବନେ ଗାଈଜଗା ନିତି

ବ୍ୟବସା ତାହାର ।

ଚରବାହା ସଂଜ୍ଞା ତାର

ଚିନ୍ତେ ଚଉବାହା,

ରାମନାମ ରଟେ, ଭାବେ

ବାଟକୁ ସେ ସାହା ।

ଶୁଦ୍ଧଚିତ୍ତ, ନିଷ୍କପଟ,

ଏକବୁଝା ଲୋକ,

ଶରୀରେ ଅପାର ବଳ,

ନାହିଁ ରୋଗ-ଶୋକ ।

ପ୍ରସନ୍ନ ବଦନେ ସଦା

ଫୁଟେ ମୃଦୁ ହସ,

ଦିନରେ ବକତେ, ରାତ୍ରେ

ରହେ ଉପବାସ ।

ଦିପହରେ ଘରୁ ଖାଦ୍ୟ

ଆଣି ଗୋପାଳୁଣୀ,

ସ୍ୱାମୀରେ ପରଷେ ଅନ୍ନ,

ଦେଇଯାଏ ପାଣି ।

ରାମନାମ ରଟି ଉଚ୍ଚେ

କେବେ ଦିଏ ତାଳି,

କେବେ ନାଚେ, କେବେ ହସେ,

କେବେ ଅଶ୍ରୁ ଢାଳି ।

ଗ୍ରାମବାସୀ ଖଳଜନ

ନ ପାରନ୍ତି ସହି,

ଗୋପାଳକୁ ରୁକ୍ଷ ଭାବେ

ଚଳାନ୍ତି ଗୋଡ଼ାଇ ।

‘‘ରାମ ନାମ ରଟ, ଗୋଖା

କୃଷ୍ଣ ନାମ ରଟ,

କର୍ମେ ନାହିଁ, ଫିଟିବ କି

ବୈକୁଣ୍ଠକବାଟ ?’’

ଚିଡ଼ାଇ କହନ୍ତି ଲୋକେ,

ଦେଖେ ସାଧୁ ଜଣେ,

କହେ, ‘‘ଅକାରଣେ ପାପ

କର ତୁମେମାନେ ।

ଜାଣ ନାହିଁ ଭଗବାନ

ନାମର ମହିମା,

କଳିକାଳେ ସେ ଫଳର

ନାହିଁ ପରସୀମା ।

ନିଷ୍ଠାକରି ଚରବାହା

ରଟୁ ରାମ ନାମ,

ଗୁରୁ ଆସି ମିଳିଯିବେ,

ହେବ ପୂର୍ଣ୍ଣକାମ ।

ରାମ ନାମେ ଅନ୍ତରର

ପାପ ହେବ ଦୂର,

ନାମ-ନାବ ଧରି ସୁଖେ

ତରିବ ସଂସାର ।’’

ଗୋପାଳ ମନରେ ଏବେ

ଉପୁଜେ ବିଶ୍ୱାସ,

‘‘ଗୁରୁ ଆସି ପାଶେ ନିଶ୍ଚେ

ହେବେ ପରବେଶ ।

ଗୁରୁ କୃପାବଳେ ପ୍ରଭୁ

ଦେବେ ଦରଶନ,

ସଫଳ ହୋଇବ ଶ୍ରମ,

ସାର୍ଥକ ଜୀବନ ।’’

ଦୃଢ଼ ସେ ବିଶ୍ୱାସ, ମନ

ନୁହେ ଆଗ ପଛ,

ସାଧୁ କହି ଯାଇଛନ୍ତି,

ହେବ କି ତା ମିଛ !

ଗୁରୁଦେବ ଆସିଯିବେ

ରଖେ ଦୁଧ ଙ୍କୁହିଁ,

ଗଛଚୂଳେ ଚଢ଼ି ଦୂରେ

ରହଇ ଅନାଇଁ ।

କେବେ ଭାବେ, ‘‘ଗୁରୁ ମୋର

ଜ୍ଞାନର ଭଣ୍ଡାର,

ଶିକ୍ଷିତ କରିବେ ମୋତେ

ଦେଖି ଭକ୍ତି ମୋର ।

ଗଉଡ଼ ଗୋଖା ମୁଁ, କାହୁଁ

ବୁଝିବି ସେ ଜ୍ଞାନ !

ପଦେ କଥା ମାଗିନେବି

ଧରିଣ ଚରଣ ।

ପଦେ କଥା ତତ୍ତ୍ୱେ ଧରି

କରିବି ସଂସାର

ବହୁତ ଝଂଝଟେ ପଶି

କିବା ଲାଭ ମୋର ?

ନିଷ୍ଠା ଦେଖି, ତତ୍ତ୍ୱ ଚାଖି,

ବଇକୁଣ୍ଠସାଇଁ,

ଶୁଣିଛି, ଭକତ ପାଶେ

ଆସନ୍ତି ତ ଧାଇଁ ।’’

ବଢ଼େ ବ୍ୟାକୁଳତା ପ୍ରାଣେ

ନେତ୍ରୁ ଅଶ୍ରୁ ଝରେ

ଚାହିଁ ଚାହିଁ ଆଖିପାଣି

ମରଇ ଆଖିରେ ।

‘ଗୁରୁ’, ‘ଗୁରୁ’ ଡାକି କେବେ

ରାସ୍ତାରେ ଦଉଡ଼େ,

କାରେ ଗୁରୁ ମଣି ବୃକ୍ଷୁଁ

ତଳେ ଡେଇଁପଡ଼େ ।

ଦିନେ ବୃକ୍ଷଚୂଳେ ଚଢ଼ି

ଚାହେଁ ଦୂରୁଁ ଦୂରେ,

ସାଧୁ ଜଣେ ଆସିବାର

ପଡ଼ିଲା ଦୃଷ୍ଟିରେ ।

ଡେଇଁପଡେ ତଳେ, ପ୍ରାଣେ

ଆନନ୍ଦ ଅପାର,

କୋଟିନିଧି ପାଇଲା କି

ଦରିଦ୍ର କାଙ୍ଗାଳ !

ସଫଳ ସାଧନା ମଣେ,

ସାର୍ଥକ କାମନା;

ହେଣ୍ଡିମାରି ନାଚେ, ଗୁରୁ

କରିବ ଅର୍ଚ୍ଚନା ।

ଝଟଝଟ ଦୁହେଁ ଗାଈ,

ରଖେ ସଜ ଦୁଧ,

ପହଞ୍ଚିଲେ ସାଧୁ, ପ୍ରାଣେ

ପାଇଲା ପ୍ରବୋଧ ।

ଝରଝର ଅଶ୍ରୁ ଝରେ,

କମ୍ପେ କଳେବର,

ଅଙ୍ଗରେ ପୁଲକ ଖେଳେ,

ଭାଷେ ପ୍ରେମେ ଗୀର ।

‘‘କେତେ ଚାହିଁ ଚାହିଁ ଶେଷେ

ଆସିଛ ଗୋସାଇଁ,

ରଖିଛି ଏ ସଜ ଦୁଧ,

ଦିଅନ୍ତୁନା ପିଇ ।

କର୍ଣ୍ଣେ ଉପଦେଶ ଦେଇ,

କରନ୍ତୁ ଉଦ୍ଧାର,

ଭବସାଗର ମୁଁ ତରେ,

ହେଉ କୃପା ତୋର ।’’

ଏ ଭକ୍ତି, ଏ ଅନୁରାଗ

ଲୋତକ ଲୋଚନେ,

ଦେଖି ସାଧୁ ବିମୋହିତ,

ଅଦ୍ଭୁତ ସେ ମଣେ ।

ପରମ ସନ୍ତୋଷ ସାଧୁ

କହେ, ରେ ଗୋପାଳ !

ଚାଲ, ଘରେ ଚାଲ, ଦୀକ୍ଷା

ଦେବି ସ୍ନାନକର ।’’

ଗୋପାଳ-ଗଉଡ଼ ଗୋଖା ମୁଁ ଗୁରୁ !

ଥାଏ ବନସ୍ତରେ,

ଗୋଠ ଜଗି ସାରେ କାଳ

ଘର ନ ପଚାରେ ।

ସ୍ନାନ, ପୂଜା ଆମ ଲୋକେ

କାହୁଁ ହେବ ଜଣା,

ପଦେ ଶ୍ରୀମୁଖୁ ଭାଷନ୍ତୁ,

କରିବି ପାଳନା ।

ଜ୍ଞାନର ସାଗର ଗୁରୁ !

ମୂର୍ଖ କି ବୁଝିବି,

ପଦେ ବୁଝାଇ କହନ୍ତୁ,

ତତ୍ତ୍ୱେ ଧରିଥିବି ।

ଏହି ଭୋଳା ଭକତିରେ

ବିଭୁ ହୁଏ ବାଇ,

ଏହି ଭକତିର ଭବେ

ଅସାଧ୍ୟ ତ ନାହିଁ ।

ଗୁରୁ ପ୍ରେମେ ଉଲ୍ଲସିତ

ଗୋପାଳ ବଚନେ,

ମନ୍ତ୍ରପାଣି ଛୁଞ୍ଚି ଶିରେ,

ଦୀକ୍ଷାଦେଲେ କାନେ ।

କହିଲେ, ‘‘ଶୁଣ ଗୋପାଳ !

ଆଜିଠାରୁ ଯାହା,

କରୁନା ଭୋଜନ, ଘେନ

ଭୋଗ କରି ତାହା ।

ବିଭୁଭୋଗ ନ କରିଣ

ନ ଭୁଞ୍ଜିବୁ ଅନ୍ନ,

ଏଇ ଏକ ଉପଦେଶ,

କର ତୁ ପାଳନ ।

ଏଇ ଏକ ଉପଦେଶେ

ଯିବୁ ଭବୁଁ ତରି,

ଗୋବିନ୍ଦ ଦର୍ଶନ ଦେବେ

ତୋରେ କୃପାକରି ।’’

ଗୋପାଳ - ଆଜ୍ଞା ନେଲି ଶିରେ ଗୁରୁ !

କରି ଅନୁରାଗ;

ଗୋବିନ୍ଦ ଦେଖିବି କାହିଁ,

ଲଗାଇବି ଭୋଗ ?

ଗୁରୁ-ଗୋବିନ୍ଦ ତ ବାବୁ !

ରହି-ଛନ୍ତି ସବୁଠାରେ,

ଭକ୍ତିରେ ବୁଜିଲେ ଆଖି,

ଦିଶନ୍ତି ଅନ୍ତରେ ।

ସେ ତ ନବଘନ ଶ୍ୟାମ

ଶିରେ ଶିଖିଚୂଳ,

ମୋହନ ତ୍ରିଭଙ୍ଗ ଠାଣି

ଆରକ୍ତ ଅଧର ।

ବକ୍ଷରେ କୌସ୍ତୁଭ ମଣି,

କଣ୍ଠେ ରତ୍ନହାର,

ବାହୁରେ କଙ୍କଣ ଶୋହେ

ପାଦରେ ନୂପୁର ।

ବଂଶୀରେ ରସିକ, ହାତେ

ସୁବର୍ଣ୍ଣ ବାଂଶରୀ,

ବଙ୍କିମ ଚାହାଣୀ ରଙ୍ଗେ

ନିଏ ପ୍ରାଣହରି ।

ଏହି ରୂପେ ଦେଇ ଧ୍ୟାନ,

ଡାକ ଦୃଢ଼ ଭାବେ,

ଗୋବିନ୍ଦ ଆସିବେ ଧାଇଁ

ସୁଖେ ଭୋଗ ନେବେ ।

ଭୁଲିବୁ ନାହିଁଟି ବାବୁ !

ନ କରି ନୌବେଦ୍ୟ,

ମୁଖରେ ନ ଦେବୁ, ହେଉ

ଯାହା କିଛି ଖାଦ୍ୟ ।

ଦୀକ୍ଷା ଦେଇ, ଦୁଧ ପିଇ

ଗୁରୁ ଗଲେ ଚଳି,

ବେଳ ଦି’ପହର ଘରୁ

ଆସେ ଅନ୍ନ ଥାଳୀ ।

ଅନ୍ନ, ପାଣି ଦେଇ ପତ୍ନୀ

ହୋଇଲା ଅନ୍ତର,

ଭୋଗ ଦେବ ପଢ଼ି ମନେ

କରଇ ବିଚାର ।

ସାଦରେ ଏକାନ୍ତେ ଯାଇ

ଅନ୍ନ ପରଷିଲା,

ଭକ୍ତିରେ ତୁଳସୀ ଦଳ

ଅନ୍ନପରେ ଦେଲା ।

ପ୍ରେମରେ ପ୍ରଭୁଙ୍କୁ ଧ୍ୟାଇ

କରଇ ପାର୍ଥନା,

ଆସ, ଆସ ହେ ଗୋବିନ୍ଦ !

କର ଭୋଗ ଘେନା ।

ଆପଣ ଭୁଞ୍ଜିଲେ ସିନା,

ପାଇବି ପ୍ରସାଦ,

ଭୋକ ଲାଗେ ଡେରି ଆଉ

ନ କର ଗୋବିନ୍ଦ !

ଗୋବିନ୍ଦ ଆସିଲେ ନାହିଁ,

ଗୋପାଳ ବିକଳ,

ଡାକି ଡାକି ଗଲା ଥକି,

ହେଲା ସଞ୍ଜବେଳ ।

ପ୍ରଭୁ ଭୋଗ ନ ଘେନିଲେ,

ଗୋପାଳ ବିଚାରେ,

ସେ କି ଖାଇପାରେ ଅନ୍ନ !

ଫିଙ୍ଗେ ଜଙ୍ଗଲରେ ।

ଭୋଗ ବାଢ଼ି, ଡାକେ ନିତି,

ଫିଙ୍ଗିଦିଏ ଅନ୍ନ;

ଗୋଶାଳାକୁ ଫେରି ଦୁଃଖେ

କରଇ ଶୟନ ।

ଦିନ ଦିନ ହୋଇ ଗଲା

ଦିବସ ଅଠର,

ଉପବାସେ ତନୁ ଶୁଖି

ହେଲା କଣ୍ଟାସାର ।

ଆଖି ପଶିଗଲା ଗାତେ,

ଖୁଣ୍ଟ ନ ଚଳିଲା,

ପତ୍ନୀ ପୁଚ୍ଛେ, ଫିଟାଇଣ

କିଛି ନ କହିଲା ।

ଗୋପାଳ ଭାବଇ ମନେ,

‘‘ମରିବି ତ ଦିନେ,

ଗୁରୁ ଆଜ୍ଞା ନ ଲଙ୍ଘିବି

ଥାଇଣ ଜୀବନେ ।

ଏ ପୁରେ ନ ହେଲା, ହେବ

ଗୁରୁ କୃପାବଳେ,

ଦରଶନ ପ୍ରଭୁଙ୍କର

ମଲେ ପରପାରେ ।

କଳିଷଠା ପାଖ ହେଲା,

ଆଉ କେତେ ଦିନ ?

ଗୁରୁ ଆଜ୍ଞା ଲଂଘି ପାପେ

ହେବି କି ମଗନ ?

ଛି ! ଛି ! ଗୋପାଳର ହାତେ

ହେବ ନାହିଁ ତାହା,

ସବୁଠାରେ ରହି, ଚାହିଁ-

ଛନ୍ତି ଚଉବାହା ।’’

ପୁଣି ନିଅ ଉପବାସ

ସତାଇଶ ଦିନ,

ପତ୍ନୀ ଆସି ଉପସ୍ଥିତ

ଘେନି ଅନ୍ନ ପାନ ।

ପତ୍ନୀ ଚାହେଁ ପତିଦେହେ,

ଗୋଡ଼ ତା ନ ଚଳେ,

ଲୋତକ ଢାଳିଣ ପତି-

ଚରଣ ପଖାଳେ ।

ପତିଙ୍କୁ ଛାଡ଼ି ଯିବାକୁ

ନ ହୁଏ ତା ମନ,

ଗୋଶାଳାରେ ବସିରହେ,

ନ ଘେନେ ବାରଣ ।

ନ ଗଲେ ତ ନ ଖାଇବି,

ଜିଦି ପତିଙ୍କର,

ଦେଖି ବାଳୀ କାନ୍ଦି କାନ୍ଦି

ହୁଅଇ ଅନ୍ତର ।

ଆଜି ଉଠି ବସିବାକୁ

ନାହିଁ ତ ଶକତି,

ମୁଣ୍ଡ ଟେକି ହେଉ ନାହିଁ,

ବିହ୍ୱଳ ତା ମତି ।

ବାଢ଼ି ଦେଲା କଷ୍ଟେ ଅନ୍ନ,

ଲୋଟିଲା ମହୀରେ,

ଅନ୍ତିମ ପ୍ରାର୍ଥନା ରଚେ

ଗୋପାଳ ପ୍ରଭୁରେ ।

‘‘ପ୍ରଭୁ ହେ, କରୁଣାମୟ,

ଆଜି ଶେଷ ଦିନ,

କାଲିକି ଏ ପିଣ୍ଡେ ଆଉ

ଥିବକି ପରାଣ ?

ଲୁହ ନାହିଁ ଗଡ଼ାଇବି,

ନ ଫୁଟେ ବଚନ,

ଶକ୍ତି ନାହିଁ, ଆଣି ଦେବି

ତୁଳସୀ ଚନ୍ଦନ ।

ବିନା ତୁଳସୀରେ ଭୋଗ

ଦିଏ ଭକ୍ତି ଢାଳି,

ଘେନ ବା ନ ଘେନ, ଯାହା

ଇଚ୍ଛା, ବନମାଳି !’’

ଗୋପାଳ - କାହୁଁ ଏ ବିପୁଳ ଜ୍ୟୋତି,

ଅତୁଲ୍ୟ ପ୍ରକାଶ,

ଗୋଶାଳାରେ ଦେଖାଦେଲା !

ଏ ଯେ ପରମେଶ

ଠିକ୍‌ ଏଇ ରୂପ, ଥିଲେ

ଗୁରୁଜୀ ବତାଇ,

ଅରୁଣ ଚରଣେ ଶିର

ଭକ୍ତିଭରେ ଥୋଇ,

ଧୋଇଦେଲା ପ୍ରେମାଶ୍ରୁରେ;

ଅଙ୍ଗେ ଗୋପାଳର

ଖେଳଇ ପୁଲକ, ସ୍ୱେଦ,

ସାତ୍ତ୍ୱିକ ବିକାର ।

ପଦେ ମୁଖେ ନାହିଁ କଥା,

ନ ଫୁଟେ ବଚନ,

ଆଦରେ କୋଳରେ ତୋଳି

ନେଲେ ଭଗବାନ ।

ଭଗବାନ - କାନ୍ଦନା, କାନ୍ଦିଣ ଆଖି

ଗଲାଣିତ ଫୁଟି,

ଗୋପାଳ ! କ୍ରନ୍ଦନେ ତୋର

ବକ୍ଷ ଯାଏ ଫାଟି ।

ଏଇ ଦେଖ, ତୋର ଭୋଗ

ଖାଏ ହୋଇ ଖୁସି,

ଏ ତ ଅମୃତରୁ ବଳେ,

କେବେ ନାହିଁ ଦେଖି ।

ଏଇ ମୁଖେ ଦିଏ ବାବୁ !

ପାଆ ତୁ ପ୍ରସାଦ,

ତୋ ଭୋକ ବାଧଇ ପ୍ରାଣେ,

ଆଣଇ ବିଷାଦ ।

ଭକତକୁ କୋଳେ ଧରି

ଶେଷ ପରସାଦ,

ଖୁଆଇଲେ ପ୍ରଭୁ ପ୍ରେମେ

ହୋଇ ଗଦଗଦ ।

ସେ ତ ରୁଟି ନୁହେଁ ଆଜି

ଅମୃତୁଁ ବଳିଲା,

କେତେ ଜନ୍ମ କ୍ଷୁଧା ପ୍ରାଣୁଁ

କ୍ଷଣେ ଦୂର କଲା ।

କ୍ଷଣକେ ସବଳ ଦେହ,

ଖେଳିଲା ଶକତି,

ମୁଖୁଁ ନୟନୁଁ ଭକ୍ତର

ବିଭାତିଲା ଜ୍ୟୋତି ।

ପ୍ରଭୁ-ଏଥୁଁ ବାବୁ ଯାଅ ଘରେ

ପତ୍ନୀ ତୋ ବିକଳ,

ତୋତେ ଦେଖି, ଦେଉ ନାହିଁ

ମୁଖେ ଅନ୍ନଜଳ ।

ହସି ଖେଳି ଆନନ୍ଦରେ

କଟାଇ ଜୀବନ,

ଶେଷେ ବୌକୁଣ୍ଠେ ରଚିବ

ଅମୃତ ଭୋଜନ ।

ପ୍ରବୋଧ ଦେଇଣ ପ୍ରଭୁ

ହେଲେ ଅନ୍ତର୍ହିତ,

ଧନ୍ୟ ଭକ୍ତବନ୍ଧୁ, ଧନ୍ୟ,

ଧନ୍ୟ ତୋ ଭକତ !

Image

 

ଦୀନବନ୍ଧୁ ଦିହୁଡ଼ି ଧଇଲେ !

ମହାଭକ୍ତ ପ୍ରେମନିଧି,

ପ୍ରେମର ଭଣ୍ଡାର,

ଯବନ ବସତି ପାଖେ

ଆଗ୍ରାରେ ତା ଘର ।

ସର୍ବତ୍ର ମଙ୍ଗଳ ଦେଖେ

ବିଧାତା ବିଧାନେ,

ଅନ୍ତରେ ସଦା ସନ୍ତୋଷ,

ଥାଏ ତୃପ୍ତ ମନେ ।

ଦୁଃଖ ବିପତ୍ତିରେ ସଦା

ଖେଳେ ମୁଖେ ହସ,

ନିତ୍ୟ ପ୍ରେମ ମହାରସେ

ଅନ୍ତର ସରସ ।

ଯବନ ଛୁଇଁବା ଆଗୁଁ

ଯମୁନାର ବାରି,

ଯୋଗାଇବ ରାଧାକୃଷ୍ଣେ,

ବ୍ରତ ଥିଲା ଧରି ।

ପାହାନ୍ତି ପହରୁ ନିତି

ନିତ୍ୟକର୍ମ ସାରେ,

କାନ୍ଧେ ଜଳଭାର ବହି

ପ୍ରବେଶେ ମନ୍ଦିରେ ।

ରାସେଶ୍ୱର ରାସେଶ୍ୱରୀ

ତୃପତ ସେ ଜଳେ,

ସେହି ଜଳେ ପ୍ରଭୁ ପୂଜା

ସ୍ନାନ ନୀତି ଚଳେ ।

ଦିନେ ଇଚ୍ଛା କଲେ ପ୍ରଭୁ

ଭକତ ପରୀକ୍ଷା,

ରାତି ଅଧଠାରୁ କଳା

ମେଘ ଦେଲା ଦେଖା ।

ମୂଷଳଧାରାରେ ପଡ଼େ

ଅବିଶ୍ରାନ୍ତ ଜଳ,

ବଜ୍ରର ଶବଦେ କର୍ଣ୍ଣ

ହୁଅଇ ବଧିର ।

ବିଦ୍ୟୁତ ଚମକେ ଚାଣ୍ଡେ,

ଉଠେ ପ୍ରାଣ ଥରି,

ଘରୁ ଗୋଡ଼ କାଢ଼ି କାହିଁ

ନ ହୁଏ ବାହାରି ।

ବରଷାର ପଙ୍କେ ପଥ

ହୋଇଲା ପିଚ୍ଛିଳ,

ପଥେ ପଦ ନୁହେ ସ୍ଥିର,

ଗମନ ଅଚଳ ।

ଭକତ ଭାବଇ ମନେ

ହେଲା ତ ଦୁର୍ଗମ !

ନ ଗଲେ ତ ନ ଚଳିବ

ପ୍ରଭୁଙ୍କ କରମ ।

ସୂର୍ଯ୍ୟୋଦୟ ପରେ ଅପ-

ବିତ୍ର ହେବ ପାଣି,

ଏ ଘୋର ଅନ୍ୟାୟ କରି

ବିକି ଜାଣି ଜାଣି ?

ପଥେ ଖସୁ ଗୋଡ଼, ପଡ଼ି-

ଯାଏ ନା ମୁଁ ମରି,

ପ୍ରଭୁମୁଖେ ଦେବେ ନାହିଁ

ଅପବିତ୍ର ବାରି ।

ଗରା ଭାର ଧରି ଭକ୍ତ

ବଢ଼ାଇଲା ପାଦ;

ହସି ହସି ଚାଲେ ପଥ,

ନ ଗଣେ ପ୍ରମାଦ ।

‘କି କଲା ଭକତ !’ ପ୍ରଭୁ

ମନେ ମନେ ଭାଳି,

‘ମରଣ ନ ଗଣି ମୋହ

ପାଇଁ ଯାଏ ଚାଲି !’

ପହଡ଼ ଛାଡ଼ିଲେ ପ୍ରଭୁ,

ଭୁଲିଲେ ବିହାର,

ଦୁର୍ଗମ କାଦୁଅ, ଦାଣ୍ଡେ

ହୋଇଲେ ବାହାର ।

କୋଟି କନ୍ଦର୍ପ ଲାବଣ୍ୟ

ବାଳକ ମୂରତି,

ହାତରେ ଦିହୁଡ଼ି ଶୋହେ

ବିଭାସଇ ଜ୍ୟୋତି ।

ନ ଗଣେ କାଦୁଅ ପଙ୍କ,

ଚାଲେ ଡେଇଁ ଡେଇଁ,

ପ୍ରେମନିଧି ଦେଖେ, ତାରେ

ଅପେକ୍ଷା କରଇ ।

ପାଶେ ହେଲେ, ଛଟକେ ସେ

ହୋଇଯାଏ ଦୂର,

ପ୍ରେମନିଧି ଭାବେ ମନେ,

‘‘କିବା ସମାଚାର !

ରାଜପଥ ରକ୍ଷାକାରୀ

ହେବ ପରା ଜଣେ,

ବନ୍ଧ ଦେଖି ଦେଖି ଯାଏ,

ବରଷା କାରଣେ ।

ଯାଉ ଯେତେ ଦୂର, ଆଚ୍ଛା

ମିଳିଲା ସୁବିଧା,

ଚାରୁଚନ୍ଦ୍ରୋଦୟା ଜଳେ

ଆଉ କିବା ବାଧା !’’

ଯମୁନା ତୀରେ ଓହ୍ଲାଇ

ଧରେ ସ୍ନାନଘାଟ,

ଛଟକେ ଦିହୁଡ଼ି ଲିଭେ

ବ୍ରାହ୍ମଣ ଉଚ୍ଚାଟ ।

ଯମୁନା ଜଳରେ ସ୍ନାନ,

ନିତ୍ୟକର୍ମ ସାରି,

ଜଳଭାର ଧରି ଯାଏ

ଦେବାଳୟେ ଫେରି ।

ଦିହୁଡ଼ି ଉଜ୍ଜଳେ ଜଳି

ଦିଶିଲା ନିମିଷେ,

ପ୍ରେମନିଧି ବାଳ ମୁଖ

ଦେଖଇ ହରଷେ ।

ଫେରି ଫେରି ବାଳକ ଯେ

କେତେ ପଛେ ଚାହେଁ !

ଚାହାଣୀ ଭଙ୍ଗିରେ ପ୍ରେମ-

ନିଧି ପ୍ରାଣ ମୋହେ ।

ଦିହୁଡ଼ି ଆଲୁଏ ଭକ୍ତ

ସୁଖେ ଧରେ ଘର,

ନିମିଷେ ବାଳକ କାହିଁ

ହୁଅଇ ଅନ୍ତର ।

ବାଳକର ଅଦର୍ଶନେ

ଭକତ ବିକଳ,

ନୟନରୁ ଗଡ଼ିପଡ଼େ

ପ୍ରେମେ ଅଶ୍ରୁଜଳ ।

ଭାବେ, ‘‘ସେ ତ ନନ୍ଦସୂନୁ,

ଲାବଣ୍ୟପସରା,

ଦୀନଜନ ବନ୍ଧୁ, ଭକ୍ତ-

ଦୁଃଖଶୋକହରା ।

ଆହା କି ଚାହାଣିଭଙ୍ଗି,

ନୟନ-ଛଟକ,

ମୁଖର ସୁଷମା ଦଳେ

ଶତ ଶଶିଟେକ ।

କୁଞ୍ଚି କୁଞ୍ଚି କେଶ ଦାମ

ଶିରେ ଶିଖିଚୂଳ,

କମଳ ନୟନ କିବା

ଭାବେ ଢଳଢଳ ।’’

ସ୍ମୃତିରେ ଖେଳଇ ରୂପ

ଅପୂର୍ବ ବିଭାସେ,

ଜାଳଇ ବିରହଜ୍ୱାଳା

ଭକତ ଉରସେ ।

ବିରହ-ଦୁଃଖରେ ବୁଡ଼ି

ହୁଅଇ ବିକଳ,

ମୀନ କି ସେ ହରାଇଲା

ଭାଗୀରଥୀ ଜଳ ।

‘‘ଧିକ ହାତ ! ନ କଲୁ ତୁ

ପ୍ରଭୁ ଆଲିଙ୍ଗନ,

ପଦ ! ବ୍ରଜେଶ୍ୱର ପଛେ

ନ କଲୁ ଗମନ !

ପାଇ ନ ପାରିଲୁ ପ୍ରାଣ

ପରଶ ପ୍ରଭୁର,

ଏତେ କାଳ ଥିଲେ ପାଶେ,

ନ ହେଲୁ ତରଳ !

ବାଳ ଗୋପାଳ ତ ସେ ମୋ

ପରାଣର ଧନ,

ଏତେ କଲେ ନ ଚିହ୍ନିଲୁ

ଧିକ ତୁ ନୟନ !’’

ଭକ୍ତ ଭାବୁ ଭାବୁ ହୁଏ

ମହାଭାବେ ଭୋଳା,

ଅନୁଭବେ ଆଣେ ପ୍ରଭୁ

କରୁଣାର ଲୀଳା ।

ପ୍ରତିନିତ୍ୟ ପ୍ରେମନିଧି

ଭାଗବତ ପଢ଼େ;

ପ୍ରେମେ ବୁଡ଼ି ପ୍ରେମଲୀଳା

ଭକ୍ତ ଆଗେ ବାଢ଼େ ।

ବୀଣାନିନ୍ଦୀ ମଧୁବାଣୀ,

ବ୍ୟାଖ୍ୟାନ ମୋହନ,

ଭାବେ ଢଳଢ଼ଳ ନେତ୍ର,

ହରେ ପ୍ରାଣମନ ।

ପାଠକ ପଢ଼ଇ ପ୍ରେମେ,

ଗଡ଼ଇ ଲୋତକ,

କେତେବେଳେ ଭାବେଭୋଳା,

ଖେଳଇ ପୁଲକ ।

ଶତ ଶ୍ରୋତା ପ୍ରାଣେ ଭାବ

ଖେଳିଯାଏ କ୍ଷଣେ,

ଅଙ୍ଗରେ ପୁଲକ ଦିଶେ,

ଲୋତକ ନୟନେ ।

ପ୍ରେମର ତରଙ୍ଗ ପ୍ରାଣୁଁ

ପ୍ରାଣେ ଯାଏ ଖେଳି,

ମହାପ୍ରେମେ ବୁଡ଼ିଯାନ୍ତି

ଶତ ନରନାରୀ ।

ସହଜେ ରମଣୀ ପ୍ରାଣ

ଲଳିତ ମଧୁର,

ପ୍ରଭୁର ମଧୁର ରସେ

ହୁଏ ଭରପୂର ।

ବଢ଼ଇ ବିରହଜ୍ୱାଳା,

ନ ପାରି ସମ୍ଭାଳି,

ହା କୃଷ୍ଣ ମୁଖରେ ଧରି

ମୂର୍ଚ୍ଛା ଯାନ୍ତି ବାଳୀ ।

ନାସ୍ତିକ କାହୁଁ ବୁଝିବ

ଏ ଅମୃତ ଲୀଳା,

ଭକତ ଆନନ୍ଦେ ତାର

ମୁଖ ପଡ଼େ କଳା ।

ଈର୍ଷାରେ ପୋଡ଼ିଣ ଢାଳେ

ଅନ୍ତରର ବିଷ,

ଭକତେ ବିଦ୍ରୋହୀ ହୁଏ

ଅରଜେ କଳୁଷ ।

ଅନଳେ ପୋଡ଼ିଲେ ବଢ଼େ

ସୁବର୍ଣ୍ଣ ଝଟକ,

ଦୁଃଖ କଷ୍ଟ ଅପମାନେ

ଫୁଟେ ଭକ୍ତ ଟେକ ।

ବିପଦ ଭକତ ପ୍ରାଣ

କଷଟି ପଥର,

ଦୁଃଖକଷ୍ଟେ ପୋଡ଼ି ଭକ୍ତ

ଦିଶେ ମନୋହର ।

ପ୍ରେମନିଧିଙ୍କ ଦୁର୍ନାମ

ବାଦଶାହ କାନେ,

ଫୁଙ୍କିଲେ ନିନ୍ଦୁକ, ଦୁଷ୍ଟ

କାନକୁହା ଜନେ ।

କହିଲେ, ‘‘ମଣିମା ! ନିତି

ପଢ଼ି ଭାଗବତ,

ବୁଡ଼ାଇଲା ହିନ୍ଦୁନାରୀ

ଇଜ୍ଜତ ମହତ ।

ପ୍ରେମନିଧି ରଚେ ପ୍ରେମ,

ଶତ ନାରୀ ଘେନି,

ତାର ପାପେ ବୃନ୍ଦାବନ

ସରି ତ ଗଲାଣି ।’’

ଯବନ ନୃପତି ବନ୍ଦୀ

କଲେ କାରାଗାରେ,

ବନ୍ଦୀଘରେ ପ୍ରେମନିଧି

ଅଧୀର ଚିନ୍ତାରେ ।

‘‘କିଏ ନିତି ଯମୁନାରୁ

ଯୋଗାଇବ ପାଣି,

ସିପାହୀ ତ ବଦ୍ଧ କଲେ

ବନ୍ଦୀଘରେ ଆଣି ?

ସ୍ନାନପାନେ ପ୍ରଭୁଙ୍କର

ନ ଥିବ ତ ସୁଖ,’’

ପ୍ରେମନିଧି ଢାଳେ ଅଶ୍ରୁ,

ଭାଳି ପ୍ରଭୁଦୁଃଖ ।

ଯବନ ନୃପତି ସ୍ୱପ୍ନେ

କରଇ ଦର୍ଶନ,

ଶଙ୍ଖ-ଚକ୍ର-ଗଦା-ପଦ୍ମ-

ଧାରୀ ନାରାୟଣ ।

କହନ୍ତି, ‘‘ଯବନ ! ପ୍ରାଣ

ତୃଷାରେ ଆକୁଳ,

ଯୋଗାଇ ପାରିବୁ ନିକି

ଶୁଦ୍ଧ ସ୍ୱଚ୍ଛ ଜଳ ?’’

ଯବନ ନୃପତି କହେ,

ହୋଇ କୃତକୃତ୍ୟ,

‘‘ଶତ ଶତଭାର ପାଣି

ଯୋଗାଇବି ନିତ୍ୟ ।’’

ଭଗବାନ-କି ହେବ ସେ ପାଣି ଯଦି

ପ୍ରୀତି ନାହିଁ ମିଶା,

କାହୁଁ ସେ ପାରିବ ହରି

ପରାଣ-ପିପାସା ?

କି ହେବ ସେ ଅନ୍ନ ଯଦି

ନାହିଁ ପ୍ରେମୀ ମନ,

ଅନ୍ତର ବୁଭୁକ୍ଷା ଦୂର

କରିବ କେସନ ?

ମୋ ପ୍ରେମୀ ଭକତ ବାନ୍ଧି-

ଅଛୁ ବନ୍ଦୀଘରେ,

ସ୍ନାନ ନାହିଁ, ପାନ ନାହିଁ,

ପିପାସାରେ ମରେ ।

ପ୍ରଭୁଲୀଳାରେ ଯବନ

ଆଖି ଗଲା ଫିଟି,

ଅନ୍ତରରେ ଅନୁତାପ

ବଢ଼ିଲା ପ୍ରକଟି ।

ଅସ୍ଥିର ଯବନ ନୃପ

ଯାଏ ବନ୍ଦୀଘରେ,

ମୁକ୍ତ କରି ପ୍ରେମନିଧି

କ୍ଷମାଭିକ୍ଷା କରେ ।

ଭକତ ଚରଣ ଧରି

ଅରପେ ସମ୍ମାନ,

ନିଜ ଜନ ସଙ୍ଗେ ପଠା-

ଇଲା ତତକ୍ଷଣ ।

ପାଣି ବହି ବହି କାନ୍ଧେ

ତୃପ୍ତ ଭକ୍ତ ମନ,

ପିଆଇଲା ପାଣି ଭକ୍ତ,

ତୃପ୍ତ ଭଗବାନ !

ରାସେଶ୍ୱରୀ ସ୍ୱର୍ଣ୍ଣ ଘଟେ

ନିତି ନିତି ପାଣି,

ଯମୁନାରୁ ଯୋଗାଡ଼ନ୍ତି

ମହାପ୍ରେମେ ଆଣି ।

ସେ ପାଣି ଲାଗିଲା ପିତା,

ଗଲା ପ୍ରେମେ ବଳି,

ପ୍ରେମନିଧି ! ଏ କଥା କି

ସହିବ କିଶୋରୀ !

Image

 

ପ୍ରଭୁ ଭକ୍ତପତ୍ନୀର ନାକରେ ଲୋଥ ପିନ୍ଧାଇଲେ !

ପାନ୍ନା ରାଜ୍ୟ ଭାରତରେ,

ପ୍ରସିଦ୍ଧ ତା ନାମ,

ବୀରତ୍ୱର ସତୀତ୍ୱର

ଶୁଦ୍ଧ ପୁଣ୍ୟଧାମ ।

ପାନ୍ନା ରାଜଧାନୀଠାରୁ

ହେବ ଆଠ କୋଶ,

ବରଗଛ ଗ୍ରାମେ ମହା-

ଭକତଙ୍କ ବାସ ।

ହିମ୍ମତ ଦାସ ଭକତ-

ମଣ୍ଡଳୀରେ ସାର,

ସାଧୁସେବାପରାୟଣ,

ମହତ, ଉଦାର ।

ବାପା; ବଡ଼ବାପା କାଳୁ

ସୁଖ୍ୟାତ ସେ ଘର,

ପ୍ରତିନିତ୍ୟ ସାଧୁସେବା,

ସନ୍ଥ-ସମାଦର ।

ହରିଚର୍ଚ୍ଚା, ସଂକୀର୍ତ୍ତନ,

ପୁରାଣପଠନ,

ଲାଗିଥାଏ ମହାପ୍ରେମେ

ସାଧନ, ଭଜନ ।

ସେ ତପସ୍ୟାମୂର୍ତ୍ତି ଧରି

ଜନମେ ହିମ୍ମତ,

ପତ୍ନୀ ପତିପରାୟଣା,

ସଦା ଶୁଦ୍ଧଚିତ୍ତ ।

କୃଷ୍ଣଗୁଣ ଗାଇ ଝାଞ୍ଜ

ବଜାଇ ବଜାଇ,

କେବେ ପ୍ରେମେ ଭୋଳ, କେବେ

ଦେହେ ସଂଜ୍ଞା ନାହିଁ ।

ଗ୍ରାମଠାରୁ ରାଜଧାନୀ

ଆଠ କୋଶ ଦୂର,

ବିରାଜନ୍ତି ପ୍ରେମମୂର୍ତ୍ତି

ଯୁଗଳ କିଶୋର ।

ଝାଞ୍ଜ ବାଇ ପ୍ରତିନିତ୍ୟ

ହୋଇ ପ୍ରେମେ ଭୋଳ,

ଆଠ କୋଶ ଯିବା

ବାହୁଡ଼ିବା ତାର ମୂଳ ।

ଦେବତାଠୁଁ ବଡ଼ ତାର

ସାଧୁ ଅଭ୍ୟାଗତ,

ସାଧୁ ସନ୍ଥ ଯୁଟିଗଲେ

ହୁଏ କୃତକୃତ୍ୟ ।

ସାଧୁ, ଅଭ୍ୟାଗତ ମେଳେ

ମାତେ ସଂକୀର୍ତ୍ତନେ,

ମୁହୁର୍ମୁହୁ ମୂର୍ଚ୍ଛା ଯାଏ,

ଶ୍ୱାସ ବହେ ଘନେ ।

ସେ ଉନ୍ମାଦ ପ୍ରାଣୁଁ ପ୍ରାଣେ

ଖେଳେ ଅବହେଳେ,

ସାଧୁ ସନ୍ଥ ଧନ୍ୟ ହୋନ୍ତି

ହିମ୍ମତର ମେଳେ ।

ଦିନେ ରାଜଧାନୀ ପଥେ

ମିଳିଗଲେ ଚୋର,

କହନ୍ତି, ‘‘ରେ ଭଣ୍ଡ ! କିପାଁ

କରୁଛୁ ଚିତ୍କାର ?

ଚୋର ଆମେ, ରଖିଦିଅ

ଯାହା ଅଛି ପାଶେ,

ବାୟା କି ତୁ, ଶୁଭୁ ନାହିଁ,

ଆଖିକି ନ ଦିଶେ ?’’

ଝାଞ୍ଜ ଛଡ଼ାଇ କହନ୍ତି,

‘‘ଆଉ ଅଛି କିସ ?’’

ସାଧୁ କହେ, ‘‘ଝାଞ୍ଜ ମୋର

ଅଟଇ ସର୍ବସ୍ୱ ।

ଝାଞ୍ଜ ବାଇ, ଗାଇ ଗାଇ

ଯାଏ ବିଭୁଗୁଣ,

ଛଡ଼ାଇ ନେଉଛ, ବନ୍ଦ

ହେବ ସଂକୀର୍ତ୍ତନ ।’’

ଚୋର ଚାଲିଯାନ୍ତି, ଶୁଭେ

ବିକଳ ଚିତ୍କାର,

‘‘ଆଖିକୁ ନ ଦିଶେ,

କୃପା କରି ରକ୍ଷାକର ।

ନିଅ ତୁମ ଝାଞ୍ଜ ନିଅ,

ନ ଦିଅ କଷଣ,’’

ସାଧୁ ପାଶେ ଗଲେ, କାନ୍ଦି

ଧରନ୍ତି ଚରଣ ।

ଭଗବାନ ନାମ ଧରି

ସାଧୁ ଛୁଏଁ ଆଖି,

ଆନନ୍ଦେ ଅଧୀର ଚୋର,

ପାରିଲେ ସେ ଦେଖି ।

ସାଧୁ କହେ, ‘‘ଛାଡ଼ ଚୋରି,

ପରାଣୀ ପୀଡ଼ନ,

ସାଧନେ ଭଜନେ କର

ସଫଳ ଜୀବନ ।’’

କ୍ଷଣ ସାଧୁସଙ୍ଗ ଫଳେ,

ବଦଳିଲେ ଚୋର,

ସାଧନ ଭଜନ କରି,

ପାଇଲେ ଉଦ୍ଧାର ।

ମନ୍ଦିରେ ମିଳିଲେ ସାଧୁ,

ହୋଇଗଲା ଡେରି,

ଦେବତାଙ୍କ ନୀତିଗତି

ଯାଇଥିଲା ସରି ।

ବଡ଼ସିଂହାର ସାରିଣ

ସେବାୟତଗଣ,

ଗଲେ, ପ୍ରଭୁ ଥିଲେ ସୁଖେ

ପହଡ଼ ରଚିଣ ।

କବାଟ ଗଲାଣି ପଡ଼ି

ଦେଖଇ ଭକତ,

ବ୍ୟାକୁଳେ ଗରଜେ ଦ୍ୱାରେ

କରେ କରାଘାତ ।

ଜମିଗଲେ ଲୋକେ,

ସର୍ବେ ଭାଷନ୍ତି ବଚନ,

‘‘ବଡ଼ ସିଂହାର ସରିଲା

ଦେଖିବାକୁ ମନ ।’’

ମାରେ ଘନ ଘନ ହାତ

ନ ମାନେ ବାରଣ,

ରାଗିଣ ପ୍ରଭୁରେ ଡାକେ

ତୋଳି ଉଚ୍ଚ ତାନା ।

‘‘କପଟୀ କପଟ କଲୁ

ଫିଟାଅ କବାଟ,

ହିମ୍ମତ ଇଜ୍ଜତ ନେବ,

ଲଗାଇବ ନାଟ ।’’

ତକ୍ଷଣେ କବାଟ ଖୋଲେ,

ହୁଏ ଠିଆ ମେଲା,

ଉନ୍ମାଦେ ହିମ୍ମତ ନାଚେ

ହୋଇ ଭାବଭୋଳା ।

ଝାଞ୍ଜ ବାଜଇ ତା ହାତେ,

ମୁଖୁ ଫୁଟେ ସ୍ତୁତି,

ଢଳି ଢଳି ନାଚୁ ନାଚୁ

ପାହିଗଲା ରାତି ।

ସାଧୁଙ୍କର କୀର୍ତ୍ତି ଶୁଣି

ମହନ୍ତ ଗୋବିନ୍ଦ ।

ପୂଜିଲେ ଭକତେ, ପ୍ରାଣେ

ଅପାର ଆନନ୍ଦ ।

ଆଳତି ଦର୍ଶନ ପାଇଁ

ପାନ୍ନାର ନୃପତି,

ଆସି ମନ୍ଦିରକୁ କଲେ

ସାଧୁପଦେ ନିତି ।

କହନ୍ତି, ‘‘ଭକତ ! ଯାଅ

ଆସୁ ଷୋଳ କୋଶ,

ପାଉ ବହୁ କଷ୍ଟ, ରଚ

ନିକଟରେ ବାସ ।

ଦିଏ ବିପୁଳ ସମ୍ପତ୍ତି,

କର ତ ଗ୍ରହଣ,

ଝାଞ୍ଜ ବାଇ, ନାଚି ନିତି

ହେଉ ଦରଶନ ।’’

ହସି ନାସ୍ତି କରେ ନମ୍ର

ଭକତ ଉତ୍ତମ,

ଝାଞ୍ଜ ବାଇ ନାଚି ନାଚି

ଫେରେ ନିଜ ଗ୍ରାମ ।

ଦିନେ ପହଞ୍ଚିଲେ ଦ୍ୱାରେ

ଜମାଉତ ଦଳ,

ଶତ ସାଧୁ ଦେଖି ପ୍ରାଣେ

ଆନନ୍ଦ ଅପାର ।

ବହୁ ସମ୍ଭାବନା କରେ,

ହାତେ ପାଦ ଧୁଏ,

ସଙ୍ଖୋଳି ସରବେ ପ୍ରେମେ

ଜଣେ ଜଣେ କହେ ।

ବଜାରକୁ ଯାଏ ଚଳି

ଆଣିବ ସାମାନ,

କ୍ଷୁଧିତ ସରବ ସାଧୁ

କରିବେ ଭୋଜନ ।

ପରମେଶ୍ୱରୀ ବଣିଆ

ତାଠାରେ ବିଶ୍ୱାସ,

ଭୋଜନସାମଗ୍ରୀ ଆଣି

ଯାଏ ତାର ପାଶ ।

ଉଧାର ମାଗେ ହିମ୍ମତ,

ନାରାଜ ବଣିଆ;

ବଣିଆ - ବହୁତ ବାକି ହେଲାଣି

ଦେବି ନାହିଁ ନୂଆ ।

ଧନ ଦେଇ ମାଲ ନିଅ,

ଥାଉ ପୂର୍ବ କାଳି,

କାଳି ଛିଣ୍ଡାଇଣ ନିଅ

ଅଟା, ଘିଅ, ଡାଲି ।

ବଣିଆ ଉଚିତ କହେ,

ବୁଝିଲା ଭକତ,

ବଡ଼ ନିରାଶାରେ ପତ୍ନୀ

ପାଶେ ଉପଗତ ।

ପତିବ୍ରତା ସତୀ ନାରୀ

ଶୁଣେ ପତି-ବାଣୀ,

ପତିଙ୍କୁ ଉଦାସ ଦେଖି

ଆକୁଳ ତରୁଣୀ ।

ଦେହୁ ସାରା ଅଳଙ୍କାର

ବିକି ସାଧୁସେବା,

ହୋଇଥିଲେ ଆଗୁଁ; ଅଙ୍ଗେ

ଆଉ କି ଅଛି ବା ?

ସଧବାର ଶେଷ ଚିହ୍ନ,

ନାକେ ଲୋଥ ଭରେ,

ଲୋଥ କାଢ଼ି ଅରପିଲା

ଅତି ଭକତିରେ ।

ଲୋଥ ଧରି ସାଧୁନେତ୍ରୁ

ପଡ଼େ ଅଶ୍ରୁ ଝରି,

କହେ, ‘‘ସାଧୁ ସାଧୁ, ସଖି !

କେ ଅଛି ତୋପରି ?

ପତ୍ନୀ ଶେଷ ଆଭରଣ

ପ୍ରେମେ ରଖି ବନ୍ଧା,

ଆଣି ଡାଲି, ଘିଅ, ଅଟା,

ଚଳାଇଲା ଖନ୍ଦା ।

ପ୍ରଭାତେ ସକଳ ସାଧୁ

ଗଲେ ବିଦାହୋଇ,

ହିମ୍ମତ ସ୍ନାହାନେ ଯାଏ

ତଇଳ ଲଗାଇ ।

ଭକତବତ୍ସଳ ବିଭୁ

ହିମ୍ମତର ବେଶ,

ଧରିଣ ବଣିଆ ଦ୍ୱାରେ

ହେଲେ ପରବେଶ ।

ହସି କହନ୍ତି ବଣିକେ,

‘‘ହିସାବ ତୁ କର,

ବାକି ଛିଣ୍ଡାଇଣ ଲୋଥ

ଘେନିବି ମୋହର ।’’

ଦୁଇ ଶତ ପଞ୍ଚସ୍ତରୀ

ଟଙ୍କା ଶୁଝିଦେଲେ,

ହିସାବ ନିକାଶ କରି

ଦସ୍ତଖତ କଲେ ।

ଲୋଥ ଧରି ଭକ୍ତ ଗୃହେ

ପ୍ରଭୁ ଗଲେ ଚଳି,

କହନ୍ତି, ‘‘ଏ ଲୋଥ ନିଅ,

ଦିଅ ବେଗେ ଭରି ।’’

ବାଳୀ କହେ, ‘‘ତୁମ କଥା

ସବୁ ଅଦଭୁତ,

ଏଇ ଗଲ ସ୍ନାନ କରି

ଟିକିଏ ହେବ ତ ।

ଏତେ ଶୀଘ୍ର ଯାଇ ଲୋଥ

ଆଣ ମୁକୁଳାଇ,

ଧିକ ସେ ଲୋଥ ! ରାତିରେ

ନ ଥିଲ କି ଶୋଇ ?

ଦିଅଁଙ୍କ ଘର ଲିପୁଛି,

ନାହିଁ ମୋତେ ତର,

ପିଣ୍ଡାରେ ଥୁଅ ସେ ଲୋଥ

ସ୍ନାନ କରି ଚଳ ।’’

ପ୍ରଭୁ - ସୁନା ଲକ୍ଷ୍ମୀ ! ଥୁଆହୁଏ

ମାଟିରେ ନା କଣ ?

ବେଗେ ଆସି ନିଅ, ଅଙ୍ଗେ

ଭର ବିଭୂଷଣ ।

ଭକ୍ତପତ୍ନୀ - ମଲା ମଲା, ଏତେ ଜିଦି,

ଗୋବର ମୋ ହାତ,

ଶ୍ରୀହସ୍ତେ ପିନ୍ଧାଇଦିଅ,

ଇଚ୍ଛା ହେଉଛି ତ ।

ଶ୍ରୀହସ୍ତେ ପିନ୍ଧାଇ ଲୋଥ,

ପ୍ରଭୁ ଗଲେ ଚାଲି,

ଭକତ ନଈରୁ ଫେରେ

ସ୍ତୁତି ବୋଲି ବୋଲି ।

ପାଣିଢାଳ ଦିଅଁ ଘରେ

ରଖି ଭକ୍ତ ଚାହେଁ,

ନାରୀମୁଖେ ଦେଖେ ଲୋଥ

‘‘କିଏ ଦେଲା ?’’ କହେ ।

ନାରୀ କହେ, ‘‘ରଖ ରଖ

ନାଗରପଣିଆ,

ନିଜେ ଆସି ପିନ୍ଧାଇଲ,

ପାଶେ ହେଲି ଠିଆ ।

ଘର ଲିପୁଥିଲି, ହାତ

ନ ଥିଲି ତ ଧୋଇ;

ଏ ଦିନେ ରସିକପଣ,

କହୁଛ ରଙ୍ଗାଇ !’’

ଧାଇଁଲେ ହିମ୍ମତ ଦାସ

ବଣିଆ ଦୁଆରେ,

‘‘କାହାକୁ ବିକିଲ ଲୋଥ ?’’

ପଚାରେ ଅଧୀରେ ।

ବଣିଆ-ଆଜି ଏ କି କଥା କହ,

ଚାହିଁ ମୋର ଆଖି,

କପଟ ତ ତୁମଠାରେ

କେବେ ନାହିଁ ଦେଖି ?

ମୋର ସବୁ ଟଙ୍କା ଦେଇ,

ଏଇ ଲୋଥ ନେଲ,

ଦେଖ ଦେଖ, ଖାତା ଶେଷେ

ଦସ୍ତଖତ ଦେଲ ।

ଦୁଇଶହ ପଞ୍ଚସ୍ତରୀ

ନୁହେ ଦୁଇ ଏକ

ଗଣିଦେଲ ତୁମେ ନିଜେ;

ନୁହେ ଅନ୍ୟ ଲୋକ ।

ହିମ୍ମତ ଦାସଙ୍କ ନେତ୍ରୁ

ଅଶ୍ରୁ ପଡ଼େ ବହି,

ପ୍ରେମେ କଣ୍ଟକିତ ଦେହେ

ବଣିଆକୁ କହି ।

‘‘ଧନ୍ୟ ତୁ ପରମେଶ୍ୱରି !

ଧନ୍ୟ ତୋ ଜୀବନ,

ସାର୍ଥକ ତୋ ନାମ, ହେଲା

ଈଶ୍ୱରଦର୍ଶନ ।

କେଜାଣି କି ପାପ ଅଛି

ଜୀବନରେ କରି,

ଦରଶନ ନ ପାଇଲି,

ଘରୁ ଗଲେ ଫେରି ।

ପତ୍ନୀପାଶେ ଆସି ଭକ୍ତ

କରଇ ପ୍ରଶଂସା,

‘‘ଭାଗ୍ୟ ତୋର ! ପ୍ରଭୁସ୍ପର୍ଶ

ପାଇଲା ତୋ ନାସା ।’’

ଖାଦ୍ୟପାନ ଛାଡ଼ି ଉପ

-ବାସେ କାଟେ ଦିନ,

ରଜନୀରେ ଅଚାନକ

କରଇ ଶ୍ରବଣ ।

‘‘ନ ନିନ୍ଦ ନିଜରେ, ଛାଡ଼

ଶୋକ ଅକାରଣ,

ଭକତ ତୁ, ବୃନ୍ଦାବନେ

ହେବ ଦରଶନ ।’’

ଏତିକିରେ ଭକ୍ତପ୍ରାଣେ

ଆସିଲା ତୃପତି,

ଝାଞ୍ଜ ବାଇ ପ୍ରେମ ଭରେ

ରଚେ ପ୍ରଭୁସ୍ତୁତି ।

ନ ଛୁଇଁଲା ଅନ୍ନ ଜଳ,

ଚଳେ ବୃନ୍ଦାବନ,

ଅଙ୍ଗରେ ବିଜୁଳି ଖେଳେ

ତନ୍ମୟ ପରାଣ ।

ଦେହ ତା ଅଛି କି ନାହିଁ,

ପଡ଼ୁନାହିଁ ଜଣା,

ମୁଖରୁ ଫୁଟଇ ନାମ,

ବ୍ୟାକୁଳ ପ୍ରାର୍ଥନା ।

ପ୍ରଭୁର ପରାଣ ଭକ୍ତ

ଭାବେ ପଡ଼େ ଟଳି,

ଭାବନ୍ତି ଭକତ ନେବେ

ବାଟରୁ ସଙ୍ଖୋଳି ।

କଦମ୍ବତରୁର ମୂଳେ

ପଥେ ହେଲେ ଉଭା,

ଖେଳିଯାଏ ଅଙ୍ଗୁ ନୀଳ

ନବଘନ ପ୍ରଭା ।

ଶିରେ ଶିଖିପୁଚ୍ଛ, କଟି-

ତଟେ ପୀତାମ୍ବର,

ବକ୍ଷେ କଉସ୍ତୁଭମଣି,

ଚରଣେ ନୂପୁର ।

ବାହୁରେ ବଳୟ, ହସ୍ତେ

ସୁବର୍ଣ୍ଣ ବାଂଶରୀ,

ଚାରୁଚିତ୍ର ବନମାଳେ

ଦିଶେ ଦେହ ପୂରି ।

ଆରକ୍ତ ଅଧରେ ସ୍ମିତ,

ବଙ୍କିମ ଚାହାଣୀ,

ତ୍ରିଭଙ୍ଗିଠାଣିରେ ନିଏ

ପ୍ରାଣ ମନ କିଣି ।

ଡକାନ୍ତି ଭକତେ ହସି,

ଆସ ପାଖେ ଆସ,

ଦୀର୍ଘ ସାତ ଦିନ ଭୁଲି-

ଗଲୁ ଭୋକ ଶୋଷ !

ଲୋତକ ପଡ଼ିଲା ଗଡ଼ି,

କଲେ ଭକ୍ତେ କୋଳ,

ଉଲ୍ଲୋଳ ପରାଣଭାବ,

ଭକତ ବିହ୍ୱଳ ।

ଲୋତକ, ପୁଲକ, ସ୍ୱେଦ,

ସାତ୍ତ୍ୱିକ ବିକାର,

ଖେଳେ ମୂଦେ, ଭକ୍ତ ଅଙ୍ଗେ;

କହନ୍ତି ଶ୍ରୀଧର,

‘‘ବସ ଏ କଦମ୍ବମୂଳେ,

କରିବା ଭୋଜନ,

ଉଯାଇଣ ଉପବାସ

ତୋଷ ତୁ ପରାଣ ।’’

ପ୍ରଭୁ ସଙ୍ଗେ ଭକ୍ତ ଭୁଞ୍ଜି

ବସଇ ପ୍ରସାଦ,

ଗଲା କ୍ଷଣେ କ୍ଷୁଧା, ଜନ୍ମ

ଜନ୍ମ ଅବସାଦ ।

‘‘ପୁଣି ତ ମିଳନ ହେବ’’

କହି ପ୍ରଭୁ ଗଲେ,

ବୃନ୍ଦାବନେ ବାଇ ଝାଞ୍ଜ

ଭକତ ମିଳିଲେ ।

ଶ୍ୟାମା ଶ୍ୟାମ ରୂପ ଦିଶେ

ଜୀବନ୍ତ ଚେତନ !

ଯଦି ଚାହେଁ ତହିଁ ଶ୍ୟାମ

ରୂପ ବିମୋହନ ।

ପରଦିନ ଦେଖେ ଭକ୍ତି

ଯମୁନାର କୂଳେ,

ରାଧାକୃଷ୍ଣେ ଧରି ହର୍ଷେ

ରତ୍ନଦୋଳି ଝୁଲେ ।

ତୁରନ୍ତ ହିମ୍ମତ ଦାସ

ପାଶେ ଗଲେ ଧାଇଁ

ଭକ୍ତିରେ ପ୍ରଣମି ଦୋଳି

ଲାଗିଲେ ଝୁଲାଇ !

ବୃନ୍ଦାବନୁଁ ଭକ୍ତମଣି

ଚଳିଲେ ମଥୁରା,

ସବୁ ସ୍ଥଳେ ବିଭୁ ଦେଖି

ହେଲେ ଆତ୍ମହରା ।

ଗୋକୁଳେ ପହଞ୍ଚି ପ୍ରଭୁ

ବାଳରୂପ ଦେଖି,

ସଫଳ କଲେ ଜୀବନ,

ପୂତ କଲେ ଆଖି ।

ସର୍ବତ୍ର ବ୍ରଜବିହାରୀ

ଦେଖି ଗ୍ରାମେ ଫେରି,

ସାଧନ ଭଜନେ ଗଲେ

ସେହିରୂପେ ମିଳି ।

Image